ଡିସ୍‌କସ୍‌ ଥ୍ରୋରେ ଫାଇନାଲ୍‌କୁ ଗଲେ କମଲପ୍ରୀତ୍‌

ଭୁବନେଶ୍ୱର: ଜୁଲାଇ ୩୧: ଟୋକିଓ ଅଲମ୍ପିକ୍ସରେ ଆଉ ଜଣେ ଭାରତୀୟ ଖେଳାଳୀ ନିଜ ପ୍ରଶଂସନୀୟ ଖେଳ ପଦର୍ଶନ କରିଛନ୍ତି । ମହିଳା ଡିସ୍‌କସ୍‌ ଥ୍ରୋ ଖେଳାଳୀ କମଲପ୍ରୀତ୍‌ କୌର ୬୪ ମିଟର ଥ୍ରୋ କରି ଫାଇନାଲ୍‌କୁ ପ୍ରବେଶ କରିଛନ୍ତି । ଏହାସହ ସେ ଦ୍ୱିତୀୟ ସ୍ଥାନରେ ରହି ଭାରତର ପାଇଁ ନିଶ୍ଚିନ୍ତ ପଦକ ପାଇବାର ଆଶା ଆଣି ଦେଇଛନ୍ତି । ପ୍ରଥମ ସ୍ଥାନରେ ୬୬.୪୨ ମିଟର ଡିସ୍‌କସ୍‌ ଥ୍ରୋରେ ଆମେରିକା ଖେଳାଳୀ ଭାଲାରୀ ଆଲ୍ଲମାନ ରହିଥିଲାବେଳେ ତୃତୀୟ ସ୍ଥାନରେ ଇଟାଲୀର ଖେଳାଳୀ ରହିଛନ୍ତି ।
ଡିସ୍‌କସ୍‌ ଥ୍ରୋର ତିନୋଟି ରାଉଣ୍ଡରେ ପଞ୍ଜାବ ଖେଳାଳୀ କମଲପ୍ରୀତ୍‌ ପ୍ରଥମେ ୬୦.୨୯ ମିଟର, ଦ୍ୱିତୀୟ ରାଉଣ୍ଡରେ ୬୩.୯୭ ମିଟର ଓ ତୃତୀୟ ଶେଷ ରାଉଣ୍ଡରେ ୬୪ ମିଟର ଦୂରତା ରେକର୍ଡ କରିଥିଲେ । ଏହି ଖେଳରେ ଆଉ ଜଣେ ଭାରତୀୟ ଅନୁଭବୀ ଖେଳାଳୀ ସୀମା ପୁନିଆ ଭାଗ ନେଇଥିଲେ । ସେ ୬୦.୫୭ ମିଟର ରେକର୍ଡ କରି ଷଷ୍ଠ ସ୍ଥାନରେ ରହିଥିଲେ ।
ଅନ୍ୟପକ୍ଷେ, ଅଲମ୍ପିକ୍ସ ମହାସମରର ନବମ ଦିନରେ ପୁରୁଷ ତୀରନ୍ଦାଜ ଖେଳାଳୀ ଅତନୁ ଦାସ ଏବଂ ବକ୍ସର ଅମିତ ପଂଘଲ ଦ୍ୱୟ କ୍ୱାଟର ଫାଇନାଲ୍‌ ମ୍ୟାଚ୍‌ରେ ପରାସ୍ତ ହୋଇଛନ୍ତି । ମହିଳା ବକ୍ସର ପୂଜା ରାଣୀଙ୍କ ଉପରେ ଏବେ ଭାରତୀୟ ଖେଳପ୍ରେମୀଙ୍କ ଆଶା ରହିଛି । ସେ ଆଜି ଅପରାହ୍ନ ୩.୩୬ରେ ସେ ଚୀନ୍‌ର ଖେଳାଳୀ ଲି କ୍ୱିଆନ୍‌ଙ୍କୁ ଭେଟିବେ ।
ଭାରତର ବ୍ୟାଡମିଣ୍ଟନ ଷ୍ଟାର ପି ଭି ସିନ୍ଧୁ ଆଜି ଅପରାହ୍ନ ୩.୨୦ରେ ଚାଇନା ତାଇପେଇର ଖେଳାଳୀ ତାଇ ତଜୁ ୟିଂଙ୍କ ସହ ସେମିଫାଇନାଲ୍‌ ମ୍ୟାଚ୍‌ରେ ଭେଟିବେ ।

Comments are closed.