ଭୁବନେଶ୍ୱର : ଜୁଲାଇ ୨୧: ଓଡିଆ ଚଳଚିତ୍ର ଜଗତର ମୁକୁଟ ବିହୀନ ସମ୍ରାଟ ବିଜୟ ମହାନ୍ତିଙ୍କର ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସଂପନ୍ନ ହୋଇଛି । ଅଗଣିତ ପ୍ରଶଂସକ, କଳାକାର, ଅଭିନେତା, ଅଭିନେତ୍ରୀ, ନିର୍ଦ୍ଦେଶକ ଓ ସାଧାରଣ ଜନତାଙ୍କ ଦୂର ଉପସ୍ଥିତିରେ ଭୁବନେଶ୍ୱର ସତ୍ୟନଗରର ମଶାଣୀରେ ଶେଷ କୃତ୍ୟ ସଂପର୍ଣ୍ଣ ହୋଇଛି । ତାଙ୍କ ଜ୍ୱାଇଁ ମୁଖାଗ୍ନି ଦେଇଥିଲେ । ଭୁବନେଶ୍ୱର କେୟାର ହସ୍ପିଟାଲରୁ ବିଜୟଙ୍କ ମରଶରୀରକୁ ପ୍ରଥମେ ରସୁଲଗଡ ସ୍ଥିତ ବାସଭବନକୁ ନିଆଯାଇଥିଲା । ପରିବାର ଓ ସମ୍ପର୍କୀୟ ଶେଷ ଦର୍ଶନ କରିବା ପରେ ପାର୍ଥିବ ଶରୀରକୁ ତାଙ୍କ କର୍ମରଭୂମି ଉତ୍କଳ ସଙ୍ଗୀତ ନାଟକ ମହାବିଦ୍ୟାଳୟକୁ ନିଆଯାଇଥିଲା । ସେଠାରେ ଶେଷ ଶ୍ରଦ୍ଧାଂଜଳୀ ଦିଆଯିବା ପରେ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ଭୁବନେଶ୍ୱର ସାଂସଦ ଅପରାଜୀତା ଷଡଙ୍ଗୀ, ରାଜ୍ୟସଭା ସାଂସଦ ମୁନା ଖାଁ, ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା, ସଂସ୍କୃତି ବିଭାଗ ସଚିବ ମନୋ ରଞ୍ଜନ ପାଣିଗ୍ରାହୀ, ଅଭିନେତା ଶ୍ରୀତମ ଦାସ, ରାଇ ମୋହନ, ଅଜିତ ଦାସଙ୍କ ସମେତ ଆଗଧାଡିର ବହୁ ନିର୍ଦ୍ଦେଶକ, ପ୍ରସଂଶକ ଓ ସଙ୍ଗୀତ ନାଟକ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଜୟଙ୍କୁ ଶେଷ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ବିଜୟ ମହାନ୍ତିଙ୍କ ପରଲୋକରେ ଓଡିଆ ସିନେ ଜଗତରେ ତାଙ୍କ ୪୩ ବର୍ଷର ଯାତ୍ରାର ଅବସାନ ଘଟିଛି । ୧୯୫୦ ମସିହା ଏପ୍ରିଲ ୮ ତାରିଖରେ କେନ୍ଦ୍ରାପଡାରେ ଜନ୍ମ ନେଇଥିଲେ ବିଜୟ । ଓଡ଼ିଆ ଚଳଚିତ୍ର ଜଗତର ଥିଲେ ଅପ୍ରତିଦ୍ୱନ୍ଦି ନାୟକ । ଜୀବନ କାଳରେ ୧୫୦ରୁ ଉଦ୍ଧ୍ୱର୍ ଚଳଚିତ୍ରରେ ଅଭିନୟ କରି ଓଡ଼ିଶା ଚଳଚିତ୍ର ଦୁରିଆରେ ଏକ ସ୍ୱତନ୍ତ୍ର ଛାପ ଛାଡିଯାଇଛନ୍ତି । ଏକାଧାରରେ ଜଣେ ଅଭିନେତା, ନାଟ୍ୟକାର ଏବଂ ନିର୍ଦ୍ଦେଶକ ଥିଲେ । ଜୟଦେବ ସମ୍ମାନ ଏବଂ ୬ ଥର ରାଜ୍ୟ ଚଳଚିତ୍ର ସମ୍ମାନ ସହ ଚଳଚିତ୍ର ଜଗତକୁ ଜୀବନ ବ୍ୟାପୀ ଅବଦାନ ପାଇଁ ଶ୍ରେଷ୍ଠ ଚଳଚିତ୍ର ସମ୍ମାନ ଜୟଦେବ ପୁରସ୍କାର ମଧ୍ୟ ପାଇଥିଲେ । ତାଙ୍କ ବିୟୋଗରେ ଓଡ଼ିଶା ଜନମାନସ ଏକ ପ୍ରକାର ଶୋକରେ ବୁଡି ଯାଇଛି ।
Comments are closed.