ନୂଆଦିଲ୍ଲୀ: ଗତ ୫ ଦିନ ମଧ୍ୟରେ ସୁରକ୍ଷାକର୍ମୀମାନେ ପହଲଗାମ ଆକ୍ରମଣକାରୀଙ୍କୁ ବିଭିନ୍ନ ସ୍ଥାନରେ ଅତି କମ୍ରେ ୪ ଥର ଘେରିଲେଣି। ଦକ୍ଷିଣ କାଶ୍ମୀର ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଥରେ ଗୁଳି ବିନିମୟ ବି ହୋଇଛି। ସ୍ଥାନୀୟ ବାସିନ୍ଦା ଏବଂ ଗୁଇନ୍ଦା ସୂତ୍ରରୁ ଖବର ମିଳିବାପରେ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଉଛି। କିନ୍ତୁ ମୂଷା ଏବଂ ବିରାଡ଼ି ଖେଳ ଭଳି ପ୍ରତିଥର ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ହାତରୁ ଖସି ଯାଉଛନ୍ତି। ପ୍ରତିଥର ସୁରକ୍ଷାକର୍ମୀ ଆତଙ୍କବାଦୀଙ୍କୁ ଚିହ୍ନଟ କରି ଗୁଳିମାଡ଼ ଆରମ୍ଭ କରିବା ବେଳକୁ ସେମାନେ ଖସି ଯାଉଛନ୍ତି। କିନ୍ତୁ ଜଣେ ସେନା ଅଧିକାରୀ ଦୃଢ଼ୋକ୍ତି ବାଢ଼ି କହିଛନ୍ତି, ଖୁବ୍ ଶୀଘ୍ର ଆକ୍ରମଣକାରୀଙ୍କୁ ନିପାତ କରାଯିବ। ପାକିସ୍ତାନର ୨ ଆତଙ୍କବାଦୀଙ୍କ ସମେତ ପହଲଗାମ ଆକ୍ରମଣ ଘଟାଇଥିବା ୪ ଆତଙ୍କବାଦୀଙ୍କୁ ଧରିବାପାଇଁ ସେନା, କେନ୍ଦ୍ରୀୟ ସଶନ୍ତ୍ର ପୁଲିସ ବାହିନୀ ଏବଂ ଜମ୍ମୁ କାଶ୍ମୀର ପୁଲିସ ପହଲଗାମର ଜଙ୍ଗଲ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି। ମିଳିଥିବା ସୂଚନାନୁଯାୟୀ ଅନନ୍ତନାଗର ପହଲଗାମ ତହସିଲ୍ରେ ହପତ ନର ଗ୍ରାମ ନିକଟରେ ସୁରକ୍ଷାକର୍ମୀମାନେ ପ୍ରଥମେ ଆତଙ୍କବାଦୀଙ୍କୁ ଚିହ୍ନଟ କରିଥିଲେ। କିନ୍ତୁ ଘଞ୍ଚ ଜଙ୍ଗଲିଆ ଅଞ୍ଚଳର ଫାଇଦା ନେଇ ସେମାନେ ଖସି ପଳାଇଲେ। ପରେ ଆତଙ୍କବାଦୀଙ୍କୁ କୁଲଗାମ୍ର ଜଙ୍ଗଲିଆ ଅଞ୍ଚଳରେ ଚିହ୍ନଟ କରାଗଲା ଯେଉଁଠାରେ ସୁରକ୍ଷାକର୍ମୀଙ୍କ ସହ ସେମାନଙ୍କ ଗୁଳି ବିନିମୟ ହୋଇଛି। ପରେ ପୁଣିଥରେ ପହଲଗାମ ଆକ୍ରମଣକାରୀଙ୍କୁ ତ୍ରାଲ୍ରେ ଚିହ୍ନଟ କରାଯାଇଛି ଏବଂ ଏହାପରେ କୋକେରନାଗ୍ରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି।