କ୍ରୀଡା ଭାଷାର ସୌଦାଗର

ରିପୋର୍ଟ: ଶକ୍ତି ପ୍ରକାଶ ନନ୍ଦ
ଭୁବନେଶ୍ୱର: ମେ ୨୮:ସଫଳ କ୍ରୀଡାବିତ୍‌ ହେବାକୁ ଅନେକ ସ୍ୱପ୍ନ ଦେଖନ୍ତି । ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ମେଡ଼ାଲ ଜିତିବାର ଭୋକ୍‌ କ୍ରୀଡାବିତଙ୍କୁ ମତୁଆଲା କରିଦିଏ । ହେଲେ କ୍ରୀଡା ଓ କ୍ରୀଡାବିତ୍‌ଙ୍କ ସଫଳତାକୁ ଶବ୍ଦ ସଂଯୋଜନାରେ ଜୀବନ୍ତ କରିଥାନ୍ତି ଭାଷ୍ୟକାର । ଆଜିକାଲି କ୍ରୀଡାବିତ୍‌ ଭାଷ୍ୟକାର ବନୁଥିବାର ନଜିର ରହିଛି । ହେଲେ ଓଡ଼ିଆ ପୁଅ ଚିରଞ୍ଜୀବୀ ଜଣେ ସଫଳ କ୍ରୀଡାବିତ୍‌ ନୁହଁନ୍ତି କିନ୍ତୁ ଜଣେ ସଫଳ ଭାଷ୍ୟକାର । ୨୦୧୧ରୁ ଅଦ୍ୟାବଧି ବହୁ ସଂଖ୍ୟାରେ ଜାତୀୟ ତଥା ଅନ୍ତର୍ଜାତୀୟ ମ୍ୟାଚ୍‌କୁ ସୁନ୍ଦର ଭାବେ ଉପସ୍ଥାପନ କରି ଶ୍ରୋତାଙ୍କ ହୃଦୟ ଜିତିଛନ୍ତି । ଇଚ୍ଛା ଥିଲା ଡାକ୍ତରୀ ପଢ଼ିଥାନ୍ତେ । କିନ୍ତୁ ଭାଷ୍ୟକାର ହୋଇଗଲେ । ତାଙ୍କର ଏହି ସଫଳତା ଅନେକ ଓଡ଼ିଆ ଯୁବକଙ୍କ ପାଇଁ ପ୍ରେରଣାଉସି ହେବ । କଟକ ତୁଳସୀପୁର ପୋଲିସ୍‌ କଲୋନୀର ଚିରଞ୍ଜୀବୀଙ୍କ ଭାଷ୍ୟକାର ଜୀବନ ସମ୍ପର୍କରେ…
କ୍ରୀଡା ଭାଷାର ସୌଦାଗରଘରେ ବାପା, ଦାଦା ସମସ୍ତେ ଖେଳପ୍ରିୟ । ବାପା ସତ୍ୟନାରାୟଣ ବ୍ୟାଙ୍କ ଚାକିରି ସାଙ୍ଗକୁ ଯୁବାବସ୍ଥାରେ ଖେଳକୁଦ ସହ ଜଡ଼ିତ ଥିଲେ । ୩ ଜଣ ଦାଦା ମଧ୍ୟ କ୍ରୀଡାରେ ପାରଙ୍ଗମ । ତେଣୁ ପିଲାବେଳୁ ଚିରଞ୍ଜୀବୀଙ୍କୁ ଖେଳ କୁଦ ଆଡେ ମୁହæôଇବାର ଭଲ ପ୍ଲାଟଫର୍ମ ମିଳିଯାଇଥିଲା । ଟିଭିରେ କ୍ରିକେଟ୍‌ ଦେଖିବା ଓ ଟିଭିକୁ ମୁ୍ୟଟ୍‌ କରି କମେଣ୍ଟି୍ର କରିବାର ସଉକ ପିଲାଦିନୁ ଥିଲା । କଲେଜ ପଢ଼ା ବେଳେ କଲୋନୀରେ ଅନୁଷ୍ଠିତ ରାତ୍ରିକାଳୀନ କ୍ରିକେଟ୍‌ରେ ତାଙ୍କୁ ଭାଷ୍ୟକାର ହେବାର ସୁଯୋଗ ମିଳିଥିଲା । ଭାଷ୍ୟକାରଙ୍କ ବିବରଣୀ ପ୍ରଦାନ କରିବାର କୌଶଳ ଶ୍ରୋତାଙ୍କୁ ଆନନ୍ଦିତ କରିଥାଏ । ସମସ୍ତଙ୍କ ପକ୍ଷେ ଏହି କାର୍ଯ୍ୟ କରିବା ସମ୍ଭବ ହୋଇନଥାଏ । ଚିରଞ୍ଜୀବୀ ଏକ ଘରୋଇ ଚ୍ୟାନେଲରେ ପ୍ରସାରିତ ‘ହର୍ଷ କି ଖୋଜ୍‌’ ରିଆଲିଟି ଶୋ’ରେ ଓଡ଼ିଶାର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟ୍‌ ଭାଷ୍ୟକାର ନିଶାନ୍ତ ମାଜିଟିଆଙ୍କ ସଫଳତାରେ ଅନୁପ୍ରାଣିତ ହୋଇଥିଲେ । ବିଶ୍ୱର ସର୍ବକନିଷ୍ଠ ଅନ୍ତର୍ଜାତୀୟ କ୍ରିକେଟ୍‌ ଭାଷ୍ୟକାର ଭାବେ ନିଶାନ୍ତ ପ୍ରତିଷ୍ଠା ଲାଭ କରିବା ପରେ ଚିରଞ୍ଜୀବୀ ଏହି ଦୁନିଆରେ ପାଦ ଥାପି ଥିଲେ । ନିଶାନ୍ତ, ଶୀର୍ଷେନ୍ତୁ ରାୟ, କୁମାର ଅଭିଶେଖ ଦାସଙ୍କ ପ୍ରେରଣାରେ କ୍ରିକ୍‌ ବଜ୍‌ରେ ଧାରାବିବରଣୀ ଦେବା କାର୍ଯ୍ୟ ଆରମ୍ଭ କରିଥିଲେ । କଟକ ବକ୍ସି ବଜାରରେ ୨୦୦୭ରୁ ୨୦୧୬ ପର୍ଯ୍ୟନ୍ତ କ୍ରିକ୍‌ ବଜ୍‌ର ଷ୍ଟୁଡିଓ ଥିଲା । ଏଇଠୁ ଅନେକ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଚିରଞ୍ଜୀବୀ କମେଣ୍ଟି୍ର କରିବାର ସୌଭାଗ୍ୟ ଅର୍ଜନ କରିଥିଲେ । ଏହା ସହ ଓଡ଼ିଶାରେ ଅନୁଷ୍ଠିତ କ୍ଲବ୍‌ସ୍ତରୀୟ କ୍ରିକେଟ୍‌ରେ କମେଣ୍ଟ୍ରି ସାଙ୍ଗକୁ ପିଭିଆର୍‌ ମୂର୍ତ୍ତି କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ତାଙ୍କ ପାଇଁ ସ୍ମରଣୀୟ ଘରୋଇ ପ୍ରତିଯୋଗିତା ଥିଲା । ତା’ପରେ ୨୦୧୩ ଓଡ଼ିଶା ପ୍ରିମିୟର ଲିଗ୍‌ ଭାଷ୍ୟକାର ଦାୟିତ୍ୱ ତୁଳାଇ ପେସାଦାର ଜୀବନ ଆରମ୍ଭ କରିଥିଲେ ।ରଞ୍ଜୀବୀ କୁହନ୍ତି, ଯେ କେହିବି କମେଣ୍ଟ୍ରି ଆରମ୍ଭ କରନ୍ତି ସମସ୍ତଙ୍କର ଇଚ୍ଛା ଥାଏ ଦିନେ ନା ଦିନେ ଟେଲିଭିଜନରେ କ୍ରିକେଟ୍‌ କମେଣ୍ଟ୍ରି କରିବେ । ମୁଁ ମଧ୍ୟ ସମାନ ଆଶା ନେଇ ଭାଷ୍ୟକାର ଜୀବନ ଆରମ୍ଭ କରିଥିଲି । ଟିଭିରେ ଇଣ୍ଡିଆ ମ୍ୟାଚ୍‌ର ଲାଇଭ କମେଣ୍ଟି୍ର କରିବାକୁ ଇଚ୍ଛା କରିଥିଲି । ଏବେବି ସମାନ ଇଚ୍ଛା ଅଛି । କି;ୁ ଏବେ ତା’ଠୁ ଅଧିକ ଜରୁରୀ ହୋଇଯାଇଛି, କିଭଳି କ୍ରିକେଟ୍‌ ବ୍ୟତୀତ ଅନ୍ୟ ସ୍ପୋର୍ଟ୍ସକୁ ପ୍ରମୋସନ ମିଳିବ । ଯେଉଁଥି ପାଇଁ ମୁଁ ଓଡ଼ିଶା କ୍ରିକ୍‌ ନୁ୍ୟଜ୍‌ ଭଳି କଳିଙ୍ଗ ହକି ଷ୍ଟାଡିୟମ ନæôରେ ଥିବା ଫେସବୁକ୍‌ ପେଜ୍‌କୁ ଚଳାଇଥିଲି । ସୋସିଆ ମିଡିଆରେ ଏବେବି ଏହି ପେଜ୍‌ ଅଛି । ଆହୁରି ମଧ୍ୟ ପି-୩ ସ୍ପୋର୍ଟ୍ସ ନୁ୍ୟଜ୍‌ ପେଜ୍‌ ଆରମ୍ଭ କରିଥିଲୁ । ଓଡ଼ିଶାର ଅଲଗା ସମସ୍ତ ସ୍ପୋର୍ଟ୍ସ ନୁ୍ୟଜକୁ ସୋସିଆଲ ମିଡିଆରେ ପୋଷ୍ଟ କରୁଛି । ତେଣୁ ମୋର ଇଚ୍ଛା ଅଛି ଯେ, ଆଗକୁ ଜଣେ ପେସାଦାର ଭାଷ୍ୟକାର ହେବି । କେବଳ କ୍ରିକେଟ୍‌ ନୁହେଁ ବରଂ ଅନ୍ୟ କ୍ରୀଡାପ୍ରତି ଫୋସକ କରିବାକୁ ଆଶା ରଖିଛି ।

