ଭୁବନେଶ୍ୱର: ଜୁଲାଇ ୩୧: ଆଜି ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ-୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଛି । ପରିଷଦ କାର୍ଯ୍ୟାଳୟ ପରିସରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆନୁଷ୍ଠାନିକ ଭାବେ ଏହି ପରୀକ୍ଷା ଫଳ ଘୋଷଣା କରିଛନ୍ତି ।
ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ ପରୀକ୍ଷାର୍ଥୀମାନଙ୍କୁ ଅଲଟରନେଟିଭ୍ ଆସେସ୍ମେଣ୍ଟ ସ୍କିମ୍ ଅନୁଯାୟୀ ମାର୍କ ପ୍ରଦାନ କରାଯାଇଛି । କୌଣସି ପରୀକ୍ଷାର୍ଥୀଙ୍କର ଫଳରେ ତଥ୍ୟ-ଆଧାରିତ କୌଣସି ତ୍ରୁଟି ଥିଲେ, ସଂପୃକ୍ତ ପରୀକ୍ଷାର୍ଥୀ ଉପଯୁକ୍ତ ପ୍ରମାଣ ସହ ନିଜର ଅଭିଯୋଗ କଲେଜ୍ର ଅଧ୍ୟକ୍ଷଙ୍କ ନିକଟରେ ଦାଖଲ କରିପାରିବେ ।
ଅଧ୍ୟକ୍ଷ ଉକ୍ତ ଅଭିଯୋଗର ସତ୍ୟାସତ୍ୟ ଯାଞ୍ଚ କରିବା ପରେ ଅଭିଯୋଗ ସତ୍ୟ ହୋଇଥିଲେ ମାର୍କସିଟ୍ ଓ ଅନ୍ୟାନ୍ୟ ପ୍ରମାଣଗତ ଦସ୍ତାବିଜ୍କୁ ଆଟେଷ୍ଟେଡ୍ କରି ଫରୱାର୍ଡିଂ ଲେଟର ସହ ପରୀକ୍ଷା ନିୟନ୍ତ୍ରକଙ୍କ ନିକଟରେ ଅନ୍ଲାଇନ୍ରେ ଦାଖଲ କରିପାରିବେ । ଏ ସଂକ୍ରାନ୍ତରେ ବିଜ୍ଞପ୍ତି ଅଗଷ୍ଟ ୬ ତାରିଖ ମଧ୍ୟରେ ପ୍ରକାଶ ପାଇବ ବୋଲି ମନ୍ତ୍ରୀ ଶ୍ରୀ ଦାସ ପ୍ରକାଶ କରିଛନ୍ତି ।
ଯେଉଁ ପରୀକ୍ଷାର୍ଥୀ ପୂର୍ବରୁ କାଉନ୍ସିଲ୍ର କୌଣସି ବାର୍ଷିକ ପରୀକ୍ଷା ଦେଇ ନାହାନ୍ତି, ସେମାନଙ୍କର ପରୀକ୍ଷା ଫଳ ସ୍ଥଗିତ ରଖାଯାଇଛି । ସେମାନେ ଅଫ୍ଲାଇନ୍ ମୋଡ୍ରେ ପରୀକ୍ଷା ଦେଇପାରିବେ । ଯେଉଁ ପରୀକ୍ଷାର୍ଥୀମାନେ ଅଲଟର୍ନେଟିଭ୍ ଆସେସ୍ମେଣ୍ଟ ସ୍କିମ୍ ଅନୁସାରେ ପ୍ରଦତ୍ତ ମାର୍କରେ ସନ୍ତୁଷ୍ଟ ନୁହଁନ୍ତି, ସେମାନେ ଇଚ୍ଛାକଲେ ଅଫ୍ଲାଇନ୍ ମୋଡ୍ରେ ପରୀକ୍ଷା ଦେଇପାରିବେ । ଅଫ୍ଲାଇନ୍ ମୋଡ୍ରେ ପରୀକ୍ଷା ସଂପର୍କିତ ସୂଚନା ଓ ବିଜ୍ଞପ୍ତି ପରବର୍ତ୍ତୀ ସମୟରେ ପ୍ରକାଶ ପାଇବ ।
ବିଭାଗୀୟ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଏହି ଅବସରରେ କହିଛନ୍ତି ଯେ ଚଳିତ ବର୍ଷ ବିଜ୍ଞାନରେ ୯୪,୫୩୨ ଜଣ ବିଦ୍ୟାର୍ଥୀ ପଂଜୀକୃତ ହୋଇଥିବାବେଳେ ସେଥି ମଧ୍ୟରୁ ୮୯,୯୫୧ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ଓ ଏଥି ମଧ୍ୟରେ ୫୦,୧୯୮ ଜଣ ଛାତ୍ର ଏବଂ ୩୯,୭୫୩ ଜଣ ଛାତ୍ରୀ ଅନ୍ତର୍ଭୁକ୍ତ ହୋଇଛନ୍ତି । ଚଳିତ ବର୍ଷ ବିଜ୍ଞାନ ବିଷୟରେ ପାସ୍ ହାର ୯୫.୧୫ ପ୍ରତିଶତ ରହିଛି ।
ସେହିପରି ବାଣିଜ୍ୟରେ ୨୪,୫୨୬ ଜଣ ପଂଜୀକୃତ ହୋଇଥିବାବେଳେ ସେଥି ମଧ୍ୟରୁ ୨୩,୨୯୨ ଜଣ ପାସ୍ କରିଛନ୍ତି । ସେମାନଙ୍କ ମଧ୍ୟରେ ୧୪,୭୫୭ ଜଣ ଛାତ୍ର ଥିବାବେଳେ ୮,୫୩୫ ଜଣ ଛାତ୍ରୀ ରହିଛନ୍ତି । ଚଳିତ ବର୍ଷ ବାଣଜ୍ୟ ବିଷୟରେ ପାସ୍ ହାର ୯୪.୯୬ ପ୍ରତିଶତ ରହିଛି ।
ଏହି ଅବସରରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଡ. ଗଙ୍ଗାଧର ସାହୁ, ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଶୁଭଶ୍ରୀ ନନ୍ଦ, ଉପାଧ୍ୟକ୍ଷ ତୁଷାରକାନ୍ତି ତ୍ରିପାଠୀ, ସଚିବ ଶ୍ରୀମତୀ ନିୟତି ପଟ୍ଟନାୟକ, ପରୀକ୍ଷା ନିୟନ୍ତ୍ରକ ଡ. ବିଜୟ କୁମାର ସାହୁ, ସହକାରୀ ସଚିବ ଶ୍ରୀ ଚିନ୍ତନ ବ୍ରହ୍ମା ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed.