ପୁରୀ: ଜୁଲାଇ ୩୧: (ସବ୍ୟୁ):ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଆଜି ଅଚାନକ ପୁରୀ ଗସ୍ତରେ ଆସି ଡ୍ରିଙ୍କ ଫର୍ ଟ୍ୟାପ୍ ଯୋଜନାରେ ଉପଲବ୍ଧ ଜଳର ମାନ ଯାଞ୍ଚ କରିଛନ୍ତି । ବଡଦାଣ୍ଡ ରେ ଥିବା ଟ୍ୟାପ୍ରୁ ମନ୍ତ୍ରୀ ଜଳ ପିଇବା ସହିତ ଉପଲବ୍ଧ ସେବାର ସମୀକ୍ଷା କରିଥିଲେ ।
ପୁରୀ ରେ ଦେଶର ସର୍ବ ପ୍ରଥମ ପ୍ରକଳ୍ପ କାର୍ଯ୍ୟକାରୀ ହେବା ଗୌରବର କଥା । ଏହା ଭାରତର ଅନ୍ୟ ସହରମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ବୋଲି ମନ୍ତ୍ରୀ କହିଥିଲେ । ମନ୍ତ୍ରୀ କହିଥିଲେ ଯେ, ପାଇଲଟ୍ ପ୍ରକଳ୍ପଭାବେ ଭୁବନେଶ୍ୱରର ୮ଟି ଓ ପୁରୀର ୩ଟି ସ୍ଥାନରେ ଏହି ପ୍ରକଳ୍ପକୁ ଆରମ୍ଭ କରାଯାଇଥିଲା । ଏଥିପାଇଁ ମନ୍ତ୍ରୀ ଜେନା ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚ ପ୍ରଶଂସା କରିଥିଲେ ।
ସେ କହିଥିଲେଯେ, ପୁରୀବାସୀଙ୍କୁ ନିରନ୍ତର ସେବା ଯୋଗାଇଦେବା ପାଇଁ ପ୍ରତ୍ୟେକ ୱାର୍ଡ଼ର ଜଳସାଥି ନିୟୋଜିତ କରାଯାଇଛି । ପୁରୀ ସହରରେ ଏପର୍ଯ୍ୟନ୍ତ ପ୍ରାୟ ୩୨ ହଜାର ନୂଆ ସଂଯୋଗ ଦିଆଯାଇଛି । ପରେ ମନ୍ତ୍ରୀ ଶ୍ରୀଜେନା ୭ ନମ୍ବର ୱାର୍ଡ଼ର ବଳିଆପଣ୍ଡା ରୋଡ଼ସ୍ଥିତ ଅବସରପ୍ରାପ୍ତ ଶିକ୍ଷକ ବିମ୍ବାଧର ଦାଶଙ୍କ ଘରକୁ ଯାଇ ‘ସୁଜଳ’ସଂଯୋଗର ଉପଲବ୍ଧ ପାଣିରମାନ ସମ୍ପର୍କରେ ପଚାରି ବୁଝିଥିଲେ ।
ପରେ ୱାର୍ଡ଼ର ଜଳସାଥି ରୀନାରାଣୀ କବିରାଜଙ୍କ ସହିତ ଆଲୋଚନା କରିଥିଲେ । ମନ୍ତ୍ରୀଙ୍କ ଗ୍ରସ୍ତ ସମୟରେ ୱାଟକୋ ଜେନରାଲ ମ୍ୟାନେଜ୍ର ଶରତ ଚନ୍ଦ୍ର ମିଶ୍ର ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟଯେ ଗତ ୨୬ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀସହରବାସୀଙ୍କ ଲାଗି ଡ୍ରିଙ୍କ ଫର୍ ଟ୍ୟାପ୍ ପ୍ରକଳ୍ପର ଉଦ୍ଘାଟନ କରିଥିଲେ ।
ବିଶ୍ୱର ବଡ଼ବଡ଼ ସହରରେ କେବଳ ଏଭଳି ସୁବିଧା ମିଳେ । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବାରେ ପୁରୀ ହେଉଛି ଦେଶର ପ୍ରଥମ ସହର । ପୁରୀ ସହରର ଅଢେଇଲକ୍ଷ ଜନସାଧାରଣଙ୍କ ସହିତ ଶ୍ରୀକ୍ଷେତ୍ରକୁ ଆସୁଥିବା ପ୍ରାୟ ଦୁଇକୋଟି ପର୍ଯ୍ୟଟକ ଏହା ଦ୍ୱାରା ଉପକୃତ ହେବେ ।
‘ସୁଜଳ’ ଯୋଜନାରେ ୨୪ ଘଣ୍ଟା ଏହି ସେବା ମିଳିବ । ଏହି ପ୍ରକଳ୍ପ ଜରିଆରେ ବଡ଼ଦାଣ୍ଡର ୧୨୦ଟି ସ୍ଥାନ ସହିତ ସହରର ୪୦୦ଟି ସ୍ଥାନରେ ମୁକ୍ତଭାବେ ପିିଇବା ପାଣି ବ୍ୟବସ୍ଥା କରାଯାଇଛି । ଏହାଦ୍ୱାରା ତିନି କୋଟି ପାଣି ବୋତଲ ତଥା ୪୦୦ ମେଟ୍ରିକ୍ଟନ୍ ବର୍ଯ୍ୟବସ୍ତୁରୁ ପୁରୀସହର କୁ ରକ୍ଷା ପାଇପାରିବ ।
Comments are closed.