ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶପଥ ଗ୍ରହଣ କରିବା ପରଠାରୁ ଗୋଟିଏ ପରେ ଗୋଟିଏ ନୂଆ ନିର୍ଦ୍ଦେଶନାମା ଜାରି କରୁଛନ୍ତି। ଏବେ ଟ୍ରମ୍ପ୍ଙ୍କର ଆଉ ଏକ ନୂଆ ନିର୍ଦ୍ଦେଶନାମା ସାମ୍ନାକୁ ଆସିଛି। ଟ୍ରମ୍ପ୍ ଜାରି କରିଥିବା ନୂଆ ନିର୍ଦ୍ଦେଶନାମା ଅନୁଯାୟୀ ଆମେରିକାର ସରକାରୀ କର୍ମଚାରୀମାନେ ଚୀନ୍ ସରକାରୀ କର୍ମଚାରୀ କିମ୍ବା ଚୀନ୍ ନାଗରିକଙ୍କ ସହ ରୋମାନ୍ସ କରିବା ଏବଂ ଯୌନ ସମ୍ପର୍କ ରଖିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ଟ୍ରମ୍ପ ପ୍ରଶାସନ ମଧ୍ୟ ଆମେରିକାର ଏହି ନୂଆ ନୀତିକୁ ଆନୁଷ୍ଠାନିକ ଭାବେ ଜାରି କରିଛି। ସୁରକ୍ଷା ମଞ୍ଜୁରୀ ପାଇଥିବା ଆମେରିକୀୟ କୂଟନୀତିଜ୍ଞ, ସେମାନଙ୍କ ପରିବାର ସଦସ୍ୟ ଓ ସରକାରୀ ଠିକାଦାରଙ୍କ ପାଇଁ ଏହି ନୂଆ ନିୟମ ଲାଗୁ ହେବ। ସୂଚନାଯୋଗ୍ୟ, ଚୀନ୍ ସରକାରଙ୍କ ଦ୍ବାରା ପ୍ରତ୍ୟର୍ପିତ ହେବା ପୂର୍ବରୁ ଜାନୁଆରି ମାସରେ ଚୀନ୍ରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ନିକୋଲାସ ବର୍ନସ୍ ଏହି ନିୟମକୁ କାର୍ଯ୍ୟକାରୀ କରିଥିଲେ, ଯାହାକୁ ଏବେ ଟ୍ରମ୍ପ ପ୍ରଶାସନ ଆମେରିକାର ନୀତି ଭାବେ ସୁନିଶ୍ଚିତ କରିଛି।
ରିପୋର୍ଟ ଅନୁଯାୟୀ, ଏହି ନୀତିରେ ଆମେରିକାର ସୈନିକ ଓ ସରକାରୀ କର୍ମଚାରୀମାନେ ଚୀନ୍ରେ ଆମେରିକାର କୌଣସି ମିସନରେ କାର୍ଯ୍ୟ କରୁଥିବା ଚୀନ୍ ନାଗରିକଙ୍କ ସହ ରୋମାଣ୍ଟିକ୍ କିମ୍ବା ଯୌନ ସମ୍ପର୍କ ରଖିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ବେଜିଂରେ ଆମେରିକାର ଦୂତାବାସ ଥିବା ବେଳେ ଗୁଆଙ୍ଗଝୁ, ସାଂଘାଇ, ଶେନୟାଙ୍ଗ, ଉହାନ ଓ ହଂକଂରେ ଏହାର ବାଣିଜ୍ୟ ଦୂତାବାସ ରହିଛି। ଏସବୁରେ ନିୟୋଜିତ ଆମେରିକୀୟ କର୍ମଚାରୀମାନେ ଏହି ନିଷେଧାଦେଶ ପରିସରଭୁକ୍ତ ହେବେ।