ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଛନ୍ତି। ତାଙ୍କୁ ସ୍ବାଗତ କରି ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ଜନତା ମୈଦାନ ଅଭିମୁଖେ ପାଛୋଟି ନେଉଛନ୍ତି । ଜନତା ମୈଦାନରେ ଆଜି ଠାରୁ ଆରମ୍ଭ ହୋଇଛି ୨ ଦିନିଆ ଉତ୍କର୍ଷ ଓଡିଶା କନକ୍ଳେଭ – ୨୦୨୫ । କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ । ଓଡ଼ିଶାକୁ ଗୁରୁତ୍ବ ଦେଉଥିବା ହେତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରମ୍ବାର ଓଡ଼ିଶା ଗସ୍ତରେ ଆସୁଛନ୍ତି।
ଏହି ଦୁଇଦିନିଆ କନ୍କ୍ଲେଭ୍ର ଲକ୍ଷ୍ୟ ହେଉଛି ଓଡ଼ିଶାକୁ ଏକ ପ୍ରମୁଖ ନିବେଶ ସ୍ଥଳ ଭାବେ ଉପସ୍ଥାପନ କରିବା ଏବଂ ଦେଶବିଦେଶର ନିବେଶକମାନଙ୍କୁ ପୁଞ୍ଜିନିବେଶ ଲାଗି ଆକୃଷ୍ଟ କରିବା। କନ୍କ୍ଲେଭ୍ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହିବେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ ଓ ଜୁଏଲ୍ ଓରାମ୍ ମଧ୍ୟ ଭାଗନେବେ ।
କନ୍କ୍ଲେଭ୍ରେ ଯୋଗଦେବା ଲାଗି ୭୫୦୦ରୁ ଅଧିକ ପ୍ରତିନିଧି ପଞ୍ଜୀକରଣ କରିଛନ୍ତି। ଏଥିରେ ସିଙ୍ଗାପୁର, ଅଷ୍ଟ୍ରେଲିଆ ଓ ମାଲେସିଆ ଭଳି ୧୬ଟି ଦେଶରୁ କୂଟନୀତିଜ୍ଞ, ନିବେଶକ ଓ ପ୍ରତିନିଧି ଭାଗ ନେବେ। ଭିଏତନାମ୍, ଜିମ୍ବାୱେ, କାଜାଖସ୍ତାନ, ଭେନେଜୁଏଲା, ବ୍ରିଟେନ, ଆମେରିକା ଓ ନେପାଳର ପ୍ରତିନିଧି ମଧ୍ୟ ଆସିବେ। ଫର୍ଚୁନ୍ ୪୦୦ କମ୍ପାନି ମଧ୍ୟରୁ ୧୦୦ଟି କମ୍ପାନି ଅଂଶଗ୍ରହଣ କରିବେ। ୧୦୦ରୁ ଅଧିକ ବୁଝାମଣାପତ୍ର (ଏମ୍ଓୟୁ) ସ୍ବାକ୍ଷର ହେବାର ସମ୍ଭାବନା ରହିଛି। ଏହି କନ୍କ୍ଲେଭ୍ ଜରିଆରେ ରାଜ୍ୟ ସରକାର ୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଯୋଗାଡ଼ କରିବାକୁ ଲକ୍ଷ୍ୟ ରଖିଛନ୍ତି। କନ୍କ୍ଲେଭ୍ରେ ଭାଗ ନେବାକୁ ଥିବା ବିଶିଷ୍ଟ ଶିଳ୍ପପତିମାନଙ୍କ ମଧ୍ୟରେ ରହିଛନ୍ତି ଆର୍ସେଲର ମିତ୍ତଲର ମୁଖ୍ୟ ଲକ୍ଷ୍ମୀ ଏନ୍ ମିତ୍ତଲ, ଆଦିତ୍ୟ ବିର୍ଲା ଗ୍ରୁପ୍ର ମୁଖ୍ୟ କୁମାର ମଙ୍ଗଳମ୍ ବିର୍ଲା, ବେଦାନ୍ତର ମୁଖ୍ୟ ଅନୀଲ ଅଗ୍ରୱାଲ୍, ଜେଏସ୍ଡବ୍ଲୁ ଗ୍ରୁପ୍ର ମୁଖ୍ୟ ସଜ୍ଜନ ଜିନ୍ଦଲ, ଆଦାନୀ ପୋର୍ଟସ୍ ଆଣ୍ଡ୍ ଏସ୍ଇଜେଡ୍ର କରନ ଆଦାନୀ ଓ ଅନ୍ୟମାନେ।
କନ୍କ୍ଲେଭ୍ର ପ୍ରଥମ ଦିନରେ ୫ଟି ଓ ଦ୍ବିତୀୟ ଦିନରେ ୧୦ଟି ଅଧିବେଶନ ଅନୁଷ୍ଠିତ ହେବ। ଜାନୁଆରି ୩୦ରେ ମେକ୍ ଇନ୍ ଓଡ଼ିଶା ଏକ୍ସପୋ ସାଧାରଣ ଜନତାଙ୍କ ପରିଦର୍ଶନ ପାଇଁ ଖୋଲାଯିବ। ସେଥିରେ ୧୫୦ରୁ ଅଧିକ ପ୍ରଦର୍ଶନକାରୀ ସେମାନଙ୍କ ଉତ୍ପାଦ, ସେବା ଓ ସମାଧାନ ପ୍ରଦାନ କରିବେ।
![Har Ghar Tiranga](https://samayalive.in/wp-content/uploads/2025/01/Odia.jpeg)