ଚାମ୍ପିଅନ୍ସ ଟ୍ରଫି ପାଇଁ ଜରୁରୀ ବୈଠକ ଡକାଇଲା ଆଇସିସି

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଫେବ୍ରୁଆରିରେ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି କ୍ରିକେଟ୍‌କୁ ନେଇ ଦ୍ବନ୍ଦ୍ବ ଲାଗି ରହିଛି। ପାକିସ୍ତାନ ଏହାର ଏକମାତ୍ର ଆୟୋଜକ ହୋଇଥିଲା ବେଳେ ସୁରକ୍ଷା ଜନିତ କାରଣ ଦର୍ଶାଇ ଭାରତ ସେଠାକୁ ଯିବାକୁ ମନା କରିଦେଇଛି। ତେଣୁ ଭାରତ ବିନା ଏହି ପ୍ରତିଯୋଗିତା କରିବା ସମ୍ଭବ ହେବନି ବୋଲି ଆଇସିସି ହୃଦ୍‌ବୋଧ କରିବା ସହ ଏହା ଉପରେ ଆଲୋଚନା ପାଇଁ ଏକ ଜରୁରୀ ବୈଠକ ଡକାଇଛି। ଆସନ୍ତା ୨୬ ତାରିଖରେ ଏହି ବୈଠକ ହେବ ଓ ଏଥିରେ ସମସ୍ତ ଅଂଶଗ୍ରହଣକାରୀ ବୋର୍ଡଗୁଡ଼ିକର ଶୀର୍ଷ ନେତୃତ୍ବମାନେ ଯୋଗଦେବେ। ହାଇବ୍ରିଡ୍‌ ମଡେଲ୍‌କୁ ପାକିସ୍ତାନ ଅଗ୍ରାହ୍ୟ କରୁଥିବାରୁ ଏକ ନିରପେକ୍ଷ ସ୍ଥାନ ବଛାଯିବ କି? ଯଦି ପାକିସ୍ତାନ ଏହି ମଡେଲ୍‌କୁ ବିରୋଧ କରିବ, ତାହେଲେ ପରବର୍ତ୍ତୀ ପଦକ୍ଷେପ କ’ଣ ହେବା ଉଚିତ? ସେମିଫାଇନାଲ୍‌ ଓ ଫାଇନାଲ୍‌କୁ ନିରପେକ୍ଷ ସ୍ଥାନ ନା ସଂପୂର୍ଣ୍ଣ ଚାମ୍ପିଅନ୍ସ ଟ୍ରଫିକୁ ନିରପେକ୍ଷ ସ୍ଥାନକୁ ନିଆଯିବ? ନଚେତ୍‌ ପାକିସ୍ତାନ ବିନା ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରାଯିବା ଉପରେ ଏହି ବୈଠକରେ ଆଲୋଚନା ହେବ। ପ୍ରତିଯୋଗିତା ପାଇଁ ପାକିସ୍ତାନରେ ଟ୍ରଫି ଟୁର୍‌ ଆରମ୍ଭ ହୋଇସାରିଥିବା ବେଳେ ବିଭିନ୍ନ ଦେଶ ବୁଲିବା ପରେ ଭାରତରେ ଜାନୁଆରି ୧୫ରେ ଏହି ଟ୍ରଫି ପହଞ୍ଚିବ।

Comments are closed.