ଗଣକବି ବୈଷ୍ଣବ ପାଣି

ଓଡ଼ିଶାବାସୀଙ୍କ ନିକଟରେ ଅତି ପରିଚିତ ନାମ ଗଣକବି ବୈଷ୍ଣବ ପାଣି । ସେ ଥିଲେ ବହୁମୁଖୀ ପ୍ରତିଭାର ଅଧିକାରୀ । ଦାରିଦ୍ର୍ୟ ହେତୁ ଉଚ୍ଚଶିକ୍ଷାରୁ ବଞ୍ଚିତ ହୋଇଥିଲେ ହେଁ ଗୀତିନାଟ୍ୟ, କାବ୍ୟ, ପୁରାଣ, ଭଜନ ଜଣାଣ ପ୍ରଭୃତିର ସେ ଥିଲେ ସାରସ୍ୱତ ସ୍ରଷ୍ଟା । ଓଡ଼ିଶା ଗୀତିନାଟ୍ୟ ରଚନା କ୍ଷେତ୍ରରେ ସେ ଜଣେ ଅବିସ୍ମରଣୀୟ ବ୍ୟକ୍ତିତ୍ୱ ।
୧୯୦୩ରେ ରଚିତ ଗୀତିନାଟ୍ୟ ମେଘନାଦ ବଧ ଥିଲା ତାଙ୍କର ପ୍ରଥମ କୃତି । ତା’ପରେ ବିଭିନ୍ନ ଯାତ୍ରାଦଳରେ ସଂପୃକ୍ତ ରହି ଗୀତିନାଟ୍ୟ କ୍ଷେତ୍ରରେ ଗୁଣାତ୍ମକ ପରିବର୍ତ୍ତନ ଆଣିବାରେ ସେ ବ୍ରତୀ ହେଲେ । ଜଣେ ଗୀତିନାଟ୍ୟକାର ହେବା ସହିତ ସେ ନିର୍ଦ୍ଦେଶକ ଓ ଅଭିନେତା ମଧ୍ୟ ଥିଲେ । ଓଡ଼ିଶା ସମେତ ଓଡ଼ିଶା ବାହାରେ ସୁନାମ ଅର୍ଜନ କରିଥିଲେ । ପାଞ୍ଚ ଦଶନ୍ଧି ଧରି ଓଡ଼ିଆ ଜାତିକୁ ଗୀତନାଟ୍ୟ ସଂସ୍କୃତି ସହ ସାମାଜିକ ଓ ଆତ୍ମିକ ସ୍ଥିତି ନିର୍ଣ୍ଣୟ କରିଥିବା ଅନନ୍ୟ ରୂପକାର ହେଉଛନ୍ତି ଗଣକବି ବୈଷ୍ଣବ ପାଣି । ପାରମ୍ପରିକ କଥାବସ୍ତୁର ନୂତନ ପରିବେଷଣ ସହ ପୁରାଣ ପ୍ରଭାମଣ୍ଡିତ ଚିନ୍ତା ଓ ଚେତନା ସାମ୍ପ୍ରତିକ ସମାଜ ପାଇଁ ସେ ତାଙ୍କ ଲେଖନୀ ଦ୍ୱାରା ଦିଗ୍‌ଦର୍ଶନ ଦେଇଛନ୍ତି ।
୧୮୮୨ ମସିହାରେ କଟକ ଜିଲ୍ଲା ମାହାଙ୍ଗା ଥାନା କୋଠପଦା ଗ୍ରାମରେ ଜନ୍ମଗ୍ରହଣ କରି ଗୀତିନାଟ୍ୟ, ଗୀତାଭିନୟ ଓ ଯାତ୍ରା ପ୍ରଭୃତି ପ୍ରାୟ ଦୁଇଶହରୁ ଉଦ୍ଧ୍ୱର୍ ରଚନା କରିଯାଇଛନ୍ତି । କେବଳ ସେତିକି ନୁହେଁ ଭାଗବତ ଭଜନମାଳା, ଜଣାଣ ମାଳିକା, ଜଗନ୍ନାଥ ଜଣାଣ, ସ୍ତୁତି ମାଳିକା, ଅବଧୂତ ଭଜନ ସହ ଶ୍ରୀନୀଳାଚଳ ସର୍ବ ଦେବଦେବୀ ଜଣାଣ ଇତ୍ୟାଦି କ୍ଷୁଦ୍ର ପୁସ୍ତିକା ଆଧାରରେ ଉକ୍ତ ନିର୍ବାଚିତ ଗୀତି କବିତାର ସଂକଳନ କରିଯାଇଛନ୍ତି । ପାଣି କବିଙ୍କ ବେପରୁଆ, ହେତୁବାଦୀ ଜୀବନଧାରା ପରି ଭକ୍ତି ସଙ୍ଗୀତ ସମୂହରେ ଶବ୍ଦ ଓ ଭାବସଂଯୋଜନା କ୍ଷେତ୍ରରେ ଅକୁତୋଭୟତା ଅଭିବ୍ୟକ୍ତ ହୋଇଛି । ଦେବତାର ମାନବାୟନ ପାଣି ସାହିତ୍ୟର ସାରସମ୍ପଦ । ଆତ୍ମୀୟ ସ୍ୱରରେ ସେ ତାଙ୍କ କାଳଜୟୀ ରଚନାରେ ଲେଖିଛନ୍ତି-
‘ଛାଡ଼ ମାଡ଼ ଖିଆ ବୁଦ୍ଧି ହେ, ବଡ଼ ଦେଉଳ ବଡ଼ ଗୋସାଇଁ । ଯେ ମାଇଲା ମାଡ଼ ସେ ହୋଇଲା ବଡ଼ ବାଡ଼ ହେଲୁ ତାକୁ ତୁହି । ମାଡ଼ୁଆ ମୋହନ ମାଡ଼ ବିନୁ ଆନ ଯୋଗ ତୋ କରମେ କାହିଁ । ବଇଷ୍ଣବ ଭକ୍ତି କଡ଼ିଆ ଧରିଛି କରେ ଲଗାଇବା ପାଇଁ ।’