ଓଡ଼ିଆ ପିଲା ହୋଇ ଓଡ଼ିଶା ମାଟିରେ କମେଣ୍ଟି୍ର କରିବାର ସ୍ମୃତି ମଧ୍ୟ ନିଆରା । ଗତ ୨୨ତମ ଏସୀୟ ଦୌଡ଼କୁଦରେ ଭଲ ଅଭିଜ୍ଞତା ହାସଲ କରିଥିଲେ । ନନ କ୍ରିକେଟରେ ଅଲିମ୍ପିକ୍ସ ହେଉଛି ସବୁଠୁ ବଡ ଇଭେଣ୍ଟ । ୨୦୨୦ ଟେକିଓ ଅଲିମ୍ପିକ୍ସ ବାତିଲ ହେବା ଖବରରେ ସେ ଦୁଖୀ ହୋଇପଡିଥିଲେ । ଅଲିମ୍ପିକ୍ସରୁ ଅନେକ କଥା ଶିଖିବାକୁ ମିଳିଥାଏ । ଆଗାମୀ ୪ବର୍ଷ ପରେ ପ୍ୟାରିସ୍‌ରେ ଅଲିମ୍ପିକ୍ସ ହେବ । ଯଦି ସେତେବେଳକୁ ଦକ୍ଷତା ଆହୁରି ମାର୍ଜିତ ହୋଇଥିବ ତେବେ ସୁଯୋଗର ସଦୁପଯୋଗ କରିବେ । ଆଗକୁ ୨୦୨୧ ଫେବୃଆରୀ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ ଆୟୋଜନ ହେବାର ଅଛି । ଯଦି ଭାଷ୍ୟକାର ପାଇଁ ଅଡିସନ ହୁଏ, ତେବେ ବର୍ତ୍ତମାନ କାର୍ଯ୍ୟକରୁଥିବା ଓଡ଼ିଶା ଏଫସି ଅଧିକାରୀଙ୍କ ସହ ଆଲୋଚନା କରି ଅଡିସନ ଦେବା ପାଇଁ ଚିନ୍ତା କରିବେ ବୋଲି ଚିରଞ୍ଜୀବୀ କହିଛନ୍ତି ।
ଭୁଲି ହେବନି ବୋତଲମାଡ
୨୦୧୫ରେ ଭାରତ ଓ ଦ.ଆଫ୍ରିକା ମଧ୍ୟରେ ବାରବାଟୀରେ ଟି-୨୦ ମ୍ୟାଚ୍‌ ଖେଳାଯାଇଥିଲା । ଏହି ମ୍ୟାଚ୍‌ ପାଇଁ ଚିରଞ୍ଜୀବୀଙ୍କୁ ମାଷ୍ଟର ଅଫ ସେରିମନୀ ଦାୟିତ୍ୱ ତୁଲାଇବା ନିମନ୍ତେ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ ତରଫରୁ ସୁଯୋଗ ମିଳିଥିଲା । ସେହି ମ୍ୟାଚ୍‌ ତାଙ୍କ ପାଇଁ ସ୍ମରଣୀୟ । କାରଣ ମ୍ୟାଚ୍‌ ବେଳେ ଉତ୍‌କ୍ଷିପ୍ତ ଦର୍ଶକ ଗ୍ୟାଲେରୀରୁ ପ୍ରବଳ ବୋତଲ ମାଡ କରିଥିଲେ । ଆମକୁ ହିଁ ପ୍ରଥମେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ବାରମ୍ବାର ଅନୁରୋଧ କରିବାକୁ ପଡିଥିଲା । ସେ କେବେ ଭାବି ନଥିଲେ ଯେ, ବାରବାଟୀ ମ୍ୟାଚ୍‌ରେ ଏଭଳି କିଛି ଅପ୍ରୀତିକର ପରିସ୍ଥିତି ଉପୁଜିବ । ମ୍ୟାଚ୍‌ରେ ଭାରତର ପ୍ରଦର୍ଶନ ଖରାପ ଥିଲା । ଦର୍ଶକଙ୍କୁ ଶାନ୍ତ କରାଇବା ପାଇଁ ବାରମ୍ବାର ଅନୁରୋଧ ପରେ ପରିସ୍ଥିତି ସୁଧୁରିି ଥିଲା । ଏହି ମ୍ୟାଚ୍‌ରେ ଦ.