ଭୁବନେଶ୍ୱର : ସୋମବାର କୃଷକଙ୍କ ପାଇଁ “ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଯୋଜନାରେ ୧୯ତମ କିସ୍ତି ପ୍ରଦାନ କରାଯାଇଛି। ଦେଶର ପ୍ରାୟ ୧୦ କୋଟି ଚାଷୀଙ୍କ ଖାତାକୁ ଯାଇଛି ୨ ହଜାର ଲେଖାଏଁ ଟଙ୍କା । ପିଏମ ମୋଦୀ ଡିବିଟି ଜରିଆରେ ୯ କୋଟି ୫୦ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଛନ୍ତି । ବିହାରର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରୁ ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ର ୧୯ତମ କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ପଠାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଏଥିରେ ଓଡ଼ିଶାର ୩୪.୯୮ ଲକ୍ଷରୁ ଅଧିକ ଚାଷୀଙ୍କୁ ସାମିଲ କରାଯାଇଛି । ଏନେଇ ରାଜ୍ୟ କୃଷି ସଚିବ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି।
“ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଯୋଜନାରେ ଓଡ଼ିଶାର ଚାଷୀମାନେ ବୃଦ୍ଧି ପାଉଛନ୍ତି, କାରଣ ସାମ୍ପ୍ରତିକ ପ୍ରୟାସ ଯୋଗୁଁ ଅଂଶଗ୍ରହଣରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି,” ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ-କିଷାନ ଯୋଜନାର ୧୯ତମ କିସ୍ତି ବଣ୍ଟନ ସମୟରେ ପାଢୀ କହିଥିଲେ।
ଭାରତ ସରକାର କୃଷକମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଚଳାଇଛନ୍ତି। ଏହି ଯୋଜନା ଅଧୀନରେ ଯୋଗ୍ୟ କୃଷକମାନଙ୍କୁ ଆର୍ଥିକ ସୁବିଧା ଦିଆଯାଉଛି ଯାହା ଦ୍ୱାରା ସେମାନେ ଚାଷରେ ଏହି ଟଙ୍କାକୁ ନିୟୋଜିତ କରିପାରିବେ । ଏଥିପାଇଁ ପ୍ରତିବର୍ଷ ଏହି ଯୋଜନାରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୬,୦୦୦ ଟଙ୍କା ପଠାଯାଏ ଏବଂ ଏହି ଟଙ୍କା ପ୍ରତ୍ୟେକ କିସ୍ତି ମାଧ୍ୟମରେ ୨,୦୦୦ ଟଙ୍କା ପ୍ରଦାନ କରାଯାଇଥାଏ ।
୨୦୨୪ ଅକ୍ଟୋବର ୫ ତାରିଖରେ ମହାରାଷ୍ଟ୍ରରୁ ୧୮ତମ କିସ୍ତି ପ୍ରଦାନ କରାଯାଇଥିବାବେଳେ ଆଜି ବିହାରରୁ ୧୯ତମ କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ପଠାଇଛନ୍ତି ପ୍ରଧାନମନ୍ତ୍ରୀ । ଏହି ଯୋଜନାରେ ଚାଷୀଙ୍କୁ ପ୍ରତିବର୍ଷ ୩ଟି କିସ୍ତିରେ ୬ ହଜାର ଟଙ୍କା ପ୍ରଦାନ କରାଯାଉଛି। ପିଏମ କିଷାନ ଯୋଜନା ହେଉଛି ଏକ କେନ୍ଦ୍ରୀୟ କୃଷି କଲ୍ୟାଣ ଯୋଜନା । ୨୦୧୯ ଫେବୃଆରୀ ମାସରେ ମୋଦୀ ସରକାର ଏହାକୁ ଆରମ୍ଭ କରିଥିଲେ ।