ଆସନ୍ତାକାଲି ହେବ ପ୍ରଧାନମନ୍ତ୍ରୀ ଉଜ୍ୱଳା ୨.୦ର ଶୁଭାରମ୍ଭ

ଭୁବନେଶ୍ୱର: ଅଗଷ୍ଟ ୯: ଆସନ୍ତା କାଲି ଅପରାହ୍ନ ୧୨.୩୦ ମିନିଟରେ ଏକ ଭିଡିଓ କଫେରେନ୍ସି ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶର ମୋହବାରେ ଏଲ୍‌ପିଜି ସଂଯୋଗ ହସ୍ତାନ୍ତର ସହିତ ଉଜ୍ୱଳା ୨.୦(ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା-ପିଏମ୍‌ୟୁଆଇ)ର ଶୁଭାରମ୍ଭ କରିବେ । ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାର ହିତାଧିକାରୀମାନଙ୍କ ସହିତ ଆଲୋଚନା କରିବା ସହ ଦେଶକୁ ସମ୍ବୋଧିତ କରିବେ ।
୨୦୧୬ରେ ଆରମ୍ଭ ହୋଇଥିବା ଉଜ୍ୱଳା ଯୋଜନାରେ ଦେଶର ବିପିଏଲ୍‌ ପରିବାରର ୫ କୋଟି ମହିଳା ସଦସ୍ୟଙ୍କୁ ଏଲ୍‌ପିଜି ସଂଯୋଗ ଯୋଗାଇ ଦେବା ପାଇଁଁ ଏକ ଲକ୍ଷ ଧାର୍ଯ୍ୟ କରାଯାଇଥିଲା । ପରବର୍ତ୍ତୀ ସମୟରେ ଅପ୍ରିଲ ୨୦୧୮ରେ ସମ୍ପ୍ରସାରିତ କରାଯାଇ ମହିଳା ହିତାଧିକାରୀଙ୍କୁ ଆହୁରି ସାତୋଟି ବର୍ଗ (ଏସସି/ଏସ୍‌ଟି, ପିଏମ୍‌ଏୱାଇ, ଏଏୱାଇ, ଅଧିକାଂଶ ପଛୁଆ ଶ୍ରେଣୀ, ଚା’ ବଗିଚା ଓ ଜଙ୍ଗଲ ବାସୀନ୍ଦା, ଦ୍ୱୀପପୁଞ୍ଜ) ଅନ୍ତର୍ଭୁକ୍ତ କରାଯାଇଥିଲା । ଆହୁରି ମଧ୍ୟ ଆଠ କୋଟି ଏଲ୍‌ପିଜିି ସଂଯୋଗ ଦେବା ଲକ୍ଷ୍ୟକୁ ସଂଶୋଧନ କରାଯାଇଥିଲା । ୨୦୧୯ରେ ଧାର୍ଯ୍ୟ ତାରିଖର ସାତ ମାସ ପୂର୍ବରୁ ଏହି ଲକ୍ଷ୍ୟ ହାସଲ କରାଯାଇଥିଲା ।
୨୦୨୧-୨୨ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟରେ ପିଏମ୍‌ୟୁୱାଇ ଯୋଜନାରେ ଅତିରିକ୍ତ ଏକ କୋଟି ଏଲ୍‌ପିଜି ସଂଯୋଗ ବ୍ୟବସ୍ଥା ପାଇଁ ଘୋଷଣା କରାଯାଇଛି । ଏକ କୋଟି ଏଲ୍‌ପିଜି ସଂଯୋଗରେ(ଉଜ୍ୱଳା ୨.୦ ଅଧୀନରେ) ସେହି ସ୍ୱଳ୍ପ ଆୟକାରୀ ପରିବାରମାନଙ୍କୁ ଜମା ମୁକ୍ତ ଏଲ୍‌ପିଜି ସଂଯୋଗ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି, ଯେଉଁମାନେ ପିଏମ୍‌ୟୁୱାଇର ପୂର୍ବ ପର୍ଯ୍ୟାୟ(ଉଜ୍ୱଳା ଯୋଜନାର ପ୍ରଥମ ପ୍ରର୍ଯ୍ୟାୟ)ରେ ଅନ୍ତର୍ଭୁକ୍ତ ହୋଇପାରିବେ ନାହିଁ ।
ଏହି ଜମା ମୁକ୍ତ ଏଲ୍‌ପିଜି ସଂଯୋଗ ସହିତ ଉଜ୍ୱଳା ୨.୦ ହିତାଧକାରୀଙ୍କୁ ପ୍ରଥମ ରଫିଲ ଏବଂ ହଟପ୍ଲେଟ୍‌ ମାଗଣାରେ ପ୍ରଦାନ କରାଯିବ । ପଞ୍ଜିକରଣ ପ୍ରକ୍ରିୟାରେ ସର୍ବନିମ୍ନ କାଗଜପତ୍ର ଆବଶ୍ୟକ ହେବ । ଉଜ୍ୱଳା ୨.୦ରେ ପ୍ରବାସୀମାନଙ୍କୁ ରେସନ କାର୍ଡ କିମ୍ବା ଠିକଣା ପ୍ରମାଣ ପତ୍ର ଦାଖଲ କରିବାକୁ ପଡ଼ିବ ନାହିଁ । ଆତ୍ମ ଘୋଷଣାନାମା ଉଭୟ ପରିବାର ଘୋଷଣାନାମା ଓ ଠିକଣା ପ୍ରମାଣପତ୍ର ପାଇଁ ଯଥେଷ୍ଟ ହେବ । ସାର୍ବଜନୀନ ଏଲ୍‌ପିଜି ବ୍ୟବହାର ପାଇଁ ପ୍ରଧାନମନ୍ତ୍ରୀଙ୍କର ଦୃଷ୍ଟିକୋଣ ହାସଲରେ ଉଜ୍ୱଳା ୨.୦ ସାହାଯ୍ୟ କରିବ । ଏହି ଅବସରରେ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ତଥା ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ ।

Comments are closed.