ଆଫ୍ରିକା ସହଜସାଧ୍ୟ ବିଜୟ ହାସଲ କରିଥିଲା । ହେଲେ ଓଡ଼ିଶା କ୍ରୀଡା ଇତିହାସ ପାଇଁ ସେଦିନ କଳାଦିନ ଥିଲା ବୋଲି କୁହାଯାଇପାରେ । ଆଉ ଗୋଟିଏ ସ୍ୱପ୍ନ ଅଛି କି ବାରବାଟୀ ଷ୍ଟାଡିୟମରେ ଟେଷ୍ଟ ମ୍ୟାଚ୍‌ ଖେଳାଯାଉ । ମାତ୍ର ୨ଟି ଟେଷ୍ଟ ମ୍ୟାଚ୍‌ ପରେ ଆଉ ବାରବାଟୀକୁ ଆୟୋଜନର ଅଧିକାର ମିଳିନି ।
ନୂଆ ଦାୟିତ୍ୱ ନୂଆ ଚ୍ୟାଲେଞ୍ଜ
ହକି ଇଣ୍ଡିଆ ଲିଗରେ କଳିଙ୍ଗ ଲାର୍ନ୍ସର୍ସ ଓଡ଼ିଶାର ଏକାମାତ୍ର ଦଳ ଥିଲା । କିଛି ବର୍ଷ ହେଲା ଏଚ୍‌ଆଇଏଲ୍‌ ହୋଇନାହିଁ । ତେଣୁ ଆଇଏସଏଲ୍‌ କ୍ଲବ ହିସାବରେ ଓଡ଼ିଶା ଏଫସି ଗତବର୍ଷ ସାମିଲ ହୋଇଛି । ଚିରଞ୍ଜୀବୀଙ୍କୁ ଓଡ଼ିଶା ଏଫ୍‌ସି’ର ମିଡ଼ିଆ ମ୍ୟାନେଜର ଭାବେ କାର୍ଯ୍ୟ କରିବାର ସୁଯୋଗ ମିଳିଛି । ମିଡିଆରେ କାମ କରିବା ଆଉ ମିଡିଆ ମ୍ୟାନେଜମେଣ୍ଟ କରିବା ଭିନ୍ନ କଥା । ସେଇଟା ତାଙ୍କ ପାଇଁ ନୂଆ ଚ୍ୟାଲେଞ୍ଜ । ଗୋଟିଏ ସିଜନ ସରିଛି । ଦଳର ପ୍ରଦର୍ଶନ ମଧ୍ୟ ଭଲ ଥିଲା । ଓଡ଼ିଶାରେ ସମସ୍ତ ଗଣମାଧ୍ୟମର ସମର୍ଥନ ବି ଭଲ ମିଳିଥିଲା । ଗଣମାଧ୍ୟମର ସମର୍ଥନ ମିଳିଲେ କ୍ରୀଡାର ବିକାଶ ବି ସମତୁଲରେ ଆଗେଇ ଚାଲିବ ।

ଜୀବନ କଷ୍ଟ କି;ୁ ଆନନ୍ଦ ଅଛି
ଜୀବନ କଷ୍ଟ କିନ୍ତୁ ଆନନ୍ଦ ଅଛି । ଚିରଞ୍ଜୀବୀ କୁହନ୍ତି, ଯେତେବେଳେ ଭାଷ୍ୟକାର ଜୀବନ ଆରମ୍ଭ କରିଥିଲେ, ଜାଣିଥିଲେ ଯେ, ଦୀର୍ଘ ଦିନ ଯାଏ ସଂଘର୍ଷ କରିବାକୁ ହେବ । ଘରୁ କେବେବି ତାଙ୍କୁ ଚାପ ପକାଯାଇନାହିଁ । ବାପା, ବ୍ୟାଙ୍କରେ ଚାକିରି କରନ୍ତି । ଘରର ସ୍ଥିତି ଭଲ । ତେଣୁ ଚିରଞ୍ଜୀବୀଙ୍କୁ ଆର୍ଥିକ ଅନାଟନର ସମ୍ମୁଖୀନ ହେବାକୁ ପଡ଼ିନାହିଁ । ମଝିରେ କମେଣ୍ଟ୍ରିରୁ କିଛି ଦିନ ଦୂରୋଇ ରହିବାକୁ ପଡିଥିଲା । କ୍ରିକ୍‌ ବଜ୍‌ ରେ ୨୦୧୬ ଯାଏ କାମ କରିବା ପର୍ଯ୍ୟନ୍ତ ସବୁ କିଛି ଠିକ୍‌ ଠାକ୍‌ ଥିଲା । ତା’ ପରେ ଫ୍ରି ଲାନ୍ସିଂ ଆଙ୍କରିଂ କରିବା ଦ୍ୱାରା ମାସରେ ଗୋଟିଏ କିମ୍ବା ଦୁଇଟି ପ୍ରୋଗ୍ରାମ ମିଳୁଥିଲା । ୨୦୧୭ରେ କିଟ୍‌ରେ ଦୃଷ୍ଟିହୀନ ବିଶ୍ୱକପ, ସେହିବର୍ଷ ଜୁଲାଇରେ ଏସୀୟ ଦୌଡ଼କୁଦ, ଆକାବାଣୀର ଯୁବବାଣୀ କାର୍ଯ୍ୟକ୍ରମର ଘୋଷକ ଭାବେ କାର୍ଯ୍ୟ କରିଥିଲେ । ଓଟିଭି, ତା’ପରେ ବାଙ୍ଗାଲୋରରେ ମଧ୍ୟ କିଛି ଦିନ ସଂଘର୍ଷ କରିବାକୁ ପଡିଥିଲା । ଏବେ ଲାଗୁଛି କି ପେଷା ଓ ନିଶା ଠିକ୍‌ ଦିଶାରେ ଚାଲିଛି । ଆଇଏସଏଲରେ ଓଡ଼ିଶା ଏଫସି କ୍ଲବ ହେବା ଓ ତାଙ୍କୁ ସୁଯୋଗ ମିଳିବା ବଡ କଥା । ବାଙ୍ଗାଲୋରରେ ଓଡ଼ିଶା ଏଫସି ମୁଖ୍ୟ ଆଶିଷ ସାରଙ୍କ ସହ ଭେଟଘାଟ ପରେ ଚିରଞ୍ଜୀବୀଙ୍କ ଓଡ଼ିଶା ଫେରିବା ସମ୍ଭବ ହୋଇଥିଲା । ଓଡ଼ିଶା ଏଫ୍‌ସି’ର ମିଡ଼ିଆ ମ୍ୟାନେଜର ପାଇଁ ସାକ୍ଷାତକାରରେ ସେମାନେ ସନ୍ତୋଷବ୍ୟକ୍ତ କରିଥିଲେ ।
ଭାଷ୍ୟକାର ହେବାକୁ ହେଲେ କ୍ରୀଡାକୁ ବୁଝିବା ଦରକାର
ଭାଷ୍ୟକାର ହେବାକୁ ହେଲେ ନିର୍ଦ୍ଦିଷ୍ଟ କ୍ରୀଡାକୁ ଭଲ ଭାବେ ବୁଝିଥିବା ଦରକାର । କୁହାଯାଇପାରେ, ଯଦି ଆପଣା ଜାଣି ନାହାନ୍ତି ହକିରେ ଡେଞ୍ଜର ପ୍ଲେ’ କଣ, ତାହେଲେ ହକିରେ ଆପଣ ଜଣେ ଭଲ ଭାଷ୍ୟକାର ହୋଇପାରିବେ ନାହିଁ । ଯେଉଁ କ୍ରୀଡାରେ ମନୋନିବେଶ କରୁଛନ୍ତି, ସେହି କ୍ରୀଡାର ନିୟମକାନୁନ ସମ୍ପର୍କରେ ସଠିକ୍‌ ଜ୍ଞାନ ରହିବା ଦରକାର । ରେଡିଓ କମେଣ୍ଟ୍ରିରେ ଶ୍ରୋତାଙ୍କୁ ମ୍ୟାଚ୍‌ ବେଳର ଟିଖିନିଖି ତଥ୍ୟ ଦେବାକୁ ହୋଇଥାଏ । ତେଣୁ ଫିଲï ଓ ଗେମ୍ସର ନିୟମ ଭଲ ଭାବେ ଜଣା ନଥିଲେ ଉପସ୍ଥାପନା ତ୍ରୁଟି ରହିବ ଓ ମନଛୁଆଁ ହୋଇପାରିବ ନାହିଁ । ଆହୁରି ମଧ୍ୟ ଭାଷାଜ୍ଞାନର ଆବଶ୍ୟତକା ରହିଛି । ଭଲ ଭାଷାଜ୍ଞାନ ଥିଲେ ଶ୍ରୋତାଙ୍କୁ ବାନ୍ଧି ରଖିବାରେ ସହାୟକ ହୋଇଥାଏ । ଶବ୍ଦ ଓ ସ୍ୱରର ଚାତୁରୀ ଜଣେ ଭାଷ୍ୟକାରକୁ ସଫଳତାରେ ପହଞ୍ଚାଇଥାଏ ।
କ୍ରିକେଟରେ ଭାଷ୍ୟକାର ହେବା ଅତ୍ୟନ୍ତ କଷ୍ଟ । କାରଣ ପୂର୍ବତନ କ୍ରିକେଟରମାନେ ହିଁ, ଭାଷ୍ୟକାର ହେବାକୁ ପସନ୍ଦ କରୁଛନ୍ତି । ଏବେ ସମସ୍ତ କ୍ରିକେଟର ମିଡିଆ ଫ୍ରେଣ୍ଡଲୀ । ଗତ କିଛି ବର୍ଷ ହେବ ଆକାଶ ଚୋପ୍ରା, ସୌରଭ ଗାଙ୍ଗୁଲୀ, ରାହୁଲ ଦ୍ରାବିଡ, ହରଭଜନ ସିଂ, ବୀରେନ୍ଦ୍ର ସେହ୍ୱାଗ, ଭିଭିଏସ୍‌ ଲକ୍ଷ୍ମଣ ମଧ୍ୟ କମେଣ୍ଟ୍ରି କରୁଛନ୍ତି । ଭାରତରେ ସବୁଠୁ ଭଲ କଥା ହେଲା ଅଣ କ୍ରିକେଟ୍‌ କ୍ରୀଡର ଲୋକପ୍ରିୟତା ବଢ଼ୁଛି । ତେଣୁ କ୍ରିକେଟକୁ ବାଦ ଦେଲେ ଅନ୍ୟକ୍ରୀଡାରେ ଭାଷ୍ୟକାର ଭାବେ କ୍ୟାରିୟର କରିହେବ ।
