ଭୁବନେଶ୍ୱର : ଓଡ଼ିଆ ସିନେ ଜଗତ ସ୍ତବ୍ଧ । ଆଉ ନାହାନ୍ତି ଓଡ଼ିଆ ସିନେମାର କିମ୍ବଦନ୍ତୀ ପୁରୁଷ ଉତ୍ତମ ମହାନ୍ତି । ସେ ଥିଲେ ଓଡ଼ିଆ ସିନେମାର ‘ଦଣ୍ଡାବାଳୁଙ୍ଗା’ ତାଙ୍କ ଅଭିନୀତ ସିନେମା ଗୁଡିକ ‘ତୁଣ୍ଡବାଇଦ’ ପରି ବ୍ୟାପି ଯାଇ କେତେବେଳେ ‘ଉଦଣ୍ଡି ସୀତା’ହୁଅନ୍ତି ତ ପୁଣି କେତେବେଳେ ‘ଝିଅଟି ସୀତା ପରି’ ହୋଇଥାନ୍ତି । ପୁଣି ସେ କେତେବେଳେ ‘ଅଭିମାନ’କରି ଓଡ଼ିଆ ସିନେମାରେ ନିଜର ‘ଅଭିଳାଷ’ ପୂରଣ କରି ‘ଫୁଲ ଚନ୍ଦନ’ପରି ମହକି ଥାଆନ୍ତି । ଏହାପରେ ଓଡ଼ିଆ ସିନେମାରେ ତାଙ୍କ କ୍ୟାରିଅର ‘ସୁନା ଚଢେଇ’ ପରି ଉଡି ଚାଲିଥିବାବେଳେ ‘ଶଙ୍ଖ ମହୁରୀ’ ବଜାଇ ‘ପତିପତ୍ନୀ’ଭାବରେ ଓଡ଼ିଆ ସିନେମାର ଅନିନ୍ଦ୍ୟ ସୁନ୍ଦରୀ ହିରୋଇନ ଅପରାଜିତାଙ୍କ ହାତ ଧରନ୍ତି । ଏହାପରେ ‘ଜ୍ଵାଇଁପୁଅ’ ହୋଇ ‘ସରପଞ୍ଚ ବାବୁ’ସାଜି ରାଜ କରୁଥିବାବେଳେ ଆଉ ପଛକୁ ଫେରି ନାହାନ୍ତି ଉତ୍ତମ । ଶେଷରେ ଗୁରୁବାର ବିଳମ୍ବିତ ରାତିରେ ସବୁଦିନ ପାଇଁ ‘ବିଦ୍ୟାରାଣ’ ପକାଇ ଚାଲିଯାଇଛନ୍ତି ଅଭିନୟ ଜଗତର ଧ୍ରୁବତାରା ଉତ୍ତମ ମହାନ୍ତି । ଆଜି ଏହି ବର୍ଷିଆନ ଅଭିନେତାଙ୍କୁ ହରାଇ ମୁରବି ଶୂନ୍ୟ ହୋଇ ଯାଇଛି ଓଡ଼ିଆ ସିନେମା ଜଗତ । ତାଙ୍କର ଅକାଳ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ,କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ।
ଓଡ଼ିଶାର ପ୍ରସିଦ୍ଧ ତଥା ଲୋକପ୍ରିୟ ଅଭିନେତା ଉତ୍ତମ ମହାନ୍ତିଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ। ତାଙ୍କର ବିୟୋଗ ଓଡ଼ିଆ କଳା ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ଓଡ଼ିଆ କଳା ଜଗତରେ ସେ ଛାଡିଯାଇଥିବା ଅଭିନୟର ଛାପ ତାଙ୍କୁ ସର୍ବଦା ଦର୍ଶକଙ୍କ ହୃଦୟରେ ଅମର କରି ରଖିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଉଛି ।
https://x.com/MohanMOdisha/status/1895184148970574297
ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତିଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହିତ ତାଙ୍କ ପୁଅ ତଥା ଅଭିନେତା ବାବୁସାନ୍ଙ୍କ ସହିତ ଫୋନ୍ରେ କଥା ହୋଇ ସମବେଦନା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ୱର୍ଗତ ଉତ୍ତମଙ୍କ ସହିତ ଅତ୍ୟନ୍ତ ଭଲ ସମ୍ପର୍କ ଥିଲା । ତାଙ୍କ ଅନେକ ସିନେମା ତାଙ୍କୁ ପ୍ରଭାବିତ କରିଛି । ତାଙ୍କ ମରଶରୀର ନୂଆଦିଲ୍ଲୀରୁ ଭୁବନେଶ୍ୱର ଆସିବା ଦିଗରେ ସମସ୍ତ ସହଯୋଗ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇଥିଲେ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ମୁଖମନ୍ତ୍ରୀ ବାବୁସାନଙ୍କୁ କହିଥିଲେ । ବିଳମ୍ବିତ ରାତିରେ ଏହି ଦୁଃଖଦ ଖବର ପ୍ରକାଶିତ ହେବା ପରେ ଓଡ଼ିଆ ସିନେମା, ସଂସ୍କୃତି ସମେତ ବିଭିନ୍ନ ଜଗତରେ ଶୋକର ଛାୟା ଖେଳି ଯାଇଛି ।
ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍ତମ ମହାନ୍ତିଙ୍କ ବିୟୋଗରେ ଶୋକ ପ୍ରକାଶ କରି କହିଛନ୍ତି ଓଡ଼ିଶାର ବିଶିଷ୍ଟ ଅଭିନେତା ତଥା ଓଡ଼ିଆ ଚଳଚ୍ଚିତ୍ର ଜଗତର ଚିର ସବୁଜ ନାୟକ ଉତ୍ତମ ମହାନ୍ତିଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ସେ କେବଳ କଳାକାର ନୁହେଁ ବରଂ ମୋର ପରିବାରର ଜଣେ ସଦସ୍ୟ ପରି ଥିଲେ । ଲମ୍ବା ସମୟ ଧରି ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ପରିପୁଷ୍ଟ କରିବାରେ ତାଙ୍କର ଯୋଗଦାନ ଥିଲା ଅତୁଳନୀୟ । ରାମାୟଣ, ଫୁଲଚନ୍ଦନ, ସୀତା ପରି ଝିଅଟିଏ ଆଦି ସୁପରହିଟ୍ ଚଳଚ୍ଚିତ୍ର ତାଙ୍କର ଅନନ୍ୟ କୃତି ।
ଓଡ଼ିଆ ଜନମାନସରେ ନିଖୁଣ ଓ ଜୀବନ୍ତ ଅଭିନୟ ତାଙ୍କୁ ଘରେ ଘରେ ଲୋକପ୍ରିୟ କରାଇଥିଲା । ତାଙ୍କ ବିୟୋଗରେ ଓଡ଼ିଶାର କଳା ଜଗତରେ ଏକ ଶୂନ୍ୟସ୍ଥାନ ତିଆରି ହୋଇଛି । ଓଡ଼ିଶା ଜଣେ ଯୋଗଜନ୍ମାଙ୍କୁ ହରାଇଲା । ସେ ଦୀର୍ଘ ଦିନ ପାଇଁ ଓଡ଼ିଆଙ୍କ ମନରେ ରାଜ କରିବେ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି ।
ସେହିପରି ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, “ଓଡ଼ିଆ ଚଳଚ୍ଚିତ୍ର ଜଗତର ସର୍ବାଧିକ ଲୋକପ୍ରିୟ କଳାକାର ଉତ୍ତମ ମହାନ୍ତିଙ୍କ ପରଲୋକ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ । ତାଙ୍କର ଜୀବନ୍ତ ଅଭିନୟ ମାଧ୍ୟମରେ ଓଡ଼ିଶାବାସୀଙ୍କ ହୃଦୟରେ ସେ ଯେଉଁ ସ୍ଥାନ ଅଧିକୃତ କରିଛନ୍ତି ତାହା ଚିର କାଳ ପାଇଁ ଅମର । ଓଡ଼ିଶାରେ ଚଳଚ୍ଚିତ୍ର ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନର ଏକ ଖୋରାକ୍ ଯୋଗାଇଥିଲା ତାଙ୍କ ଅଭିନୟ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଦିବଙ୍ଗତ ଆତ୍ମାଙ୍କ ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ହୃଦୟରୁ ସମବେଦନା ଜଣାଉଛି”। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ, କ୍ରୀଡ଼ା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ତାଙ୍କ ପରଲୋକରେ ଶୋକବ୍ୟକ୍ତ କରିଛନ୍ତି ।
ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି, “ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ତଥା କିମ୍ବଦନ୍ତୀ ଅଭିନେତା ଉତ୍ତମ ମହାନ୍ତିଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। କଳା ଜଗତରେ ଏହା ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ଅନେକ ଚଳଚ୍ଚିତ୍ରରେ ସେ ଛାଡ଼ି ଯାଇଥିବା ଛାପ ଲୋକଙ୍କ ହୃଦୟରେ ତାଙ୍କୁ ଚିର ଅମର କରି ରଖିବ। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି”।