ନିରାଶ ଚାଷୀ କୂଳର ଆଶାର ଆଲୋକ ସାଜିଛି ଲଘୁଚାପ ବର୍ଷା

By Sarbeswar Mohanta

ବେତନଟୀ : ଅଗଷ୍ଟ ୫: ମୟୂରଭଞ୍ଜର ଜନ ସାଧାରଣଙ୍କ ମଧ୍ୟରୁ ଅଧିକାଂଶ ଚାଷୀ ମୌସୁମୀ ବର୍ଷା ଉପରେ ନିର୍ଭରଶୀଳ । ଚଳିତ ବର୍ଷ ଚାଷ ସମୟ ଆରମ୍ଭରୁ ସ୍ୱଳ୍ପ ବୃଷ୍ଟିପାତ ଲୋକ ମାନଙ୍କୁ ନିରାଶ କରି ଥିଲା । ମୌସୁମୀର ଆଗମନ ପରେ ମଧ୍ୟ ୧୮୦, ୧୫୦ ଓ ୧୪୫ ଦିନିଆ ଧାନ ପାଇଁ ଯେତିକି ବର୍ଷାର ଆବଶ୍ୟକ ତାଠାରୁ ବହୁତ କମ ବର୍ଷା ହୋଇ ଥିଲା । ତେବେ ଗତ ଜୁଲାଇ ମାସରେ ବର୍ଷା ହେବାରୁ ଚାଷୀ ମାନେ ଚାଷ କାମ ଆଗକୁ ବଢ଼ାଇବାକୁ ସ୍ଥିର କରି ଥିଲେ । ବେତନଟୀ ବ୍ଲକରେ ମୌସୁମୀ ଋତୁରେ ମୋଟ ୨୨ ହଜାର ୩୫୧ ହେକ୍ଟର ଚାଷର ଯୋଜନା କରା ଯାଇ ଥିବା ବେଳେ ସେଥି ମଧ୍ୟରୁ ୧୬ ହଜାର ୩୩୦ ହେକ୍ଟର ଧାନ ଓ ୬୦୨୧ ହେକ୍ଟର ଅଣଧାନ ଫସଲ ବୋଲି ଜଣା ପଡି ଥିଲା । ତେବେ ଅଚାନକ ମୌସୁମୀ ବର୍ଷା ଉଭାନ ହୋଇ ଯିବା ଫଳରେ ତଳାବାଡି ଗୁଡିକରୁ ପାଣି ଶୁଖି ଯାଇ ଥିବାର ଦେଖା ଯାଇ ଥିଲା । ଯେଉଁ ଚାଷୀ ମାନେ ଧାନ ଲଗାଇ ଦେଇ ଥିଲେ ସେସବୁ ଜମି ଫାଟି ଆଁ ହୋଇ ଯାଇ ଥିଲା । ତେବେ ଗତ କାଲି ଠାରୁ ଲଘୁଚାପ ବର୍ଷା ଆରମ୍ଭ ହୋଇଛି ଓ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବ ବୋଲି ସୂଚନା ମିଳିଛି । ଯଦି ଏହି ବର୍ଷା ପର୍ଯ୍ୟାପ୍ତ ହୁଏ ତେବେ ପଡିଆ ପଡି ଥିବା ଅନ୍ୟୁନ ୩୫ ପ୍ରତିଶତ ଚାଷ ଜମିରେ ଧାନ ଲାଗିବ । ଏହି ବର୍ଷା ଧାନ ପୋତା ସରି ଥିବା ୬୫ ପ୍ରତିଶତ ଜମିର ଚାଷୀ ମାନଙ୍କୁ ମରୁଡି ଆଶଙ୍କାରୁ ବର୍ତ୍ତାଇବ ବୋଲି ମତ ପ୍ରକାଶ ପାଉଛି । ଅନ୍ୟ ପକ୍ଷରେ ସଂପ୍ରତି ଚାଷ କରିବା ପାଇଁ ଚାଷୀ ମାନେ ଏକର ପିଛା ୧୫ ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି । ଏଥିରେ ଖତ, ହଳ, କତି କାଟିବା, ତଳି ପକାଇବା, ଜମିକୁ କାଦୁଅ ଓ ସମତଳ କରିବା, ତଳି ଉଠାଇ ଲଗାଇବା, ରାସାୟନିକ ସାର ଓ କୀଟନାଶକ ଇତ୍ୟାଦି ରହିଛି । ତେବେ ଯେଉଁ ଚାଷୀ ମାନେ ଧାନ ଲଗାଇ ସାରିଛନ୍ତି ବର୍ଷା ନହେଲେ ସେମାନଙ୍କର ସମୂଳ ଖର୍ଚ୍ଚ କ୍ଷତିରେ ରୁପାନ୍ତରିତ ହେବ । ସେହିପରି ଯେଉଁ ଚାଷୀ ମାନେ ଏପର୍ଯ୍ୟନ୍ତ ଧାନ ଲଗାଇ ନାହାଁନ୍ତି ସେମାନେ ଆଶିଂକ କ୍ଷତି ସହିବେ ବୋଲି ଜଣା ପଡିଛି ।

Comments are closed.