ବହୁ ସମକାଳୀନ ସାମାଜିକ ସମସ୍ୟା ତାଙ୍କ ରଚନାରେ ସୂଚିତ ଓ ସେ ହାସ୍ୟରସର ବହୁଳ ପ୍ରୟୋଗ କରିଛନ୍ତି । ତାଙ୍କର ନୁହେଁ ପେଟ ପୋଷା ପେଷାରେ ସେ ଲେଖିଛନ୍ତି ‘ନୁହେଁ ପେଟ ପୋଷା ପେଷା ବ୍ରହ୍ମଜ୍ଞାନ ଶୁଣାନାହିଁ ପୁରାଣରେ । ଲାଗେ ନାହିଁ ଟଙ୍କା ସୁନାରେ ଅଜ୍ଞାନ କିମ୍ପା ଡର ମରଣରେ ।
ନିର୍ବିକାର ବ୍ରହ୍ମଧ୍ୟାନ କରି ତୁମ୍ଭ ବିକାର ତ ଛାଡ଼ୁନାହିଁ, ବଇଷ୍ଣବ ବୋଲେ ବ୍ରହ୍ମକୁ ଭଣ୍ଡୁଛ ତୁଣ୍ଡେ ବ୍ରହ୍ମଜ୍ଞାନ କହି ।’ ସାଧାରଣ ଜନତାର ମନୋରଞ୍ଜନ ଓ ଜ୍ଞାନର ବିକାଶ ପାଣି ଗୀତି ନାଟ୍ୟର ମୁଖ୍ୟ ଆଭିମୁଖ୍ୟ ହେଲେ ହେଁ ସଙ୍ଗୀତ ଓ ନାଟ୍ୟ ମାଧ୍ୟମରେ ନବରସ ପରିବେଷଣ ବୈଷ୍ଣବଙ୍କ ବୈଶିଷ୍ଠ୍ୟ । ନବରସ ମଧ୍ୟରେ ଅନ୍ତତଃ ପ୍ରମୁଖ ଶାନ୍ତରସ ଉଦ୍‌ବୋଧନରେ ପାଣି ପଟୁତା ପ୍ରଦର୍ଶନ କରିଛନ୍ତି ।
ଭକ୍ତିଭାବ ପରିପୋଷକ ଲୀଳା (ରାମ-କୃଷ୍ଣ-ଚୈତନ୍ୟ-ଜଗନ୍ନାଥ ପ୍ରମୁଖଙ୍କ) ବ୍ୟାଖ୍ୟାନ ଓ ଆତ୍ମୋପଲବ୍ଧି ଓ ହିନ୍ଦୁ ସମାଜର ଆଧ୍ୟାତ୍ମିକ ଚେତନା ପାଇଁ ସେ ବହୁ ସଂଖ୍ୟକ ଭଜନ – ଜଣାଣ – ଚଉତିଶା ଓ ଷୋଡ଼ଶା ଆଦି କ୍ଷୁଦ୍ର କବିତା ରଚନା କରିଛନ୍ତି । ଗୀତିନାଟ୍ୟ ଓ ଗୀତାଭିନୟରେ ସଂସ୍କାର ଆଣିବାର ଶ୍ରେୟ ଗଣକବି ବୈଷ୍ଣବଙ୍କୁ ଯାଏ । ପୂର୍ବ ପ୍ରଚଳିତ ପୁରାଣ ଓ ମଧ୍ୟଯୁଗୀୟ କାବ୍ୟଶୈଳୀରେ ରଚିତ ସଙ୍ଗୀତକୁ ସେ ନୂଆ ରୂପ ଦେଇଥିଲେ । ଲୋକଛନ୍ଦର ମିଶ୍ରଣରେ ସେ ଅପୂର୍ବ ମନଛୁଅæô ସଙ୍ଗୀତ ସୃଷ୍ଟି କରିଥିଲେ । ରଙ୍ଗସଭା, ନଳଦମୟନ୍ତୀ, ଧ୍ରୁବ ଚରିତ, ଦାନବୀର ହରିଶ୍ଚନ୍ଦ୍ର, ଦକ୍ଷଯଜ୍ଞ, ରାବଣ ବଧ, କୀଚକ ବଧ, କପଟପଶା, ଶ୍ରୀୟା ଚଣ୍ଡାଳୁଣୀ, ଭକ୍ତ ସୁଦାମା ଓ ବସନ୍ତ ରାସ ଆଦି ତାଙ୍କର ଶତାଧିକ କାଳଜୟୀ ସୃଷ୍ଟି ।
ଗଣକବି ଥିଲେ ଅହିଂସାର ପୂଜାରୀ । ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ୱାଧୀନତା ପାଇଁ ସେ ଜନଜାଗରଣ ସୃଷ୍ଟି କରିଥିଲେ । ୧୮୮୨ ଅକେଫାବର ୨୭ କୁମାର ପୂର୍ଣ୍ଣିମା ରାତିରେ ଗଣକବି ଜନ୍ମଗ୍ରହଣ କରିଥିଲେ । ତେଣୁ ଏହି କୁମାର ପୂର୍ଣ୍ଣିମା ତିଥିକୁ ତାଙ୍କ ଜନ୍ମଜୟନ୍ତୀ ରୂପେ ପାଳନ କରାଯାଉଛି ।

Comments are closed.