ଚୀନ୍ ବିଦେଶ ମନ୍ତ୍ରୀ ନିଖୋଜ

ବେଜିଂ: ଚୀନ୍ ବିଦେଶ ମନ୍ତ୍ରୀ କିନ ଗାଙ୍ଗ ନିଖୋଜ ହୋଇଯାଇଛନ୍ତି। ଏନେଇ ସାମାଜିକ ଗଣମାଧ୍ୟମରେ ଗୁଜବ ପ୍ରସାର ହେବାରେ ଲାଗିଛି। ଜଣେ ସାମ୍ବାଦିକାଙ୍କ ସହ ଚୀନ୍‌ ବିଦେଶ ମନ୍ତ୍ରୀଙ୍କର ସମ୍ପର୍କ ଥିବା ନେଇ ଚର୍ଚ୍ଚା ହେଉଛି। ମାତ୍ର ଚୀନ୍ ସରକାରଙ୍କ ପକ୍ଷରୁ ସଫେଇ ଦିଆଯାଇଛି ଯେ, ଗାଙ୍ଗ ନିଖୋଜ ହୋଇ ନାହାନ୍ତି। ସେ କିଛି ସ୍ବାସ୍ଥ୍ୟଗତ କାରଣରୁ ବାହାରକୁ ବାହାରି ପାରୁନାହାନ୍ତି। ହେଲେ ବିଦେଶ ମନ୍ତ୍ରୀଙ୍କ ଅସୁସ୍ଥତା ନେଇ କୌଣସି ଫଟୋ ବା ଭିଡ଼ିଓ ପ୍ରକାଶ ପାଇ ନାହିଁ। ଜାକର୍ତ୍ତାରେ ଅନୁଷ୍ଠିତ ଦକ୍ଷିଣପୂର୍ବ ଏସୀୟ ଦେଶ ସଂଗଠନ (ଏସିଆନ) ବୈଠକରେ ଗାଙ୍ଗ ଯୋଗ ଦେବାର ଥିଲା। କିନ୍ତୁ ଚୀନ୍‌ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଗଲା ଯେ ବିଦେଶ ବ୍ୟାପାର କମିସନ ନିର୍ଦ୍ଦେଶକ ୱାଙ୍ଗ ୟି ଏହି ବୈଠକରେ ଯୋଗ ଦେବେ। କିନ ଗାଙ୍ଗଙ୍କୁ ଶେଷଥର ପାଇଁ ରୁଷ୍ ଉପବୈଦେଶିକ ମନ୍ତ୍ରୀ ରୁଡେଙ୍କୋ ଆଣ୍ଡ୍ରେ ୟୁରେଭିଚଙ୍କ ସହ ଏକ ବୈଠକରେ ଜୁନ ୨୫ରେ ଦେଖିବାକୁ ମିଳିଥିଲା। ତେବେ ଗୁଜବ ହେଉଛି ଯେ ହଂକଂରେ ଥିବା ଫିନିକ୍ସ ଟିଭିର ଉପସ୍ଥାପିକା ଫୁ ସାଓଟିଆନଙ୍କ ସହ ଗାଙ୍ଗ ପରକୀୟା ପ୍ରୀତିରେ ଜଡ଼ିତ। ଫୁ ଜଣେ ଆମେରିକା ନାଗରିକ ଏବଂ ତାଙ୍କ ସହ ସମ୍ପର୍କରୁ ଗାଙ୍ଗଙ୍କର ଏକ ସନ୍ତାନ ବି ଅଛି। ତେବେ ଫୁଙ୍କ ପ୍ରକୃତ ସ୍ବାମୀ କିଏ ତାହା ଜଣାପଡ଼ି ନାହିଁ। ଯଦି ଗାଙ୍ଗଙ୍କ ପରକୀୟା ସମ୍ପର୍କ ଗୁଜବ ସତ ହୁଏ, ତେ‌ବେ ଏହା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିବ।

Comments are closed.