ଜାପାନ ଖେଳାଳୀଙ୍କୁ ହରାଇ ସେମିଫାଇନାଲ୍‌ରେ ସିନ୍ଧୁ

ଦିଲ୍ଲୀ:ଜୁଲାଇ ୩୦: ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ପି ଭି ସିନ୍ଧୁ ଟୋକିଓ ଅଲମ୍ପିକ୍ସ ଖେଳରେ ନିଜ କମାଲ୍‌ ଦେଖାଇଛନ୍ତି । ସେ ଜାପାନର ଅକାନେ ୟାମାଗୁଚିଙ୍କୁ ପରାସ୍ତ କରି ସେମି ଫାଇନାଲ୍‌କୁ ଉତୀର୍ଣ୍ଣ ହୋଇଛନ୍ତି । ୫୬ ମିନିଟ୍‌ ଧରି ଚାଲିଥିବା ଖେଳରେ ସେ ଜାପାନର ଖେଳାଳୀଙ୍କୁ ୨୧-୧୩, ୨୨-୨୦ରେ ହରାଇଥିଲେ ।
ପୂର୍ବରୁ ସିନ୍ଧୁ ରିଓ ଅଲମ୍ପିକ୍ସରେ ରୌପ୍ୟ ପଦକ ଜିତିସାରିଛନ୍ତି । ଚଳିତ ବର୍ଷ ଚାଲୁଥିବା ଅଲମ୍ପିକ୍ସରେ ସିଙ୍ଗିଲ୍‌ ଗ୍ରୁପ୍‌ରେ ସିନ୍ଧୁ ଏପର୍ଯ୍ୟନ୍ତ ପରାସ୍ତ ହୋଇ ନାହାନ୍ତି । ପ୍ରଥମ ମ୍ୟାଚ୍‌ରେ ଇସ୍ରାଏଲ୍‌ ଖେଳାଳୀ ସେନିଆ ପୋଲିକାର୍ପୋଭାଙ୍କୁ ସେ ୨୧-୭, ୨୧-୧୦, ରେ ହରାଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ରେ ହଂକଂ ଖେଳାଳୀ ଚିଉଙ୍ଗ ଗାନ୍‌ ୟିଙ୍କୁ ୨୧-୯, ୨୧-୧୬ ରେ ପରାସ୍ତ କରିଥିଲେ । ପ୍ରି-କ୍ୱାଟର ଫାଇନାଲ୍‌ରେ ସେ ଡେନମାର୍କର ଖେଳାଳୀ ମିଆଙ୍କୁ ସିଧାସଳଖ ୨୧-୧୫, ୨୧-୧୩ ରେ ହରାଇ ନିଜ ସ୍ଥାନ ଅନ୍ତିମ ଅଷ୍ଟମ ସ୍ଥାନରେ ନିଜ ସ୍ଥିତି ଦୃଢ଼ କରିଥିଲେ ।
ଆଜିର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଆୟୋଜକ ଜାପାନକୁ ୫-୩ ଗୋଲ୍‌ରେ ହରାଇଛି ଭାରତୀୟ ପୁରୁଷ ହକି ଦଳ । ଭାରତୀୟ ହକି ଦଳର ଏହା ଚତୁର୍ଥ ବିଜୟ । ଏହାପୂର୍ବରୁ ଭାରତୀୟ ଦଳ ସ୍ପେନ୍‌, ନୁ୍ୟଜିଲାଣ୍ଡ, ଆର୍ଜେଣ୍ଟିନାକୁ ହରାଇ ସାରିଛି । କେବଳ ମାତ୍ର ଭାରତୀୟ ଦଳ ଅଷ୍ଟ୍ରେଲିଆଠୁ ୧-୭ରେ ହାରଛନ୍ତି । ପୁଲ୍‌-ଏ ର ଭାରତର ଏହା ଶେଷ ମ୍ୟାଚ୍‌ ।

Comments are closed.