ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶାରୀରିକ ଭାବେ କ୍ଲାନ୍ତ ଓ ମାନସିକ ଭାବେ ଅଯୋଗ୍ୟ, ଏଣୁ ସେ ମୁଖ୍ୟମନ୍ତ୍ରୀ ଦାୟିତ୍ବ ସମ୍ଭାଳିପାରିବେ ନାହିଁ। ତେଣୁ ତୁରନ୍ତ ସେ ଇସ୍ତଫା ଦିଅନ୍ତୁ ବୋଲି ଜନ ସୂରଯ ପାର୍ଟି (ଜେଏସ୍ପି) ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ଦାବି କରିଛନ୍ତି। ସମସ୍ତିପୁରରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଶାନ୍ତ କିଶୋର କହିଛନ୍ତି, ନୀତୀଶ କୁମାରଙ୍କ ସ୍ବାସ୍ଥ୍ୟ ସମସ୍ୟା ସମ୍ପର୍କରେ ପ୍ରଥମେ ମୁହଁ ଖୋଲିଥିବା ବ୍ୟକ୍ତି ହେଉଛନ୍ତି ବିଜେପି ନେତା ସୁଶୀଲ କୁମାର ମୋଦୀ। ଏହାପରଠାରୁ ଅନେକ ତାଙ୍କର ସ୍ବାସ୍ଥ୍ୟ ସମ୍ପର୍କରେ ଅନୁରୂପ ମତ ଦେଇଛନ୍ତି। ସେ (ପ୍ରଶାନ୍ତ) ଜାନୁଆରି ଯାଏଁ ନୀତୀଶ କୁମାରଙ୍କ ସମ୍ପର୍କରେ କୌଣସି ନକାରାତ୍ମକ ମନ୍ତବ୍ୟ ଦେଇନଥିଲେ। କିନ୍ତୁ ବିପିଏସ୍ସି ବିକ୍ଷୋଭ ସମୟରେ, ସେ ଜାଣିବାକୁ ପାଇଲେ ଯେ ନୀତୀଶ କୁମାରଙ୍କ ମାନସିକ ସ୍ବାସ୍ଥ୍ୟ ଖରାପ ହେବାରେ ଲାଗିଛି। ଏପରି ଅବସ୍ଥାରେ ସେ ଅଛନ୍ତି ଯେ ରାଜ୍ୟରେ କ’ଣ ଚାଲୁଛି ସେ ଜାଣିପାରୁନାହାନ୍ତି। ନୀତୀଶ କୁମାର ଉଭୟ ଶାରୀରିକ ଓ ମାନସିକ ଭାବେ ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟ ଚଳାଇବାକୁ ଅଯୋଗ୍ୟ ବୋଲି କହି ପଦବିରୁ ଇସ୍ତଫା ଦେବାକୁ ପ୍ରଶାନ୍ତ ଦାବି କରିଛନ୍ତି।