ଦ୍ବିତୀୟ ଦିନରେ ବିରୋଧୀ ବୈଠକ , କଂଗ୍ରେସ ପ୍ରଧାନମନ୍ତ୍ରୀ ପଦ ପାଇଁ ଆଗ୍ରହୀ ନୁହେଁ : ଖଡ଼ଗେ

ନୂଆଦିଲ୍ଲୀ : ବେଙ୍ଗାଲୁରୁରେ ବିରୋଧୀ ବୈଠକ ଉପରେ ସାରା ଦେଶର ନଜର ରହିଛି। ବିରୋଧୀ ଦଳଗୁଡ଼ିକର ମିଳିତ ବୈଠକ ଗତକାଲିଠାରୁ ଆରମ୍ଭ ହୋଇଛି। ଗତକାଲି ନୈଶଭୋଜି ବୈଠକରେ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ଏମ୍‌କେ ଷ୍ଟାଲିନ, ଅରବିନ୍ଦ କେଜ୍ରିୱାଲ, ନୀତୀଶ କୁମାର, ହେମନ୍ତ ସୋରେନ, ଭଗୱନ୍ତ ମାନ, ଲାଲୁ ପ୍ରସାଦ ଯାଦବ, ମମତା ବାନାର୍ଜୀ ପ୍ରମୁଖ ଯୋଗ ଦେଇଥିଲେ। ତେବେ ଶରଦ ପାୱାର ଗତକାଲିର ବୈଠକରେ ଯୋଗ ଦେଇନଥିଲେ। ଶରଦ ପାୱାର ଆଜି ଦ୍ବିତୀୟ ଦିନରେ ବୈଠକରେ ଯୋଗ ଦେଇଛନ୍ତି। ୨୦୨୪ ଲୋକସଭା ନିର୍ବାଚନ ପାଇଁ ଏକ ମିଳିତ ବିରୋଧୀ ସାମ୍ମୁଖ୍ୟ ଗଠନ କରିବା ଉଦ୍ଦେଶ୍ୟରେ ଏହି ବୈଠକ ଆୟୋଜନ କରାଯାଇଛି। ବିରୋଧୀ ଦଳଗୁଡ଼ିକ ଭିତରେ ବୃହତ୍ତର ସମନ୍ବୟ ଓ ଯୋଗାଯୋଗ ରକ୍ଷା ଏବଂ ଆସନ ଭାଗବଣ୍ଟା ଆଦି ଉପରେ ଆଜିର ବୈଠକରେ ଆଲୋଚନା କରାଯିବ। ବିରୋଧୀ ଦଳ ନେତାମାନଙ୍କର ସ୍ଲୋଗାନ ରହିଛି ‘ୟୁନାଇ‌ଟେଡ ୱି ଷ୍ଟାଣ୍ଡ୍‌’। ମିଳିତ ବୈଠକର ଦ୍ବିତୀୟ ଦିନରେ ଖଡ଼ଗେ ଆଜି କହିଛନ୍ତି, କଂଗ୍ରେସ ପ୍ରଧାନମନ୍ତ୍ରୀ ପଦ କିମ୍ବା କ୍ଷମତାକୁ ନେଇ ଆଗ୍ରହୀ ନୁହେଁ। ଖଡ଼ଗେ କହିଛନ୍ତି, କ୍ଷମତା ହାସଲ କରିବା ଆମର ଉଦ୍ଦେଶ୍ୟ ନୁହେଁ। ଆମ ସମ୍ବିଧାନ, ଗଣତନ୍ତ୍ର, ଧର୍ମନିରପେକ୍ଷବାଦ ଏବଂ ସାମାଜିକ ନ୍ୟାୟକୁ ସୁରକ୍ଷା ଦେବା ଆମର ପ୍ରମୁଖ ଲକ୍ଷ୍ୟ। ଇତି ମଧ୍ୟରେ ବିଜେପି କହିଛି ବିରୋଧୀ ବୈଠକର ମୁଖ୍ୟ ଲକ୍ଷ୍ୟ ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଘୃଣା କରିବା।
ବିରୋଧୀ ମେଳିକୁ ଦେଖି ବିଜେପି ବି ଶକ୍ତି ପ୍ରଦର୍ଶନ କରିଛି। କଂଗ୍ରେସ-ନେତୃତ୍ବାଧୀନ‌ ବିରୋଧୀ ମେଳିରେ ୨୪ଟି ଦଳ ସାମିଲ ହୋଇଥିବା ବେଳେ ବିଜେପି-ନେତୃତ୍ବାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)କୁ ୩୮ଟି ଦଳ ସମର୍ଥନ କରୁଛନ୍ତି ବୋଲି ବିଜେପି ଦାବି କରିଛି। ବିଜେପି ନିଜ ସମର୍ଥକ ଦଳମାନଙ୍କୁ ନେଇ ଆଜି ଦିଲ୍ଲୀରେ ଏକ ବୈଠକ ରଖିଛି। ଉଭୟ ଦିଲ୍ଲୀ ଓ ବେଙ୍ଗାଲୁରୁ ବୈଠକରେ ୨୦୨୪ ଲୋକସଭା ନିର୍ବାଚନ ପାଇଁ ଉଭୟ ପକ୍ଷ ନିଜନିଜର ରଣନୀତି ପ୍ରସ୍ତୁତ କରିବେ।

Comments are closed.