ଅଷ୍ଟ୍ରେଲିଆ ସଂସଦରେ ଉଦ୍‌ବୋଧନ ଦେଲେ ଭାରତୀୟ ଟେଷ୍ଟ୍‌ ଦଳର ଅଧିନାୟକ ରୋହିତ ଶର୍ମା

କାନବେରା: ଭାରତ ଓ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଏକାଦଶ ମଧ୍ୟରେ ହେବାକୁ ଥିବା ଏକମାତ୍ର ଅଭ୍ୟାସ ମ୍ୟାଚ୍‌ ପୂର୍ବରୁ ଭାରତୀୟ କ୍ରିକେଟ୍‌ ଦଳ କାନବେରାରେ ଥିବା ଅଷ୍ଟ୍ରେଲିଆ ସଂସଦକୁ ନିମନ୍ତ୍ରିତ ହୋଇଥିଲା। ଅଷ୍ଟ୍ରେଲିଆ ସଂସଦରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଉପସ୍ଥିତ ବ୍ୟକ୍ତିମାନଙ୍କୁ ଉଦ୍‌ବୋଧନ ଦେଇ ଦୁଇ ଦେଶ ମଧ୍ୟରେ ଥିବା ମଜବୁତ୍‌ ସଂପର୍କ ଉପରେ ଗୁରୁତ୍ବାରୋପ କରିଥିଲେ। ବହୁ ପୂର୍ବରୁ ଦୁଇ ଦେଶ ମଧ୍ୟରେ କ୍ରୀଡ଼ା ହେଉ କିମ୍ବା ବାଣିଜ୍ୟ, ସବୁବେଳେ ଉତ୍ତମ ସଂପର୍କ ରହିଆସିଛି। ଏହି ଦେଶକୁ ଆସି ଅମକୁ ବହୁତ ଭଲ ଲାଗୁଛି। ଏଠାରେ କ୍ରିକେଟ୍‌ ଖେଳିବା ସହ ଦେଶରେ ଥିବା ବିଭିନ୍ନ ସଂସ୍କୃତିକୁ ମଧ୍ୟ ଆମେ ଉପଭୋଗ କରିପାରୁଛୁ। ନିଶ୍ଚିତଭାବେ ଅଷ୍ଟ୍ରେଲିଆରେ ଅନେକ ଆହ୍ବାନପୂର୍ଣ୍ଣ ଖେଳାଳି ଅଛନ୍ତି। ଏହାର କାରଣ ହେଉଛି, ଲୋକମାନଙ୍କ ମଧ୍ୟରେ କ୍ରୀଡ଼ାକୁ ନେଇ ଭଲପାଇବା ଓ ପ୍ରତିଦ୍ବନ୍ଦ୍ବିତାମୂଳକ ମନୋଭାବ। ଏଥିପାଇଁ ଆମେ ଯେତେବେଳେ ବି ଏଠାକୁ ଖେଳିବା ପାଇଁ ଆସୁ ଅନେକ ଆହ୍ବାନର ସମ୍ମୁଖୀନ ହୋଇଥାଉ ବୋଲି ରୋହିତ ତାଙ୍କ ଭାଷଣରେ କହିଥିଲେ। ଏହି ଅବସରରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲ୍‌ବାନିସ୍‌ଙ୍କ ସହିତ ଭାରତୀୟ ଖେଳାଳିମାନେ ସାକ୍ଷାତ କାରିବା ସହିତ କିଛି ସ୍ମରଣୀୟ ମୁହୂର୍ତ୍ତ ବିତାଇଥିଲେ। ସୂଚନାଯୋଗ୍ୟ, କାନବେରାରେ ଭାରତୀୟ ଦଳ ପହଞ୍ଚିବା ପରେ ଅଭ୍ୟାସ ମ୍ୟାଚ୍‌ ପୂର୍ବରୁ ନେଟ୍ସ କରିବା ପରିବର୍ତ୍ତେ ବିଶ୍ରାମ ନେବାକୁ ଅଧିକ ପସନ୍ଦ କରିଛନ୍ତି। ଏଥିପୂର୍ବରୁ ପ୍ରଥମ ଟେଷ୍ଟ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୨୯୫ ରନ୍‌ର ବଡ଼ ବିଜୟ ପାଇଥିଲା। ଦ୍ବିତୀୟ ଟେଷ୍ଟ୍‌ ଡିସେମ୍ବର ୬ ତାରିଖରୁ ଆରମ୍ଭ ହେବ।

Comments are closed.