By Nishikanta Rath
ନୟାଗଡ଼, (ସବ୍ୟୁ): May 15: ଜିଲ୍ଲାପାଳ ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ନୟାଗଡ଼ ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପ୍ରସମନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ପୂର୍ବାହ୍ନ ସାଢ଼େ ସମୟରେ ସ୍ଥାନୀୟ ଡିଆର୍ଡିଏ ସଭାଗୃହରେ ଅନୁଷ୍ଠିତ ବୈଠକରେ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନେଇ ଆଲୋଚନା କରାଯାଇଥିଲା ।
ଆଗକୁ ବର୍ଷା ଋତୁ ଆସୁଥିବାରୁ ନଦୀ ନାଳ ଓ ବନ୍ଧବାଡ଼ି ମରାମତି ତଥା ରକ୍ଷଣାବେକ୍ଷଣ କ୍ଷେତ୍ରରେ ପଦକ୍ଷେପ ସଂପର୍କରେ ଏଠାରେ ଆଲୋଚନା କରାଯାଇଥିଲା । ମହାନଦୀ ଓ ଅନ୍ୟ ଉପନଦୀ ଅବବାହିକାର ଜନସାଧାରଣଙ୍କ ସୁବିଧା ତଥା ନିରାପତାକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ ବନ୍ୟା ପରିସ୍ଥିତି ପୂର୍ବରୁ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ପୋମା ଟୁଡ଼ୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଏଥିରେ ରଣପୁର, ଖଣ୍ଡପଡ଼ା ଓ ଦଶପଲ୍ଲା ବିଧାୟକ ସତ୍ୟନାରାୟଣ ପ୍ରଧାନ, ସୌମ୍ୟରଂଜନ ପଟ୍ଟନାୟକ ଓ ରମେଶ ବେହେରା ଯୋଗ ଦେଇଥିଲେ । ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ରେ ବିଡିଓ, ତହସିଲଦାର ଏବଂ ଜିଲ୍ଲାସ୍ତରୀୟ ଅଧିକାରୀମନଙ୍କ ଗୁରୁତ୍ୱପୂର୍ଣ୍ଣ ଦାୟୀତ୍ୱ ରହିଛି । ତାହାକୁ ସଠିକ ଭାବେ ନିର୍ବାହ କରିବାକୁ ଜିଲ୍ଲାପାଳ ଟୁଡ଼ୁ ନିର୍ଦ୍ଦେଶ ଦେଇଥିଲେ ।
ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ ବିଭିନ୍ନ ବିଭାଗର ଦାୟୀତ୍ୱ ଓ କର୍ତ୍ତବ୍ୟ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ବର୍ଷା ଦିନ ପୂର୍ବରୁ କୂଅ ଏବଂ ନଳକୂଅ ମରାମତି ଏବଂ ଡାକ୍ତରଖାନା ଓ ଅଙ୍ଗନୱାଡ଼ି କେନ୍ଦ୍ରରେ ଆବଶ୍ୟକ ଔଷଧପତ୍ର, ମହଜୁଦ ପାଇଁ ଆଲୋଚନା କରାଯାଇଥିଲା । ସାଧାରଣ ବଂଟନ ବ୍ୟବସ୍ଥାରେ ରାସନ ସାମଗ୍ରୀ ମହଜୁଦ୍ ଏବଂ ବାତ୍ୟା ଆଶ୍ରୟସ୍ଥଳ ଗୁଡ଼ିକ ପ୍ରସ୍ତୁତ ରଖିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଧୋବା ନାୟକ ବୈଠକ ବିବରଣୀ ପାଠ କରିଥିଲେ । ବନଖଣ୍ଡ ଅଧିକାରୀ ଏଚ୍ ଡି ଧନରାଜ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଶ୍ୱେତକୁମାର ମହାପାତ୍ର ଏବଂ ଉପ-ଜିଲ୍ଲାପାଳ ଲଗ୍ନଜିତ ରାଉତଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ।
Comments are closed.