ଇତିହାସ ରଚିଲା ଭାରତୀୟ ମହିଳା ହକି ଦଳ, ପ୍ରବେଶ କଲା ସେମିରେ

ଭୁବନେଶ୍ୱର: ଅଗଷ୍ଟ ୨: ଟୋକିଓ ଅଲମ୍ପିକ୍ସରେ ଭାରତୀୟ ମହିଳା ହକି ଦଳ ସୋମବାର ଅଦ୍ଭୁତ ଖେଳ ପ୍ରଦର୍ଶନ କରି ଭାରତୀୟ ଖେଳପ୍ରେମୀଙ୍କ ମନ ଜିଣି ନେଇଛନ୍ତି । ଆଜି ହୋଇଥିବା କ୍ୱାର୍ଟରଫାଇନାଲ୍‌ ରାଉଣ୍ଡରେ ଭାରତୀୟ ଦଳ ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ଦଳ ଅଷ୍ଟ୍ରେଲିଆକୁ ୧-୦ରେ ହରାଇ ସେମିଫାଇନାଲରେ ନିଜର ସ୍ଥାନ ଦୃଢ଼ କରିଛି । ପ୍ରଥମ ଥର ପାଇଁ ମହିଳା ହକି ଦଳ ସେମିଫାଇନାଲ୍‌ରେ ପ୍ରବେଶ କରିଛି । ଗୋଲକିପର୍‌ ତଥା ଉପ ଅଧିନାୟକ ସବିତା ପୁନିଆଙ୍କୁ ଜିତିବାର ଶ୍ରେୟ ଯାଇଛି । ଅଷ୍ଟ୍ରେଲିଆ ପକ୍ଷରୁ ହୋଇଥିବ ମୋଟ୍‌ ୯ଟି ଗୋଲ୍‌କୁ ସେ ଅଟକାଇ ନିଜ ଦଳର ଉତ୍ସାହ ବଢ଼ାଇଛନ୍ତି । ଅଷ୍ଟ୍ରେଲିଆର ସବୁ ଆକ୍ରମଣକୁ ସବିତା ସାମ୍ନା କରିଥିଲେ ।
ଗୁରଜୀତ୍‌ କୌର ୨୨ ମିନିଟ୍‌ରେ ଏକ ପେନାଲଫି କର୍ଣ୍ଣରରେ ସ୍କୋର କରିଥିଲେ । ଅଲମ୍ପିକ୍ସରେ ଏହା ହେଉଛି ତାଙ୍କର ପ୍ରଥମ ଗୋଲ୍‌ ।
ଅଗଷ୍ଟ ୪ରେ ଭାରତୀୟ ମହିଳା ହକି ଦଳ ଆର୍ଜେଣ୍ଟିନା ଦଳକୁ ଭେଟିବେ । ଆର୍ଜେଣ୍ଟିନା ଜର୍ମାନୀ ଦଳକୁ ୩-୦ରେ ହରାଇ ସେମିଫାଇନାଲ୍‌ରେ ପ୍ରବେଶ କରିଛି । ପ୍ରକାଶଥାଉକି, ଭାରତୀୟ ପୁରୁଷ ହକି ଦଳ ପୂର୍ବରୁ ସେମି ଫାଇନାଲ୍‌ରେ ପ୍ରବେଶ କରିସାରିଛି ।
ଅନ୍ୟପକ୍ଷେ ଓଡ଼ିଶାର ଦୌଡ଼ରାଣୀ ଦୂତୀ ଚାନ୍ଦ ଖେଳପ୍ରେମୀଙ୍କୁ ପୁଣି ନିରାଶ କରିଛନ୍ତି । ୧୦୦ ମିଟର ଦୌଡ଼ରେ ପରାସ୍ତ ହେବା ପରେ ଆଜି ଅନୁଷ୍ଠିତ ହୋଇଥିବା ୨୦୦ ମିଟର ଦୌଡ଼ରେ ମଧ୍ୟ ପରାସ୍ତ ହୋଇଯାଇ ଅଲମ୍ପକ୍ସି ମହାସମରରୁ ନିଜ ଅଭିଯାନ ଶେଷ କରିଛନ୍ତି । ୨୩.୮୫ ସେକେଣ୍ଟରେ ସେ ୨୦୦ ମିଟର ଅତିକ୍ରମ କରି ସପ୍ତମ ସ୍ଥାନରେ ରହିଥିଲେ । ନାମିବିଆର ଖେଳାଳୀ ଖ୍ରୀଷ୍ଟିନ୍‌ ମ୍ବୋମା ୨୨.୧୧ ସେକେଣ୍ଟରେ ୨୦୦ ମିଟର ଅତିକ୍ରମ କରି ପ୍ରଥମ ସ୍ଥାନରେ ଅଛନ୍ତି ।

Comments are closed.