ଇସଲାମାବାଦ: ପାକିସ୍ତାନରେ ଲଗାଣ ବର୍ଷା ବଡ଼ ଧରଣର ବିପର୍ଯ୍ୟୟ ଆଣିଛି। ଜୁନ୍ ୨୬ ଠାରୁ ଆରମ୍ଭ ହୋଇଥିବା ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ୪୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬୩ଜଣ ଆହତ ହୋଇଛନ୍ତି। ଶନିବାର ରାତିରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନ୍ଡିଏମ୍ଏ) ପକ୍ଷରୁ ଜାରି ସୂଚନାନୁସାରେ, ବର୍ଷା ଯୋଗୁଁ ଖାଇବର-ପଖତୁନ୍ଖ୍ବା (କେପି) ପ୍ରଦେଶ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଶୁକ୍ରବାର ସ୍ବାତ୍ ଅଞ୍ଚଳରେ ଅଚାନକ ବନ୍ୟାରେ ଭାସି ଗୋଟିଏ ପରିବାରର ୧୯ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ସେହିଭଳି, ବର୍ଷା ଜନିତ ବିପର୍ଯ୍ୟୟ ଯୋଗୁଁ ପଞ୍ଜାବ ରାଜ୍ୟର ବିଭିନ୍ନ ସ୍ଥାନରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସିନ୍ଧ୍ ରାଜ୍ୟରେ ୭ଜଣଙ୍କ ମୃତ୍ୟୁ ଘଟିଛି। ପଞ୍ଜାବରେ ସର୍ବାଧିକ ୪୧ଜଣ ଆହତ ହୋଇଥିବା ବେଳେ ସିନ୍ଧ୍ରେ ୧୬ ଓ କେପିରେ ୬ଜଣ ଆହତ ହୋଇଛନ୍ତି। ଏହାସହ ୩୦ଟି ଗୃହପାଳିତ ପଶୁଙ୍କ ମୃତ୍ୟୁ ଘଟିଛି। ଅପରପକ୍ଷରେ ସ୍ବାତ୍ର ଘଟଣାକୁ ନେଇ ପାକିସ୍ତାନର ରାଜନୀତି ଦଳଗୁଡ଼ିକ ପରସ୍ପରକୁ ଅଙ୍ଗୁଳି ଦେଖାଇଛନ୍ତି। କେପିର ତେହରିକ୍ ଏ ଇନ୍ସାଫ୍ (ପିଟିଆଇ) ସରକାରକୁ ଏନେଇ ତୀବ୍ର ସମାଲୋଚନା କରାଯାଇଛି। ପରିବାର ସଦସ୍ୟମାନେ ଦୀର୍ଘ ୧୯ ଘଣ୍ଟା ଏକ ଉଚ୍ଚସ୍ଥାନରେ ଅଟକି ରହିଥିଲେ ମଧ୍ୟ ପ୍ରଶାସନ ସେମାନଙ୍କୁ ଉଦ୍ଧାର କରିବାରେ କୌଣସି ପଦକ୍ଷେପ ନେଇନଥିଲା ବୋଲି ବିରୋଧୀ ରାଜନୈତିକ ଦଳ ଅଭିଯୋଗ କରିଛନ୍ତି।