ଆମେରିକା ସିନେଟର ଲିଣ୍ଡସେ ଗ୍ରାହାମଙ୍କୁ ୱାଣ୍ଟେଡ୍‌ ଲିଷ୍ଟରେ ରଖିଲା ରୁଷ୍

ମସ୍କୋ: ଆମେରିକା ସିନେଟର ଲିଣ୍ଡସେ ଗ୍ରାହାମଙ୍କୁ ରୁଷ୍‌ ୱାଣ୍ଟେଡ୍ ଲିଷ୍ଟ୍‌ରେ ରଖିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି।ୟୁକ୍ରେନ୍ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ଦିନ ରାଷ୍ଟ୍ରପତି ବୋଲଡିମିର ଜେଲେନ୍‌ସ୍କିଙ୍କ ସହ ଗ୍ରାହାମଙ୍କ ସାକ୍ଷାତ୍‌କାରର ଏକ ଏଡିଟେଡ୍ ଭିଡ଼ିଓ ଜାରି କରାଯାଇଥିଲା। ଏଥିରେ ଗ୍ରାହାମ କହିବାର ଶୁଣାଯାଉଛି ଯେ ୟୁକ୍ରେନ୍ ଯୁଦ୍ଧରେ ରୁଷୀୟମାନେ ମୃତ୍ୟୁବରଣ କରୁଛନ୍ତି। ୟୁକ୍ରେନ୍‌କୁ ଆମେରିକା ପକ୍ଷରୁ ଦିଆଯାଇଥିବା ସହାୟତା ଆମେରିକାର ସର୍ବୋତ୍ତମ ବ୍ୟୟ ବୋଲି ମଧ୍ୟ ଗ୍ରାହାମ ଏଥିରେ କହୁଥିବାର ଶୁଣିବାକୁ ମିଳୁଛି। ରୁଷ୍ ପକ୍ଷରୁ ଗ୍ରାହାମଙ୍କ ଏହି ମନ୍ତବ୍ୟର ସମାଲୋଚନା କରାଯିବା ପରେ ୟୁକ୍ରେନ୍ ପକ୍ଷରୁ ଗ୍ରାହାମଙ୍କ ସହ ଜେଲେନ୍‌ସ୍କିଙ୍କ ସାକ୍ଷାତ୍‌କାରର ପୂରା ଭିଡ଼ିଓ ଜାରି କରାଯାଇଥିଲା। ଏଥିରୁ ଜଣାପଡ଼ିଛି ଯେ ଉକ୍ତ ଦୁଇ ମନ୍ତବ୍ୟର ସମ୍ପର୍କ ନାହିଁ।ରୁଷ୍‌ର ତଦନ୍ତକାରୀ କମିଟି ରବିବାର କହିଛି ଯେ, ସେମାନେ ସିନେଟର ଗ୍ରାହାମଙ୍କ ମନ୍ତବ୍ୟର ଆପରାଧିକ ତଦନ୍ତ କରୁଛନ୍ତି। କିନ୍ତୁ କେଉଁ ଅପରାଧ ତାହା ସେଥିରେ ସ୍ପଷ୍ଟ କରାଯାଇ ନାହିଁ। ଅପରପକ୍ଷେ ଗ୍ରାହାମ କହିଛନ୍ତି ଯେ, ସେ କେବଳ ଆମେରିକାର ସହାୟତା ପାଇ ରୁଷ୍ ସେନା ବିରୋଧରେ ଲଢ଼ିବା ପାଇଁ ୟୁକ୍ରେନ୍‌ର ଉତ୍ସାହକୁ ପ୍ରଶଂସା କରିଥିଲେ।

Comments are closed.