ପିଲାଦିନୁ ଗଣମାଧ୍ୟମ ପ୍ରତି ଦୁର୍ବଳତା ଥିଲା
ପିଲାଦିନୁ ଗଣମାଧ୍ୟମ ପ୍ରତି ତାଙ୍କର ଦୁର୍ବଳତା ଥିଲା । ସ୍ପୋର୍ଟ, ରାଜନୀତି ତଥା ଅନ୍ୟାନ୍ୟ ନୁ୍ୟଜି ଦେଖିବାର ଅହେତୁକ ଆଗ୍ରହ ଥିଲା । ଶିକ୍ଷା ଜୀବନ ସହ କମେଣ୍ଟ୍ରି କରିବା ଧାରା ଜାରି ରହିଥିଲା । ପର୍ଯ୍ୟାୟକ୍ରମେ ଓଡ଼ିଆ, ଇଂରାଜୀ ଓ ହିନ୍ଦୀରେ କିଛି କିଛି ଅଭିଜ୍ଞତା ହାସଲ କରିଥିଲେ । ତେଣୁ ଭାଷ୍ୟକାର ହେବାକୁ ଏସବୁ ଦିଗରୁ ସହାୟତା ମିଳିଥିଲା । ୨୦୧୭ରେ ଓଟିଭିରେ ଚାକିରି ଜୀବନ ଆରମ୍ଭ କରି (ମୋବାଇଲ ଜର୍ଣ୍ଣାଲିଜିମ୍‌) ଇଂରାଜୀ ଭାଷାର ରିପୋର୍ଟର ଭାବେ କାର୍ଯ୍ୟ କରିଥିଲେ । ବାଙ୍ଗାଲୋରରେ ସ୍ପୋର୍ଟ୍ସ କାଫେର ଲାଇଭ୍‌ ବ୍ଲଗିଂରେ ଲିଖିତ କମେଣ୍ଟ୍ରି କରିବାର ନିଆରା ଅନୁଭୁତି ପାଇଥିଲେ । ୨ଟି ସିଜନ ପ୍ରୋ କବାଡି ଲିଗର ଲିଖିତ କମେଣ୍ଟ୍ରି, ହକିରେ ସୁଲତାନ ଆଜଲାନ ଶାହ କପ ଏବଂ ଏଫଆଇଏଚ୍‌ ସିରିଜ୍‌ ଫାଇନାଲ୍ସ(ଜୁନରେ ଭୁବନେଶ୍ୱର)ରେ ମଧ୍ୟ ଗ୍ରାଉଣ୍ଡରୁ ଲିଖିତ କମେଣ୍ଟ୍ରି କରିବାର ସୁଯୋଗ ମିଳିଥିଲା ।

କ୍ରିକ୍‌ ବଜ୍‌ର ଅଡିଓ କମେଣ୍ଟ୍ରି ବନ୍ଦ ହେବାରୁ ଭାଙ୍ଗି ପଡିଥିଲେ
୨୦୧୬ରେ ଓଡ଼ିଶାରୁ କ୍ରିକ୍‌ ବଜ୍‌ର ଅଡ଼ିଓ କମେଣ୍ଟ୍ରି ବନ୍ଦ ହୋଇଯାଇଥିଲା । ସେତେବେଳେ ମନରେ ଥିଲାକି କେବଳ କମେଣ୍ଟ୍ରି କରିବେ । କି;ୁ କ୍ରିକ୍‌ ବଜ୍‌ ବନ୍ଦ ଯୋଗୁଁ ସେ ଭାଙ୍ଗି ପଡିଥିଲେ । ଆଗକୁ କ’ଣ କରିବେ, କଠୋର ନିଷ୍ପତ୍ତି ନେବା ତାଙ୍କ ପାଇଁ ସହଜ ନଥିଲା । ସେତେବେଳେ ଏମଏସି ଶେଷ ହୋଇଥିଲା । ଭାବିଥିଲେ ଭାଷ୍ୟକାର ଜୀବନରେ ପୂର୍ଣ୍ଣଚ୍ଛେଦ ପକାଇ ଦେବେ । ପୁଣି ଜିଓଲୋଜୀରେ ପିଏଚ୍‌ଡି ନା ଜର୍ଣ୍ଣାଲିଜିମ୍‌ ପାଠ୍ୟକ୍ରମରେ ନାମ ଲେଖାଇବେ, ଏପରି ଦ୍ୱନ୍ଦ ତାଙ୍କ ମନକୁ ଆନ୍ଦୋଳିତ କରୁଥିଲା । ଘରେ ସମସ୍ତଙ୍କ ସମର୍ଥନ ମିଳିଥିଲା ଯେ, ଜର୍ଣ୍ଣାଲିଜିମ୍‌ କର । ସେଇଠୁ ଆଉ ସେ ପଛକୁ ଫେରି ଚାହିଁ ନାହାନ୍ତି ।
ଶିକ୍ଷା ଜୀବନ
