ଭୁବନେଶ୍ୱର: ଅଗଷ୍ଟ ୨୩: ପ୍ରାୟ ୪ମାସର ବ୍ୟବଧାନ ପରେ ରାଜ୍ୟ ଓ ରାଜ୍ୟ ବାହାର ଭକ୍ତ ତଥା ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାର ସୌଭାଗ୍ୟ ପାଇଛନ୍ତି । କୋଭିଡ କଟକଣା ଯୋଗୁଁ ଦୀର୍ଘ ମାସ ଧରି ବନ୍ଦ ଥିବା ଶ୍ରୀକ୍ଷେତ୍ରଧାମର ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଆଜିଠାରୁ ଭକ୍ତଙ୍କ ପାଇଁ ଖୋଲିଛି । ଦୀର୍ଘ ଦିନର ବ୍ୟବଧାନ ପରେ ଆଜି ସମସ୍ତ ଶ୍ରଦ୍ଧାଳୁ ଶ୍ରୀମନ୍ଦିରର ରତ୍ନ ସିଂହାସନରେ ଦାରୁବ୍ରହ୍ମଙ୍କୁ ଦର୍ଶନ କରି ବହୁତ ଖୁସିଥିବା ଜଣାଯାଉଥିଲେ ।
ଶ୍ରୀମନ୍ଦିରରେ ପ୍ରବେଶ ଲାଗି ଦୁଇ ଡୋଜ୍ କରୋନା ଟିକା ନେଇଥିବା ପ୍ରମାଣପତ୍ର କିମ୍ବା ୬୯ ଘଣ୍ଟା ଅବଧି ମଧ୍ୟରେ କରୋନା ନେଗେଟିଭ ପ୍ରମାଣପତ୍ର ସହିତ ନିଜର ଆଧାର କାର୍ଡ ବା ଭୋଟ ପରିଚୟପତ୍ର ଦେଖାଇବାକୁ ପଡ଼ିଥିଲା । ଏଥିପାଇଁ ସିଂହଦ୍ୱାର ସମ୍ମୁଖ ବଡ଼ଦାଣ୍ଡରେ ୪ଟି ଆକାଉଣ୍ଟ ଖୋଲାଯାଇଛି ।
ଶୃଙ୍ଖଳିତ ଦର୍ଶନ ସକାଶେ ବଡ଼ଦାଣ୍ଡସ୍ଥିତ ଶ୍ରୀକୃଷ୍ଣ ସିନେମାହଲ୍ ଛକଠାରୁ ବ୍ୟାରିକେଟ୍ ନିର୍ମାଣ କରାଯାଇଛି । ଦର୍ଶନାର୍ଥୀଙ୍କ ଲାଗି ୮ଟି କିଓସ୍କ ବ୍ୟବସ୍ଥା ହୋଇଛି । ଦର୍ଶନାର୍ଥୀମାନେ ନିର୍ଦ୍ଧାରିତ ସ୍ଥାନରେ ନିଜ ନିଜର ପରିଚୟ ପତ୍ର ଦେଖାଇ ହାତ ସାନିଟରାଇଜ୍ କରି କିଓସ୍କରେ ସ୍କାନିଂ ହେବାର ବ୍ୟବସ୍ଥା ହୋଇଛି । ଏହାପରେ ସିଂହଦ୍ୱାର ଦେଇ ମନ୍ଦିରକୁ ପ୍ରବେଶ କରି ଠାକୁରଙ୍କୁ ଦର୍ଶନ କରିବା ପରେ ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରିବାର ବ୍ୟବସ୍ଥା କରାଯାଇଛି ।
ଅନ୍ୟପକ୍ଷରେ ପୁରୀ ପୋଲିସଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏଥିଲାଗି ସ୍ୱତନ୍ତ୍ର ଭାବେ ପୋଲିସ ଅଧିକାରୀ ଓ ଫୋର୍ସ ନିୟୋଜିତ ଅଛନ୍ତିା । ଶ୍ରୀମନ୍ଦିର ଦର୍ଶନ ସମ୍ପର୍କିତ ଅନୁଭୂତିର ଫିଡ୍ବ୍ୟାକ ସଂଗ୍ରହ ଲାଗି ଉତ୍ତର ଦ୍ୱାର ସମ୍ମୁଖରେ ଫିଡ୍ବ୍ୟାକ ସେଣ୍ଟର ଜିଲ୍ଲା ପୋଲିସ ପକ୍ଷରୁ ବ୍ୟବସ୍ଥିତ କରାଯାଇଛି । ସେଣ୍ଟରରେ ନୋଡାଲ ଅଫିସର ନିଯୁକ୍ତ କରାଯାଇଛି । ଏପରିକି ଫିଡବ୍ୟାକ୍ ସଂଗ୍ରହ ଲାଗି କୁ୍ୟଆର୍ କୋଡ ସ୍କାନିଂ ବ୍ୟବସ୍ଥା ମଧ୍ୟ କରାଯାଇଛି । ଏହାକୁ ସ୍କାନିଂ କରି ଦର୍ଶନାର୍ଥୀମାନେ ନିଜର ସ୍ମାର୍ଟ ଫୋନ୍ ଜରିଆରେ ଅନ୍ଲାଇନରେ ସେମାନଙ୍କର ମତାମତ ଦେଇପାରିବେ ।
ଶ୍ରୀମନ୍ଦିର ଭିତରେ ଦର୍ଶନାର୍ଥୀମାନେ ଫୁଲ, ଭୋଗ ଓ ଦୀପ ମନ୍ଦିରକୁ ନେଇପାରିବେ ନାହିଁ କି କୌଣସି ଦେବାଦେବୀଙ୍କ ପ୍ରତିମାକୁ ଛୁଇଁପାରିବେ ନାହିଁ ବୋଲି ନିୟମ ରହିଥିଲା । ମନ୍ଦିର ମଧ୍ୟରେ ମହାପ୍ରସାଦ ସେବନ ନିଷେଧ କରାଯାଇଛି । ତେବେ ଆନନ୍ଦବଜାରରୁ ଦର୍ଶନାର୍ଥୀମାନେ ମହାପ୍ରସାଦ କିଣି ସାଙ୍ଗରେ ନେଇପାରିବେ । ସେହିପରି ପାନ ଓ ଗୁଟ୍କା ଖାଇ ଛେପ ପକାଇବା ଓ ସାଙ୍ଗରେ କୌଣସି ପଲିଥିନ୍ ନେବାକୁ ବାରଣ କରାଯାଇଥିଲା । ଦର୍ଶନାର୍ଥୀଙ୍କ ଲଗି ଶ୍ରୀଜଗନ୍ନାଥ ବଲ୍ଲଭ ମଠ ପରିସରରେ ପାର୍କିଂ ବ୍ୟବସ୍ଥା କରାଯାଇଥିଲା ।
Comments are closed.