କେନ୍ଦ୍ରୀୟ ସଂସ୍ଥାର ଅପବ୍ୟବହାର ଅଭିଯୋଗରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ ୧୪ ବିରୋଧୀ ଦଳ
ଏପ୍ରିଲ ୫ରେ ଶୁଣାଣି
ନୂଆଦିଲ୍ଲୀ, ୨୪/୩ : କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଅପବ୍ୟବହାର ହେଉଥିବା ଅଭିଯୋଗ କରି ୧୪ଟି ବିରୋଧୀ ଦଳ ଆଜି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। କଂଗ୍ରେସ ନେତୃତ୍ବରେ ୧୪ଟି ବିରୋଧୀ ଦଳ ଆଜି ସୁପ୍ରିମକୋର୍ଟରେ ଏକ ଆବେଦନ କରି କହିଛନ୍ତି ଯେ ଇଡି ଏବଂ ସିବିଆଇ ପରି କେନ୍ଦ୍ରୀୟ ସଂସ୍ଥା ଗୁଡ଼ିକ କେବଳ ବିଜେପିର ପ୍ରତିଦ୍ବନ୍ଦ୍ବୀଙ୍କୁ ଟାର୍ଗେଟ୍ କରୁଛନ୍ତି। ଅନ୍ୟ ଦଳର ନେତା ବିଜେପିରେ ଯୋଗ ଦେବାପରେ ସେମାନଙ୍କ ବିରୋଧରେ ଥିବା ମାମଲା ହଟାଯାଉଛି ବୋଲି ଅଭିଯୋଗରେ ଦର୍ଶାଯାଇଛି। କିନ୍ତୁ ବିଜେପି ଏଭଳି ଅଭିଯୋଗକୁ ଖଣ୍ଡନ କରିଛି। କେନ୍ଦ୍ରୀୟ ସଂସ୍ଥା ଗୁଡ଼ିକ ନିରପେକ୍ଷ ଭାବେ କାମ କରୁଛନ୍ତି ବୋଲି ବିଜେପି କହିଛି। ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଏହି ଆବେଦନ ଉପରେ ଆସନ୍ତା ଏପ୍ରିଲ ୫ ତାରିଖରେ ଶୁଣାଣି କରିବେ ବୋଲି କହିଛନ୍ତି। ବରିଷ୍ଠ ଆଇନଜୀବୀ ମନୁ ସିଂଘଭି ଆଜି କୋର୍ଟରେ କହିଥିଲେ ଯେ ବିରୋଧୀ ନେତାଙ୍କ ବିରୋଧରେ ୯୫ ପ୍ରତିଶତ ମାମଲା ରୁଜୁ ହେଉଛି। କଂଗ୍ରେସ, ଟିଏମ୍ସି, ଆପ୍, ଜେଡିୟୁ, ବିଆର୍ଏସ, ଆରଜେଡି, ସମାଜବାଦୀ ପାର୍ଟି, ଶିବସେନା (ଉଦ୍ଧବ ଠାକ୍ରେ ମେଣ୍ଟ) , ନେସନାଲ କନଫରେନ୍ସ, ନେସନାଲିଷ୍ଟ କଂଗ୍ରେସ ପାର୍ଟି, ବାମଦଳ ଏବଂ ଡିଏମ୍କେ ଦଳ ପକ୍ଷରୁ ସୁପ୍ରିମକୋର୍ଟରେ ଏହି ଆବେଦନ ହୋଇଛି।
Comments are closed.