ପୁରୀ: ଜୁଲାଇ ୨୧: ଆଉ ମାତ୍ର କିଛି ସମୟର ଅପେକ୍ଷା । ଦିବ୍ୟ ସୁନାଳଙ୍କାରରେ ଆପାଦ ମସ୍ତକ ମଣ୍ଡିତ ହୋଇ ଚତୁର୍ଦ୍ଧା ମୂର୍ତ୍ତି ଦିବ୍ୟ ରୂପକାନ୍ତିରେ ଭକ୍ତଙ୍କୁ ଦର୍ଶନ ଦେବେ । ଠାକୁରଙ୍କର ଏହି ରଥ ଉପରେ ସୁନାବେଶକୁ ବଡ଼ଚଢ଼ାଉ ବେଶ ମଧ୍ୟ କୁହାଯାଏ । ପ୍ରତିବର୍ଷ ଠାକୁରଙ୍କ ପାଞ୍ଚଥର ସୁନାବେଶ ହୋଇଥାଏ । ତନ୍ମଧ୍ୟରୁ ବାହୁଡ଼ା ଏକାଦଶୀରେ ରଥ ଉପରେ ହେଉଥିବା ଠାକୁରଙ୍କ ସୁନାବେଶ ହେଉଛି ପ୍ରଥମ । ଏହାକୁ ସ୍ୱଚକ୍ଷୁରେ ନିକଟରୁ ଦର୍ଶନ ପାଇଁ ଭକ୍ତପ୍ରାଣ ଆକୁଳ ମନରେ ଅପେକ୍ଷା କରି ରହିଥାଏ । କାରଣ ଶ୍ରୀଜିଉଙ୍କ ଅନ୍ୟାନ୍ୟ ବେଶ ଭଳି ଅନ୍ୟ ଚାରିଥର ସୁନାବେଶ ମଧ୍ୟ ରତ୍ନସିଂହାସନ ଉପରେ ସମ୍ପନ୍ନ ହୋଇଥାଏ । ଥରେ ମାତ୍ର ଠାକୁର ଭକ୍ତଙ୍କ ଗହଣରେ ରଥ ଉପରେ ସୁନାରେ ସଜ୍ଜିତ ହୋଇ ଦିବ୍ୟ ଅପରୂପ ଶୋଭାରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଏହି ବେଶକୁ ପ୍ରତ୍ୟକ୍ଷ କରିବା ପାଇଁ ପ୍ରତିବର୍ଷ ଦୂରଦୂରାନ୍ତରୁ ଭକ୍ତମାନେ ଛୁଟିଆସନ୍ତି ପୁରୀକୁ । କିନ୍ତୁ ଚଳିତ ବର୍ଷ ତାହା ସମ୍ଭବ ହୋଇପାରିବ ନାହିଁ । ଭକ୍ତ ତା’ର ଅତିଆପଣାର, ନିଜର କାଳିଆ ଠାକୁର, କାଳିଆ ସାଆନ୍ତଙ୍କୁ ଆଉ ନିକଟରୁ ପ୍ରତ୍ୟକ୍ଷ କରିପାରିବ ନାହିଁ । ସେଥିପାଇଁ ଭକ୍ତ ହୃଦୟ ତ ବିଳପି ଉଠୁଛି । ବାଧ୍ୟ ହୋଇଛି ଠାକୁରଙ୍କ ଦିବ୍ୟ ସୁନାବେଶକୁ କେବଳ ମାତ୍ର ଟିଭି ପରଦାରେ ଦର୍ଶନ କରି ସନ୍ତୁଷ୍ଟ ହେବାକୁ ।
Comments are closed.