୧୯୯୩ରେ କଟକରେ ଜନ୍ମ । ଏଇଠି ବଢ଼ିଛନ୍ତି, ଶୈଶବରୁ ଯୁବକ ହୋଇଛନ୍ତି । ସିଡିଏ ଡିଏଭି ପବ୍ଲିକ୍‌ ସ୍କୁଲରୁ ୧୦ମ, ରେଭେନ୍ସାରେ ଣ୍ଟ୨, ବିଏସି, ଏମଏସି ଏବଂ ଭୁବନେଶ୍ୱର ବିଜେବି ସ୍ୱୟଂଶାସିତ କଲେଜରେ ଜର୍ଣ୍ଣାଲିଜିମ୍‌ ପାଠ୍ୟକ୍ରମ ଶେଷ କରିଥିଲେ ।

ହର୍ଷ ଭୋଗଲେ ଆଦର୍ଶ
ଚିରଞ୍ଜୀବୀ କୁହନ୍ତି, ବାପା ତାଙ୍କ ପ୍ରଥମ ଆଦର୍ଶ । ବାପା, ୩ ଦାଦା, ବେଉ, ଜେଜେମା ପ୍ରମୁଖ ସମସ୍ତଙ୍କ ସମର୍ଥନ ମିଳିଛି । ତା‘ପରେ ହର୍ଷ ଭୋଗଲେଙ୍କୁ ଭାଷ୍ୟକାର ଜୀବନର ଆଦର୍ଶ ବୋଲି ମାନନ୍ତି । କାରଣ ଭୋଗଲେ ଜଣେ କ୍ରିକେଟର ନହୋଇ ମଧ୍ୟ ସାରା ବିଶ୍ୱରେ ଖ୍ୟାତନାମା ଭାଷ୍ୟକାର ହେବାର ଗୌରବ ଅର୍ଜନ କରିଛନ୍ତି । ପୂର୍ବତନ କ୍ରିକେଟରମାନେ ସାଧାରଣତଃ ଭାଷ୍ୟକାର ହୋଇଥାନ୍ତି । ସେମାନଙ୍କ ମଧ୍ୟରେ ଭୋଗଲେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ତେଣୁ ତାଙ୍କ କମେଣ୍ଟ୍ରି ହୃଦୟସ୍ପର୍ଶୀ ।

କମେଣ୍ଟ୍ରି ହିଁ ସବୁକିଛି
ତାଙ୍କ ପାଇଁ କମେଣ୍ଟ୍ରି ହିଁ ନିଶା ଆଉ ପେସା । ଭଲ ଭାଷ୍ୟକାର ହେବା ତାଙ୍କର ପ୍ରଥମ ଲକ୍ଷ୍ୟ । କମେଣ୍ଟ୍ରି ବ୍ୟତୀତ, ଖେଳ ଦେଖିବାକୁ ଭଲ ଲାଗେ । ଫୁଟବଲ ଓ କ୍ରିକେଟ ଖେଳୁଥିଲେ । ବାସ୍ତବ ପରିଡାଙ୍କ ସହ ଓଡ଼ିଶା କ୍ରିକ୍‌ ନୁ୍ୟଜ୍‌କୁ ସୋସିଆଲ ମିଡ଼ିଆରେ ଜୀବନ୍ତ ରଖିଛନ୍ତି । ନିଶାନ୍ତ ମାଜିଟିଆ, ଶୀର୍ଷେନ୍ଦୁ ରାୟ ଓ କୁମାର ଅଭିଶେଖ ଦାସ ପ୍ରମୁଖ ତାଙ୍କର ମାର୍ଗଦର୍ଶକ । ଓଡ଼ିଶା କ୍ରୀଡାବିତଙ୍କ ସମ୍ପର୍କରେ ଅନେକଙ୍କୁ ଖୁବ୍‌ କମ୍‌ ଜଣାଅଛି । ତେଣୁ ସୋସିଆଲ ମିଡିଆରେ ରାଜ୍ୟ କ୍ରିକେଟର ଅପଡେଟ୍‌ ଦେବା ପାଇଁ ଏହି ଛୋଟିଆ ପ୍ରାୟାସ ସେ ଆରମ୍ଭ କରିଥିଲେ । ବିଭିନ୍ନ ରଣଜୀ ମ୍ୟାଚ୍‌ର ଲାଇଭ୍‌ ଅପଡେଟ୍ସ, ଖେଳାଳିଙ୍କ ସହ ସାକ୍ଷାତକାର ଆଦି ସୋସିଆଲ ମିଡିଆରେ ଓଡ଼ିଶା କ୍ରିକ୍‌ ନୁ୍ୟଜ୍‌କୁ ଲୋକପ୍ରିୟ କରିପାରିଥିଲା ।

୩ଟି ଭାଷାରେ ଧାରାବିବରଣୀ
