ଓଡ଼ିଶାର ପୂଣ୍ୟଭୂମିରେ ଅନେକ ଏଭଳି ବରପୁତ୍ର ଜନ୍ମ ଗ୍ରହଣ କରିଛନ୍ତି ଯେଉଁମାନେ ଓଡ଼ିଶାର ନାଁକୁ ଗର୍ବିତ କରିଛନ୍ତି । ସେମାନଙ୍କର ଅବଦାନ ଓଡ଼ିଶାର ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି । ଏହି ବରପୁତ୍ରଙ୍କର କାର୍ଯ୍ୟ ପାଇଁ ଓଡ଼ିଶାର ଇତିହାସ ସମୃଦ୍ଧ ହୋଇଛି । ସେହିଭଳି ଜଣେ ବରପୁତ୍ର ହେଲେ ସମ୍ବଲପୁର ନନ୍ଦପଡାର ଲକ୍ଷ୍ମିନାରାୟଣ ମିଶ୍ର । ୧୯୦୪ରେ ଜନ୍ମିତ ଲକ୍ଷ୍ମୀନାରାୟଣ ମିଶ୍ର ଏକାଧାରରେ ଜଣେ ଶିକ୍ଷାବିତ୍, ରାଜନେତା, ଲେଖକ ତଥା ଭାରତୀୟ ଜାତୀୟତାବାଦୀ । ସେ ପଶ୍ଚିମ ଓଡ଼ିଶାର ଜଣେ ଆଗଧାଡିର ସେନାନୀ ଯାହାଙ୍କର ପଶ୍ଚିମ ଓଡ଼ିଶା ପ୍ରତି ଅନେକ ଅବଦାନ ରହିଛି । ସେ ଦେଶମାତୃକାର ସେବା କରିବା ଲାଗି ପାଖାପାଖି ୧୭ ବର୍ଷ କାରାଗାରରେ କାଟିଛନ୍ତି । ସେ ସ୍ୱାଧୀନତା ସଂଗ୍ରାମରେ ସାମିଲ ହେବା ପାଇଁ ଅଧାରୁ ପାଠ ଛାଡିଥିଲେ । ସ୍ୱାଧୀନତା ସଂଗ୍ରାମରେ ସାମିଲ ହେବା ପରେ ତାଙ୍କୁ ଜେଲ୍ ଯିବାକୁ ପଡିଥିଲା । ହେଲେ ଶିକ୍ଷାର ଆଗ୍ରହ ତାଙ୍କର କମି ନଥିଲା, ଜେଲ୍ରେ ରହି ମଧ୍ୟ ସେ ପାଠ ପଢା ଛାଡି ନଥିଲେ । ସେ ଜେଲରେ ଥିବା ସମୟରେ ଗୁଜିରାଟି, ଉର୍ଦୁ ଭଳି ଅନେକ ଭାଷା ମଧ୍ୟ ଶିଖିଥିଲେ, ଶିକ୍ଷା ପ୍ରତି ଦୃଢ ଇଚ୍ଛା ପାଇଁ ତାଙ୍କୁ ପଣ୍ଡିତର ଆଖ୍ୟା ପ୍ରଦାନ କରାଯାଇଥିଲା । ସେ ସ୍ୱାଧୀନତା ସଂଗ୍ରାମକୁ ପଶ୍ଚିମ ଓଡ଼ିଶାର ଗାଁଗାଁରେ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଲବଣ ସତ୍ୟାଗ୍ରହ, ଆଇନ୍ ଅମାନ୍ୟ ଆନ୍ଦୋଳନ ଆଦିରେ ସାମିଲ ହୋଇ ସେ ନିଜ ଜୀବନକୁ ଦେଶସେବାରେ ଉତ୍ସର୍ଗ କରିଥିଲେ । ସ୍କୁଲରେ ଶିକ୍ଷା ଗ୍ରହଣ କରିନଥିଲେ ମଧ୍ୟ ସେ ଜଣେ ଭଲ ଲେଖକ ଥିଲେ । ସେ ଅନେକ ପୁସ୍ତକ ରଚନା କରିଛନ୍ତି ଯାହା ତାଙ୍କୁ ଜନମାନସ ପଟରେ ଆଜି ବି ଜୀବନ୍ତ କରିରଖିଛି । ନିଜର ଅଧିକାଂଶ ସମୟ ସେ ଦେଶ ସେବା ବ୍ୟତିତ ପଢାପଢିରେ କାଟୁଥିଲେ । ସେହିଭଳି ସେ ଜଣେ ସୁବକ୍ତା ଭାବେ ମଧ୍ୟ ବେଶ୍ ପରିଚିତ । ତାଙ୍କର ଦେଶ ଓ ଓଡ଼ିଶା ପାଇଁ ଥିବା ମହତ ଅବଦାନ ପାଇଁ ସାଧାରଣ ଲୋକଙ୍କ ସହିତ ସରକାର ତାଙ୍କୁ ସବୁବେଳେ ସମ୍ମାନ ଦେଇଥାଆନ୍ତି । ତାଙ୍କ ନାମରେ ଝାରସୁଗୁଡାରେ ଲକ୍ଷ୍ମୀନାରାୟଣ କଲେଜ ସ୍ଥାପନ କରାଯାଇଛି । ସମ୍ବଲପୁର ଜିଏମ୍ ବିଶ୍ୱବିଦ୍ୟାଳୟ ନିକଟରେ ତାଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନା କରାଯାଇଛି । ଏହାସହ ତାଙ୍କର ଏକ ଜୀବନି ରହିଛି ଯାହାକୁ ତାଙ୍କ ଝିଅ ସଙ୍ଘମିତ୍ରା ମିଶ୍ର ଲେଖିଛନ୍ତି । ଏହି ମହାପୁରୁଷଙ୍କର ମାତ୍ର ୫୭ ବର୍ଷ ବୟସରେ ମେ’ ୩୦, ୧୯୬୧ରେ ମହାପରାୟଣ ଘଟିଥିଲା ।