କେନ୍ଦ୍ରାପଡ଼ା: ଜୁଲାଇ ୨୫: ଗ୍ୟାଙ୍ଗଷ୍ଟର ସେକ ହାଇଦରର ପୋଲିସ ଏନ୍କାଉଣ୍ଟରରେ ମୃତ୍ୟୁ ହେବା ପରେ କେନ୍ଦ୍ରାପଡା ଅପରାଧ ଦୁନିଆର ବାଦଶାହା ହାଇଦରର ଖେଳ ଶେଷ ହୋଇଛି । ଶନିବାର ଦିନ ଚୌଦ୍ୱାର ଜେଲରୁ ତାକୁ ପୋଲିସ ବାରିପଦା ଜେଲ କୁ ନେଉଥିବା ବେଳେ ବାଲେଶ୍ୱର ସିମୁଳିଆ ଠାରେ ପରିଶ୍ରା କରିବା ବାହାନାରେ ସେ ଖସିପଳାଇଯିବାକୁ ଚେଷ୍ଟା କରୁଥିଲା I ଏହି ସମୟ ରେ ତାକୁ ଅଟକାଇବା ପାଇଁ ପୋଲିସ ପକ୍ଷରୁ ଗୁଳି ଚାଳନା କରାଯାଇଥିଲା I ସେଥିରେ ହାଇଦର ର ମୃତ୍ୟୁ ହେଇଛି I
ହାଇଦରର ମୃତ୍ୟୁ ପରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଆଇନ୍ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରି କେନ୍ଦ୍ରାପଡା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନମାନଙ୍କରେ ବନ୍ଧୁକଧାରୀ ପୋଲିସ ମୁତୟନ କରାଯାଇ ଯାଞ୍ଚ ଚାଲିଥିବାର ଦେଖାଯାଇଛି ।
ଅପରାଧ ଦୁନିଆରେ ଯଦିଓ ହାଇଦରର ପୁଅମାନେ ମଧ୍ୟ ଲିପ୍ତ ଅଛନ୍ତି କିନ୍ତୁ ପ୍ରକୃତରେ ହାଇଦର ହିଁ ସବୁ ଅପରାଧର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିଲା । ହାଇଦରର ବିନା ଇଙ୍ଗିତରେ କୌଣସି ଅପରାଧ ସଙ୍ଗଠିତ ହେବା ସମ୍ଭବ ନଥିଲା । ଏପରିକି ହାଇଦର ନିଜେ ମଧ୍ୟ ଅନେକ ଅପରାଧ ସଙ୍ଗଠିତ କରୁଥିଲା । ନିଜ ପ୍ରତିଦ୍ୱନ୍ଦିଙ୍କୁ ହଟାଇବା ପାଇଁ ନିଜେ ଗୁଳି ଚଳାଇବାକୁ ପଛାଉ ନଥିଲା । ସୁପାରି ନେଇ ହତ୍ୟାକାଣ୍ଡ ମଧ୍ୟ ଭିଆଉଥିଲା । ହାଇଦର ରାସ୍ତାରେ ଯିଏ କଣ୍ଟା ସାଜୁଥିଲା ହାଇଦର ନିଜେ ତାକୁ ରାସ୍ତାରୁ ସଫା କରି ଦେଉଥିଲା ।
ହାଇଦର ଆତଙ୍କରେ କେନ୍ଦ୍ରାପଡ଼ା,କଟକ, ଜଗତସିଂହପୁର, ପାରାଦ୍ୱୀପ, ଯାଜପୁର, ଜଗତପୁର ଶିଳ୍ପାଞ୍ଚଳ ଏପରିକି ରାଜ୍ୟର ଅନ୍ୟ କେତେକ ଜିଲ୍ଲା ମଧ୍ୟ ଆତଙ୍କିତ ହୋଇ ପଡିଥିଲା । ଏପରିକି ଜେଲରେ ଥାଇ ମଧ୍ୟ ସେ ବିଭିନ୍ନ ପ୍ରକାର ଅପରାଧ ଯଥା ଟେଣ୍ଡର ଫିକ୍ସିଂ, ଦାଦା ବଟି ଆଦାୟ, ବ୍ୟବସାୟୀମାନଙ୍କୁ ହତ୍ୟା ଧମକ ପ୍ରଭୃତି କାର୍ଯ୍ୟ କରୁଥିଲା ।
ହାଇଦରର ମୃତ୍ୟୁ ପରେ କେନ୍ଦ୍ରାପଡ଼ା ସମେତ ଅନ୍ୟ ଜିଲ୍ଲା ଗୁଡିକରେ ତାର ଅପରାଧ ସାମ୍ରାଜ୍ୟ ଏକ ପ୍ରକାର ଶେଷ ହୋଇଛି । ହାଇଦରର ଘର କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ରଣପଡା ଗ୍ରାମରେ । ହାଇଦରର ବାପା ସେକ ଆୟୁବ ରିକ୍ସା ଚଳାଇ ପରିବାର ଚଳାଉଥିଲେ । ହାଇଦର ଯୁବକ ଅବସ୍ଥାରେ ପରିବାର ଚଳାଇବା ପାଇଁ ପ୍ରଥମେ ରିକ୍ସା ଓ ପରେ ଟ୍ରଲି ଚଳାଉ ଥିଲା । ସେ ନବେ ଦଶକରେ ଅପରାଧ ଦୁନିଆରେ ରାଜ ଚଲାଇବା ସହିତ ଅପରାଧ ପରେ ଅପରାଧ କରି ଚାଲିଥିଲା ।
ତା’ ନାମରେ ବିଭିନ୍ନ ଥାନାରେ ବହୁ ଅପରାଧିକ ମାମଲା ରହିଛି । ୨୦୦୫ ମସିହାରେ ଭୁବନେଶ୍ୱରରେ ଗ୍ୟାଙ୍ଗଷ୍ଟର ସୁଲେମାନର ବଡଭାଇ ଚୁନାକୁ ଭୁବନେଶ୍ୱରସ୍ଥିତ ଷ୍ଟୁଆର୍ଟ ସ୍କୁଲ ନିକଟରେ ଗୁଳି କରି ହତ୍ୟା କରିଥିଲା । କେନ୍ଦୁଝର ଖଣି ମାଲିକ ରଶ୍ମିରଞ୍ଜନଙ୍କୁ ୨୦୦୭ ମସିହାରେ ଭୁବନେଶ୍ୱରରୁ ଅପହରଣ କରି ପରେ ହତ୍ୟା କରିଥିଲା ।
କଟକ ବଡ଼ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିବା ବେଳେ ଗତ ଏପ୍ରିଲ ୧୦ରେ ସେ ଫେରାର ହୋଇ ଯାଇଥିଲା । ହାଇଦ୍ରାବାଦ ଯାଉଥିବା ବେଳେ ପୁଲିସ ଦ୍ୱାରା ଗିରଫ ହୋଇ ଚୌଦ୍ୱାର ଜେଲରେ ଥିଲା ।
Comments are closed.