ସେ ୩ଟି ଭାଷାରେ ଧାରାବିବରଣୀ ଦେଇଛନ୍ତି । କ୍ରିକ୍‌ ବଜ୍‌ ପାଇଁ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଇଂରାଜୀରେ । ୨୦୧୬ ଟି-୨୦ ବିଶ୍ୱକପ ଓ ୨୦୧୫ ଦିନିକିଆ ବିଶ୍ୱକପରେ ଭାଷ୍ୟକାର ହେବା ତାଙ୍କ ପାଇଁ ସବୁଠୁ ସ୍ମରଣୀୟ ଥିଲା । ତାହା ଛଡା ଦୂରଦର୍ଶନ ପାଇଁ, ଡିଡି ଓଡ଼ିଆ ପାଇଁ ଫୁଟବଲ, ରାଜ୍ୟସ୍ତରୀୟ ନାଲକୋ କପ୍‌ ହକି(୩ଟି ସଂସ୍କରଣ), କିଟ୍‌ରେ ଅନୁଷ୍ଠିତ ଭାରତ-ନୁ୍ୟଜିଲାଣ୍ଡ ମଧ୍ୟରେ ଦୃଷ୍ଟିହୀନ କ୍ରିକେଟ୍‌ ବିଶ୍ୱକପ ମ୍ୟାଚ୍‌କୁ ହିନ୍ଦୀରେ, ୨୦୧୭ ଏସୀୟ ଦୌଡ଼କୁଦ ଆଦିରେ ଭାଷାର ଯାଦୁ ଦେଖାଇବାର ସୌଭାଗ୍ୟ ଅର୍ଜନ କରିଥିଲେ । ବାଂଲାଲୋରରେ (ଭାରତ-ଶ୍ରୀଲଙ୍କା ଦୃଷ୍ଟିହୀନ କ୍ରିକେଟ୍‌ ବିଶ୍ୱକପ ମ୍ୟାଚ୍‌) ଡିଡି ସ୍ପୋର୍ଟ୍ସ ପାଇଁ ହିନ୍ଦୀ ଓ ଇଂରାଜୀ ଭାଷାରେ କମେଣ୍ଟ୍ରି କରିବାର ଅଭିଜ୍ଞତା ରହିଛି । କ୍ରିକ୍‌ ବଜ୍‌ ପାଇଁ ଲିଷ୍ଟ ଏ’-କ୍ରିକେଟ୍‌ ବିଜୟ ହଜାରେ ଟ୍ରଫିରେ ଧାରାବିବରଣୀ ଦେଇଥିଲେ ।

ଅଭୁଲା ଏସୀୟ ଦୌଡ଼କୁଦ
୨୦୧୭ ଏସୀୟ ଦୌଡକୁଦ ପ୍ରତିଯୋଗିତାର ୨୨ତମ ସଂସ୍କରଣ ତାଙ୍କ ପାଇଁ ନିଆରା ଅନୁଭୂତି ଆଣି ଦେଇଛି । ଏହା ତାଙ୍କ କ୍ୟାରିୟର ପ୍ରଥମ ଅନ୍ତର୍ଜାତୀୟ ଦୌଡକୁଦ ପ୍ରତିଯୋଗିତାରେ ଭାଷ୍ୟକାର ଜୀବନର ପଦାର୍ପଣ ଥିଲା । ରାଜ୍ୟ ପାଇଁ ତଥା ତାଙ୍କ ପାଇଁ ଏସୀୟ ଦୌଡକୁଦର ପ୍ରାଧାନ୍ୟ ଢ଼େର ଅଧିକ ଥିଲା । ଦୃଷ୍ଟିହୀନ ବିଶ୍ୱକପର ଗୋଟିଏ ମ୍ୟାଚ୍‌ (ଭାରତ-ନୁ୍ୟଜିଲାଣ୍ଡ) ହିନ୍ଦୀରେ କମେଣ୍ଟ୍ରି କରିଥିଲେ ମଧ୍ୟ ଏସୀୟ ଦୌଡକୁଦରେ ଜୀବନ୍ତ ଧାରାବିବରଣୀ ସାଙ୍ଗକୁ ଦିଲ୍ଲୀରୁ ଆସିଥିବା ଦୂରଦର୍ଶନ ଭାଷ୍ୟକାରଙ୍କ ସହ କାମ କରିବା ବଡ ଚ୍ୟାଲେଞ୍ଜ ଥିଲା । ଏହି ପ୍ରତିଯୋଗିତାରେ ଭାରତ ପଦକ ତାଲିକାରେ ଶୀର୍ଷରେ ରହିଥିଲା । ଚାଇନା ଓ ଜାପାନ ଭଳି ଦେଶକୁ ପଛରେ ପକାଇ ଆମ ପ୍ରତିଯୋଗୀ କଳିଙ୍ଗରେ ମେଡାଲ ଜିତିଥିଲେ । ଦୂତି ଚାନ୍ଦ, ପୂର୍ଣ୍ଣିମା ହେମ୍ବ୍ରମ ଓ ଅନ୍ୟମାନେ ମେଡାଲ ଜିତିଥିଲେ । ଏସୀୟ ଦୌଡକୁଦରେ ନାମୀ ଭାଷ୍ୟକାରଙ୍କ ସହ ଭଲ କାମ କରିବା ବ୍ୟକ୍ତିଗତ ଅଭିଜ୍ଞତାକୁ ବଢ଼ାଇଥିଲା । ନିଶ୍ଚିତ ଭାବେ ଏହା ତାଙ୍କ ପାଇଁ ସବୁଠୁ ସ୍ମରଣୀୟ ଥିଲା ।

Comments are closed.