ଆଗାମୀ କିଛି ସପ୍ତାହ ଗୁରୁତ୍ୱପୂର୍ଣ୍ଣ;କରୋନା ଯୋଦ୍ଧାଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ
ସୁରକ୍ଷା ନେଇ ସ୍ୱାସ୍ଥ୍ୟକର୍ମୀଙ୍କୁ ଦେଲେ ମନ୍ତ୍ର ଘର ଘର ବୁଲି ରୋଗ ସମ୍ପର୍କରେ ଯାଞ୍ଚ ହେବ
ଭୁବନେଶ୍ୱର : ଜୁନ ୧୦: କରୋନା ଭୂତାଣୁ ମୁକାବିଲା ନିମନ୍ତେ ଆଗାମୀ କିଛିି ସପ୍ତାହ ବେଶ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ଆମକୁ ବ୍ୟାପକ ସତର୍କତା ଅବଲମ୍ବନ କରିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାସ୍ଥ୍ୟ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ କରୋନା ଯୋଦ୍ଧାଙ୍କ ସହିତ ଆଲୋଚନା କରି କହିଛନ୍ତି, ଆଗକୁ ମୌସୁମୀ ଆସୁ ଥିବାରୁ ଲୋକଙ୍କ ମଧ୍ୟରେ ଅନ୍ୟ ପ୍ରକାରର ସଂକ୍ରାମକ ରୋଗ ବ୍ୟାପିବାର ଆଶଙ୍କା ରହିଛି । ଏହାକୁ ନଜରରେ ରଖି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏକ ବ୍ୟାପକ ଅଭିଯାନ ଆରମ୍ଭ କରାଯିବ । ଏହି ଅଭିଯାନ ମାଧ୍ୟମରେ ଘର ଘର ବୁଲି କରୋନା ଭୂତାଣୁ ସମେତ ଅନ୍ୟାନ୍ୟ ରୋଗ ଯଥା ଯକ୍ଷ୍ମା, ମ୍ୟାଲେରିଆ ଓ ଡାଇରିଆ ଆଦି ରୋଗ ସମ୍ପର୍କରେ ଯାଞ୍ଚ କରିବାକୁ ହେବ । ଗତ କିଛି ଦିନ ଧରି ସ୍ୱାସ୍ଥ୍ୟକର୍ମୀମାନେ କରୋନା ଆକ୍ରାନ୍ତ ହେଉଥିବା ଘଟଣାକୁ ନେଇ ଚିନ୍ତା ପ୍ରକଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହା କରୋନା ସଂକ୍ରମଣ ନିରୋଧୀ ସୁରକ୍ଷା ଗାଇଡଲାଇନର ଉଲ୍ଲଙ୍ଘନକୁ ଦର୍ଶାଉଛି । ତେଣୁୁ ସ୍ୱାସ୍ଥ୍ୟକର୍ମୀମାନେ ପ୍ରଥମେ ନିଜର ଏବଂ ନିଜ ଟିମର ସୁରକ୍ଷା ଉପରେ ସର୍ବାଧିକ ଗୁରୁତ୍ୱ ଦେଇ ଲୋକଙ୍କ ମଧ୍ୟରେ ଉଦାହରଣ ସୃଷ୍ଟି କର;ୁ । ସେମାନେ ପ୍ରୋଟୋକଲକୁ କଡ଼ାକଡ଼ି ଭାବେ ପାଳନ କରି ସଂକ୍ରମଣ ବ୍ୟାପିବାରୁ ରୋକିବାକୁ ହେବ । ଏହାଦ୍ୱାରା ହିଁ ବର୍ତ୍ତମାନର ପରିସ୍ଥିତିକୁ ନିୟନ୍ତ୍ରଣକୁ ଆସିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
Comments are closed.