Edited By Papu Mohanty
ଭୁବନେଶ୍ୱର(ସବୁ୍ୟ): 07/05: ଓଡ଼ିଶାରେ କୋଭିଡ୍ ପରୀକ୍ଷଣ ବୃଦ୍ଧି କରିବାକୁ ରାଜ୍ୟ ସରକାର ଜରୁରି ପଦକ୍ଷେପ ଗ୍ରହଣ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୫୦,୫୧୪ଟି ନମୁନା ପରୀକ୍ଷଣ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ ଆଗାମୀ ଦିନରେ ଦୈନିକ ୧୫,୦୦୦କୁ କୋଭିଡ୍ ପରୀକ୍ଷଣ ସଂଖ୍ୟାକୁ ବୃଦ୍ଧି କରାଯିବ । ଯୁଦ୍ଧକାଳୀନ ଭିତ୍ତିରେ ଏନେଇ କାର୍ଯ୍ୟ ଚାଲିଛି ।
ଗୁରୁବାର ଭୁବନେଶ୍ୱରସ୍ଥ ଆର୍ଏମ୍ଆର୍ସି ନିର୍ଦ୍ଦେଶକ ଡକଫର ସଂଘମିତ୍ରା ପତିଙ୍କ ଉପସ୍ଥିତରେ ଜାତୀୟ ସ୍ୱାସ୍ଥ୍ୟ ମିଶନର ରାଜ୍ୟ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଏହି ସୂଚନା ଦେଇଛନ୍ତି । ଶ୍ରୀମତି ପଣ୍ଡିତ କହିଥିଲେ, ରାଜ୍ୟରେ ସବୁ ଜିଲ୍ଲାରେ ସ୍ୱତନ୍ତ୍ର କୋଭିଡ-୧୯ ହସପିଟାଲ ପ୍ରତିଷ୍ଠା ହୋଇଛି । ବର୍ତ୍ତମାନ ସୁଦ୍ଧା ପ୍ରବାସୀ ଫେରନ୍ତାଙ୍କ ପାଇଁ ପ୍ରାୟ ୫ ଲକ୍ଷ ଶଯ୍ୟା ଓ ୧୨ ହଜାର ଅସ୍ଥାୟୀ ମେଡିକାଲ କ୍ୟାମ୍ପ ୬୭୯୮ଟି ପଞ୍ଚାୟତରେ ପ୍ରତିଷ୍ଠା ହୋଇ ସାରିଛି । ଗତ ୩ ମଇରୁ ଦେଶର ବିଭିନ୍ନ ରାଜ୍ୟରେ ରହିଥିବା ଓଡ଼ିଆ ଭାଇ ଭଉଣୀମାନେ ଦୈନିକ ଓଡ଼ିଶା ଫେରୁଛନ୍ତି । ଆଜି ୪୨୨୫ ଜଣ ଓଡ଼ିଆ ଭାଉଭଉଣୀ ଓଡ଼ିଶାରେ ପହଞ୍ଚିଛନ୍ତି । ଏ ପର୍ଯ୍ୟନ୍ତ ବାହାର ରାଜ୍ୟଗୁଡ଼ିକରୁ ଓଡ଼ିଶାକୁ ୩୯,୭୬୫ ଜଣ ଫେରିଛନ୍ତି । ସେମାନେ ବସ୍, ଟ୍ରେନ୍ ଓ ଅନ୍ୟ ଯାନବାହନରେ ଆସୁଛନ୍ତି । ଓଡ଼ିଶାରେ ଅଟକି ରହିଥିବା ଲୋକମନେ ଅନ୍ୟ ରାଜ୍ୟକୁ ଯିବା ପାଇଁ ଇ-ପାସ୍ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି । ଆଗ୍ରହୀ ବ୍ୟକ୍ତି ସ୍ୱତନ୍ତ୍ର ପୋର୍ଟାଲରେ ଲଗ ଅନ୍ କରି ବାହାର ରାଜ୍ୟକୁ ଯିବା ପାଇଁ ଆବେଦନ କରିପାରିବେ । ଅନ୍ଲାଇନ୍ ଅନୁମତି ପରେ ସଂପୃକ୍ତ ବ୍ୟକ୍ତି ଓ ସେ ନେଉଥିବା ଯାନ ସଂପର୍କିତ ତଥ୍ୟାବଳୀ ଉଲ୍ଲେଖ ଥାଇ ଇ-ପାସ୍ ପ୍ରଦାନ କରାଯିବ । ଏସ୍ଏମ୍ଏସ୍ ଓ ଇ-ମେଲ୍ ମାଧ୍ୟମରେ ଆବେଦନକାରୀଙ୍କୁ ଇ-ପାସ୍ ଦିଆଯିବ ।
ଶ୍ରୀମତି ପଣ୍ଡିତ କହିଥିଲେ, ଓଡ଼ିଶାରେ ପହଞ୍ଚି ବର୍ଡର ଚେକ୍ ପଏଣ୍ଟରୁ ନିଜ ନିଜ ଜିଲ୍ଲାକୁ ଯାଉଥିବା ପ୍ରବାସୀ ଓଡ଼ିଆମାନେ ଯାତ୍ରା ମଝିରେ ବସ୍,ଯାନବାହନରୁ ରାସ୍ତାରେ ଓହ୍ଲାଇ ଯାଉଥିବା କାରଣରୁ ଜନସ୍ୱାସ୍ଥ୍ୟ ଓ ସୁରକ୍ଷା ଦୃଷ୍ଟିରୁ ଏଭଳି ଓହ୍ଲାଇବା କିମ୍ବା ଚଢ଼ିବା ପାଇଁ ବାରଣ କରାଯାଇଛି । ଏହାର ଉଲ୍ଲଂଘନ କଲେ ସଂପୃକ୍ତ ବସ୍, ଯାନବାହନ ଏବଂ ଚାଳକଙ୍କୁ ଅଟକ ରଖାଯାଇ ଅଧିକ ଅନୁସନ୍ଧାନ ସହିତ ବିହିତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏ ସଂପର୍କରେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ଜିଲ୍ଲାପାଳ, ମୁନିସିପାଲ୍ କମିଶନର, ପୁଲିସ୍ କମିଶନର, ଭୁବନେଶ୍ୱର-କଟକ ଏବଂ ଆରକ୍ଷୀ ଅଧୀକ୍ଷକମାନଙ୍କୁ ଅବଗତ କରାଯାଇଛି ।
ଅନ୍ୟପକ୍ଷରେ ୫୦୪୩ ଗ୍ରାମ ପଞ୍ଚାୟତରେ ୩,୧୩,୦୮୪ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି । ସେହିପରି ୧୧୪ଟି ପୌରାଞ୍ଚଳରେ ୩୫,୭୩୨ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛି ବୋଲି ଜାତୀୟ ସ୍ୱାସ୍ଥ୍ୟ ମିଶନର ରାଜ୍ୟ ନିର୍ଦ୍ଦେଶିକା ପ୍ରକାଶ କରିଥିଲେ ।
Comments are closed.