ଭୁବନେଶ୍ୱର: ଅଗଷ୍ଟ ୪: ଆମେରିକା ଉତ୍ତର-ପୂର୍ବ ଭାଗରେ ବସବାସ କରୁଥିବା ପ୍ରାୟ ଏକ ତୃତୀୟାଂଶ ଧଳା ଲାଞ୍ଜ ହରିଣଙ୍କ ଶରୀରରେ କରୋନା ଆଣ୍ଟିବଡି ରହିଛି । ବିଶେଷକରି ସେମାନଙ୍କ ଶରୀରରେ ସାର୍ସ କୋଭି-୨ ଭୂତାଣୁର ଆଣ୍ଟିବଡି ସୃଷ୍ଟି ହେଉଛି ବୋଲି ଚୀନ୍ ସ୍ଥିତ ହାଇନିନିଂରେ ଥିବା ଜେଝିଆଙ୍ଗ ବିଶ୍ୱବିଦ୍ୟାଳୟ ଗବେଷକ କହିଛନ୍ତି । ଏହାର ଅର୍ଥ ଧଳା ଲାଞ୍ଜ ହରିଣ ମଧ୍ୟ କରୋନା ମହାମାରୀର ଶିକାର ହୋଇଥିଲେ । ପରବର୍ତ୍ତୀ ସମୟରେ ସେମାନଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ହୋଇଥିଲା । ଏକ ନିର୍ଦ୍ଦିଷ୍ଟ ବନ୍ୟଜନ୍ତୁଙ୍କ ମଧ୍ୟରେ କରୋନା ସଂକ୍ରମଣ ବ୍ୟାପୁଥିବା କାରଣରୁ ଗବେଷକମାନେ ବିଭିନ୍ନ ସ୍ଥାନରୁ ନମୁନା ସଂଗ୍ରହ କରିଥିଲେ । ଗବେଷଣା ବେଳେ ସେରୋ ସର୍ଭେଲାନ୍ସ ପାଇଁ ଧଳାଲାଞ୍ଜ ହରିଣଙ୍କୁ ବିଶେଷ ପ୍ରାଧାନ୍ୟ ଦିଆଯାଇଥିଲା । ଏମାନଙ୍କଠାରେ କୋଭିଡ-୨ର ବିପଦ ଅଧିକ ଥିବା ଆଶଙ୍କା ପାଇବା ପରେ ଏହି ଦପକ୍ଷେପ ନିଆଯାଇଥିଲା । ଗବେଷଣା ଅନୁସାରେ, ୪୦ ପ୍ରତିଶତ ଧଳା ଲାଞ୍ଜ ହରିଣଙ୍କ ଶରୀରରେ କରୋନା ଆଣ୍ଟିବଡି ସୃଷ୍ଟି ହୋଇଛି । ଚଳିତ ବର୍ଷ ମିଚିଗାନ୍, ପେନ୍ସିଲଭାନିଆ, ଇଲଇନୋଇସ୍ ଓ ନୁ୍ୟୟର୍କ ଅଞ୍ଚଳରୁ ୩୮୫ ବନ୍ୟଜନ୍ତୁଙ୍କ ଶରୀରରୁ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା । ସେଥିମଧ୍ୟରୁ ୧୫୨ ନମୁନାରେ ଆଣ୍ଟିବଡି ରହିଥିଲା । ଧଳା ଲାଞ୍ଜ ହରିଣ ବ୍ୟତୀତ ଜାକର୍ତ୍ତା ରାଗୁନାନ ଚିଡ଼ିଆଖାନାରେ ଥିବା ବାଘ, ଇଣ୍ଡୋନସିଆର ସୁମାତ୍ରା ବାଘ ଓ ଭାରତୀୟ ସିଂହ କରୋନାରେ ଆକ୍ରାନ୍ତ ହେବା ପରେ ସେମାନଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ହୋଇଥିବା କଥା ଗବେଷକମାନେ କହିଛନ୍ତି ।
Comments are closed.