ଅବିଭକ୍ତ କଟକ ଜିଲ୍ଲାର କୁସୁପୁର ଗ୍ରାମରେ ୧୮୭୫ ମସିହା ଡିସେମ୍ବର ୨୨ ତାରିଖରେ ନନ୍ଦକିଶୋର ବଳ ଜନ୍ମ ଗ୍ରହଣ କରିଥିଲେ । ରାଧାନାଥ ଓ ମଧୁସୂଦନଙ୍କ ପରି ସ୍କୁଲ ଶିକ୍ଷକ ଭାବରେ ଜୀବନ ଯାତ୍ରା ଆରମ୍ଭ କରି ସ୍କୁଲ ପରିଦର୍ଶକ ପଦବୀକୁ ଉନ୍ନୀତ ହୋଇଥିଲେ । ନନ୍ଦକିଶୋର ଆଧୁନିକ କବିତା ଦରବାରକୁ ନେଇ ଆସିଥିଲେ ଲୋକଗାଥା ଛନ୍ଦ ଓ ଭାବକଳ୍ପ । ତାଙ୍କୁ ଓଡ଼ିଆ ସାହିତ୍ୟର ନବପ୍ରବର୍ତ୍ତକ କହିଲେ ଅତ୍ୟୁକ୍ତି ହେବ ନାହିଁ । ତାଙ୍କ ଅନବଦ୍ୟ ରଚନା ଆମକୁ ଦିଏ ଗାଁ ମାଟିର ସୁରଭି । ସରଳ,ମନୋଜ୍ଞ, ସାବଲୀଳ ପଦାବଳୀ ମାଧ୍ୟମରେ ପଲ୍ଲୀ ଜୀବନର ସୁନ୍ଦର ଉପାଦାନ ସବୁକୁ ଦେଖେଇ ଦେଇଛନ୍ତି । ପଲ୍ଲୀଚିତ୍ର’ରେ ଗ୍ରାମ୍ୟ ଖଳାର ବର୍ଣ୍ଣନା ଅତ୍ୟନ୍ତ ମନୋମୁUକର ।
ଗ୍ରାମପ୍ରାନ୍ତେ କରି ଲୋକେ ଖଳା
ମେରି ପୋତି ପକାନ୍ତି ବେଙ୍ଗଳା
ବାନ୍ଧି ମଞ୍ଚା ମଧ୍ୟ ସ୍ଥାନେ,
ଜଗନ୍ତି ରାତ୍ରିରେ ଧାନେ
ମିଛେ ସତେ ଦେଖିଥାନ୍ତି ଯେ ସର୍ବ ଘଟନା
କଳ୍ପନା ବଳରେ ପ୍ରାତେ କରନ୍ତି ଜଳ୍ପନା । ।
ପଲ୍ଲୀଖଳା ପାଶେ ଜଳାଶୟ
ପ୍ରସ୍ପୁଟିତ କୋକନଦଚୟ
ନାନା ଜଳଚରଗଣ,
କରୁଥାନ୍ତି ସନ୍ତରଣ
ହଂସ କାଦମ୍ବାଦି ପକ୍ଷୀ କରୁଥାନ୍ତି ସ୍ନ
ଶୁଣନ୍ତେ ସାନନ୍ଦ ହୁଏ ଭାବୁକର ମନ । ।
ପ୍ରଭାତୁଁ ଉଠିଣ ଗ୍ରାମବାସୀ
ମେଳ ହୋନ୍ତି ଏହିଠାରେ ଆସି
ଖାଏ ପିକା କେହୁ ବସି,
ଗଳ୍ପ କରେ କେହୁ ହସି
ମୁହୁର୍ମୁହୁ ଛିଙ୍କି କରେ କେ ନସ୍ୟ ଗ୍ରହଣ
ଜଳ ତୀରେ ବସି କରେ କେ ଦନ୍ତଧାପନ । ।
ନନ୍ଦକିଶୋର ପଲ୍ଲୀ ଜୀବନର କାବ୍ୟାତ୍ମା
