କେନ୍ଦ୍ରାପଡା ର ତିନିମୁହାଣି ବଜାର କମିଟିର ସଭାପତି ବାବୁଲି ମହାରଣାଙ୍କୁ ହତ୍ୟା ଉଦ୍ୟମ ମାମାଲା : ୫ଗିରଫ

କେନ୍ଦ୍ରାପଡ଼ା: (ସ ପ୍ର ଜୁଲାଇ ୨୭: କେନ୍ଦ୍ରାପଡା ଧର୍ମଜାଗରଣ ସେନାର ଯୁଗ୍ମ ସଂଯୋଜକ ତଥା ତିନିମୁହାଣି ବଜାର କମିଟିର ସଭାପତି ବାବୁଲି ଓରଫ ବିବେକାନନ୍ଦ ମହାରଣାଙ୍କୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ କେନ୍ଦ୍ରାପଡା ସଦର ଥାନା ପୋଲିସ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛନ୍ତି । କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବାରିମୂଳ କାରାଗାରକୁ ପଠାଇ ଦିଆଯାଇଛି । ଏସମ୍ପର୍କରେ କେନ୍ଦ୍ରାପଡା ଏସପି ମଡକର ସମ୍ବିତ ସମ୍ପଦ ସଦର ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ ଆହୂତ କରିଥିଲେ ।

ଏସପି ସୂଚନା ଦେଇଥିଲେ ଯେ ଚଳିତବର୍ଷ ଜୁଲାଇ ୧୪ତାରିଖରେ ବାବୁଲି ମହାରଣାଙ୍କୁ କେନ୍ଦ୍ରାପଡା – ଇନ୍ଦୁପୁର ରାସ୍ତାରେ ଥିବା ବାବୁଲିର “ସ୍ୱରାଜ” ଟ୍ରାକ୍ଟର ସୋରୁମରେ ଥିବା ବେଳେ ୨ଜଣ ଅଜଣା ଯୁବକ ତାଙ୍କୁ ଦେଖା କରିବାକୁ ଆସିଥିଲେ । କିନ୍ତୁ ବାବୁଲିର ନିରାପତ୍ତାରକ୍ଷୀ ତାଙ୍କୁ ସନ୍ଦେହ କରି ସୋରୁମ ଫାଟକ ପାଖରେ ଅଟକାଇ ସେମାନେ କାହିଁକି ବାବୁଲିକୁ ଦେଖା କରିବାକୁ ଚାହୁଁଛନ୍ତି ତାହା ଜାଣିବାକୁ ଚାହିଁଥିଲେ । ଏଥିରେ କ୍ଷୁବ୍ଧ ହୋଇ ସେହି ଦୁଇଜଣ ଯୁବକ ନିରାପତ୍ତାରକ୍ଷୀକୁ ଠେଲାପେଲା କରିବା ସହ ନିରାପତ୍ତାରକ୍ଷୀଙ୍କ ଉପରକୁ ସେମାନଙ୍କ ମଧ୍ୟରୁ ଜଣେ ନିଜ ପାଖରେ ଥିବା ବନ୍ଧୁକରୁ ଗୁଳି ଚଳାଇବାକୁ ଉଦ୍ୟମ କରିବାରେ ନିରାପତ୍ତାରକ୍ଷୀ ସେମାନଙ୍କ ଉପରେ ପାଲଟା ଗୁଳି ଚଳାଇଥିଲେ । ଗୋଟିଏ ଗୁଳି ଜଣେ ଅଭିଯୁକ୍ତଙ୍କ ଦେହରେ ବାଜିଥିଲା ।

କେନ୍ଦ୍ରାପଡା ଏସଡିପିଓ ରାଜୀବଲୋଚନ ପଣ୍ଡାଙ୍କ ନେତୃତ୍ୱରେ ଗଠିତ ପୋଲିସର ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ପକ୍ଷରୁ ତଦନ୍ତ କରାଯିବା ପରେ ଆଜି ସୁଦ୍ଧା ୫ଜଣଙ୍କୁ ଗିରଫ କରାଯାଇଛି । ସେହି ଗ୍ୟାଙ୍ଗର ଅନ୍ୟମାନଙ୍କୁ ଗିରଫ କରାଯିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି । ଅଭିଯୁକ୍ତମାନଙ୍କ ଠାରୁ ଗୋଟିଏ ବନ୍ଧୁକ, ଗୋଟିଏ କାର, ଗୋଟିଏ ବୋଲେରୋ, ଗୋଟିଏ ଆପାଚି ବାଇକ, ଗୋଟିଏ ପଲସର ବାଇକ ସମେତ ୭ଟି ମୋବାଇଲ ଜବତ କରାଯାଇଥିବା ସୂଚନା ଦିଆଯାଇଛି । ଜଣେ ଅଭିଯୁକ୍ତ ନିରାପତ୍ତାରକ୍ଷୀର ଗୁଳିମାଡରେ ଆହତ ହୋଇ ଅସୁରେଶ୍ୱରସ୍ଥିତ ସାହା ଘରୋଇ ହସପିଟାଲରେ ଚିକିତ୍ସିତ ହୋଇଥିବାରୁ ଏବଂ ସଂପୃକ୍ତ ହସପିଟାଲ ଏ ସମ୍ପର୍କରେ ପୋଲିସକୁ ଜଣାଇନଥିବାରୁ ସେହି ଡାକ୍ତରଖାନାକୁ ପୋଲିସ ପକ୍ଷରୁ ସିଲ କରିଦିଆଯାଇଥିବା ସୂଚନା ଦିଆଯାଇଛି ।
ସୂଚନା ଯୋଗ୍ୟ ଯେ ୨୦୧୯ମସିହାରେ ବାବୁଲି ମହାରଣା ଙ୍କ ଉପରେ ଗୁଲନଗର ଦଣ୍ଡାମୁଣ୍ଡ ଛକ ନିକଟରେ କେତେକ ଦୁର୍ବୁତ ଗୁଳିକରି ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲେ । ବାବୁଲିକୁ ଗୁରୁତ୍ତର ଆହତ ଅବସ୍ଥାରେ ପ୍ରଥମେ କେନ୍ଦ୍ରାପଡା ଜିଲ୍ଲା ମୁଖୟ ଚିକିତ୍ସାଳୟ ଓ ପରେ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେହି ମାମଲାରେ ୧୦ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା ।

Comments are closed.