ଗାଜାରେ ଅସ୍ତ୍ରବିରତି ଦାବି କରି ୟୁଏସ୍ କ୍ୟାପିଟଲରେ ପାଲେଷ୍ଟିନୀୟ ସମର୍ଥକଙ୍କ ତୀବ୍ର ଆନ୍ଦୋଳନ , ୩୦୦ ଗିରଫ

ନୂଆଦିଲ୍ଲୀ : ୱାସିଂଟନ ଡିସିରେ ୟୁଏସ୍ କ୍ୟାପିଟଲର କ୍ୟାନନ୍ ରୋଟୁଣ୍ଡା ବାହାରେ ପାଲେଷ୍ଟିନୀୟ ସମର୍ଥିତ ଆନ୍ଦୋଳନକାରୀ ଜୋରଦାର ଆନ୍ଦୋଳନ କରିଛନ୍ତି। ସେମାନେ ଗାଜାରେ ଅସ୍ତ୍ରବିରତି ଦାବି କରି ଏହି ଆନ୍ଦୋଳନ କରିଛନ୍ତି ଏବଂ କ୍ୟାନନ୍ ରୋଟୁଣ୍ଡାକୁ ଦଖଲ କରିବାକୁ ଚେଷ୍ଟା କରିଥିଲେ। ପାଖାପାଖି ୩୦୦ ଆନ୍ଦୋଳନକାରୀ ଗିରଫ ହୋଇଛନ୍ତି। ଆନ୍ଦୋଳନକାରୀଙ୍କ ଆନ୍ଦୋଳନ ପରେ କ୍ୟାପିଟଲ୍ ପରିସରରେ ସୁରକ୍ଷା କଡ଼ାକଡ଼ି କରାଯାଇଛି ଏବଂ ବାହାର ଲୋକଙ୍କର ପ୍ରବେଶ ନିଷିଦ୍ଧ କରାଯାଇଛି। ଗାଜା ହସ୍ପିଟାଲ୍ ବିସ୍ଫୋରଣରେ ୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେବାପରେ ବିଭିନ୍ନ ପାଲେଷ୍ଟିନୀୟ ସମର୍ଥିତ ଗୋଷ୍ଠୀ ଗତକାଲି ଏହି ଆନ୍ଦୋଳନ କରିଛନ୍ତି। ଆନ୍ଦୋଳନରେ ସାମିଲ ଥିବା ଆମେରିକା ଇହୁଦୀ ସମ୍ପ୍ରଦାୟର ସଦସ୍ୟମାନେ ଗିରଫ ହୋଇଛନ୍ତି। ସେମାନେ ଗାଜାରେ ଇସ୍ରାଏଲ ସାମରିକ ଅପରେସନ ବିରୋଧରେ ଆନ୍ଦୋଳନ କରି ଗିରଫ ହୋଇଛନ୍ତି। ତେବେ କ୍ୟାପିଟଲ ପରିସରରେ ସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଛି ବୋଲି କର୍ତ୍ତୃପକ୍ଷମାନେ କହିଛନ୍ତି । ରୋଟୁଣ୍ଡାରେ ଏବେ କୌଣସି ବେଆଇନ ଆନ୍ଦୋଳନକାରୀ ନାହାନ୍ତି ବୋଲି କର୍ତ୍ତୃପକ୍ଷମାନେ ସ୍ପଷ୍ଟ କରିଛନ୍ତି। ସେହିପରି ବିଶ୍ବର ବିଭିନ୍ନ ଅଂଶରେ ମଧ୍ୟ ଗାଜା ହସ୍ପିଟାଲ ବିସ୍ଫୋରଣକୁ ବିରୋଧ କରି ଆନ୍ଦୋଳନ ହୋଇଛି।

Comments are closed.