କ୍ୟାପିଟାଲ ହସ୍ପିଟାଲରେ ରାଜ୍ୟର ୪ର୍ଥ ପ୍ଲାଜମା ବ୍ୟାଙ୍କ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଭୁବନେଶ୍ୱର: ଜୁଲାଇ ୨୮:ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଉଦଘାଟିତ ହୋଇଛି ରାଜ୍ୟର ଚତୁର୍ଥ ପ୍ଲାଜମା ବ୍ୟାଙ୍କ । ଭିଡ଼ିଓ କନଫରେନ୍ସିଂରେ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ରୋଗୀଙ୍କୁ ନୂଆ ଜୀବନ ଦେବାକୁ ପ୍ଲାଜମା ବ୍ୟାଙ୍କର ପରିକଳ୍ପନା କରି ଏହି ଦିଗରେ ରାଜ୍ୟ ସରକାର ବଳିଷ୍ଠ ପଦକ୍ଷେପମାନ ନେଉଛନ୍ତି । ପ୍ଲାଜମା ଦାନ ପାଇଁ ମଧ୍ୟ ଏକ େୱବ୍‌ପୋର୍ଟାଲର ମଧ୍ୟ ଉଦଘାଟନ କରିଛନ୍ତି ରାଜ୍ୟ ସରକାର । ଏସସିବି ସହ ୩ଟି କୋଭିଡ୍‌ ହସ୍ପିଟାଲରେ ମଧ୍ୟ ଖୋଲିଛି ପ୍ଲାଜମା ବ୍ୟାଙ୍କ । ଯେଉଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ସେମାନେ ନିଜର ପ୍ଲାଜମା ଦାନ କରି ଅନ୍ୟ ଆକ୍ରାନ୍ତଙ୍କୁ ନୂଆ ଜୀବନ ଦେବାରେ ସହାୟକ ହେଉଛନ୍ତି । କରୋନା ଭୂତାଣୁ ସଂକ୍ରମଣ ବଢୁଥିବା ବେଳେ ନୂଆ ଆଶାସଞ୍ଚାର କରିଛି ପ୍ଲାଜମା ଥେରାପି । ଗଂଜାମ ଟାଟା ହସ୍ପିଟାଲରେ ପ୍ଲାଜମା ଥେରାପି ଦ୍ୱାରା ଚିକିତ୍ସିତ ହୋଇଥିବା ୩ ଗୁରୁତର ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଟାଟା ହସ୍ପିଟାଲରେ ପ୍ରଥମ ଥର ପାଇଁ ପ୍ଲାଜମା ଥେରାପି ଦ୍ୱାରା ଏହି ସଂକ୍ରମିତମାନେ ସୁସ୍ଥ ହୋଇଛନ୍ତି । ଏନେଇ ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍‌ୱିଟ ଯୋଗେ ସୂଚନା ଦିଆଯାଇଛି । ଏହାସହ କରୋନା ଭୂତାଣୁ ସଂକ୍ରମିତ ହୋଇ ସୁସ୍ଥ ହୋଇଥିବା ଲୋକଙ୍କୁ ପ୍ଲାଜମା ଦାନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି । ଏହାପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇଥିବା ଜଣେ ମହିଳା ପ୍ଲାଜମା ଥେରାପି ନେଇ ସୁସ୍ଥ ହୋଇଥିଲେ ।

Comments are closed.