ତାଙ୍କ ସାରସ୍ୱତ ସୃଷ୍ଟି ମଧ୍ୟରେ ଗୀତିକବିତା ନିର୍ଝରଣୀ’ରେ
ପାହି ଆସୁଅଛି ଧୀରେ ସୁପ୍ତା ନିଶୀଥିନୀ
ଶୁଭୁଅଛି ଦୂରଦେଶୁ ବିଷାଦ-ରାଗିଣୀ
ଦାରୁଣ ବିଷାଦ ଚିତ୍ତ,
କରେ ମୋର ଆନ୍ଦୋଳିତ
କାହିଁ କିବା ହଜିଅଛି, ନାହିଁ ପ୍ରାପ୍ତି ଆଶା
ମେଣ୍ଟିବାର ନୁହେଁ ମୋର ଏ ପ୍ରାଣ ପିପାସା । ।
କାବ୍ୟ ସ୍ରଷ୍ଟା ନନ୍ଦକିଶୋର ବଳଙ୍କ କୃତି ମଧ୍ୟରେ ଶର୍ମିଷ୍ଠା, କୃଷ୍ଣକୁମାରୀ, ସୀତା ବନବାସ, ଗୀତିକବିତା ନିର୍ଝରଣୀ, ବସନ୍ତ କୋକିଳ, ନାନାବାୟ ଗୀତ,ପ୍ରଭାତ ସଙ୍ଗୀତ, ବିରୂପା,ପଲ୍ଲୀଚିତ୍ର, ନିର୍ମାଲ୍ୟ ଆଦି ପ୍ରଧାନ । ତାଙ୍କର ଉପନ୍ୟାସ ‘କନକଲତା’ ଓ ନାଟକ ‘ମୋଗଲ ମହାନାୟକ’ (ଦୁଷ୍ପ୍ରାପ୍ୟ) ଓ ଅନେକ ସମାଜ ସଂସ୍କାର ମୂଳକ ପ୍ରବନ୍ଧ ପାଇଁ ସେ ସଦାସର୍ବଦା ସ୍ମରଣୀୟ । ୧୯୨୪ ମସିହାରେ ସେ ଇଂରେଜ ସରକାରଙ୍କ ଠାରୁ ‘ରାୟବାହାଦୁର’ ଉପାଧି ଲାଭ କରିଥିଲେ । ତାଙ୍କର କବିତା ମାନଙ୍କ ମଧ୍ୟରେ ମେଘ ବରଷଇ ଟପର ଟପର କେଶୁର ମାଇଲା ଗଜା,ଡାମରା କାଉରେ ଡାମରା କାଉ ,ଆସ ଆସ ପାରାଯୋଡିକ ମୋ ପିଣ୍ଡାରେ ବସ ଇତ୍ୟାଦି ତାଙ୍କ ଚିତ୍ରିତ ଖାଣ୍ଟି ଓଡ଼ିଆ ପଲ୍ଲୀଚିତ୍ର । ୧୯୨୮ ମସିହା ଜୁଲାଇ ୧ ତାରିଖରେ ମାତ୍ର ୫୨ ବର୍ଷ ବୟସରେ ପଲ୍ଲୀକବି ନନ୍ଦକିଶୋର ବଳ ଇହଲିଳା ସମ୍ବରଣ କରିଥିଲେ, ଆଜି ତାଙ୍କ ତିରୋଧାନ ଦିବସରେ ତାଙ୍କ ସ୍ମୃତି ଚାରଣ କରି ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।
ବାବାଜୀ ଚରଣ ଦାସ
ବାବାଜୀ ଚରଣ ଦାସ,
ପଞ୍ଚସଖା ନଗର, ଡୁମୁଡୁମା, ଭୁବନେଶ୍ୱର