ପୁରୀ : ବିଧି ମୁତାବକ ବାପାଙ୍କର ଶେଷ କର୍ମ ସମ୍ପନ୍ନ କଲେ ପୁଅ ବାବୁଶାନ । ଆଜି ଦିବଂଗତ ବରିଷ୍ଠ ଓଡ଼ିଆ ସିନେମା ଅଭିନେତା ଉତ୍ତମ ମହାନ୍ତିଙ୍କ ଆଜି ଅସ୍ଥି ବିସର୍ଜନ ହୋଇଛି । ଆଜିକୁ ୧୪ ଦିନ ପୂର୍ବରୁ ତାଙ୍କ ପାର୍ଥିବ ଶରୀର ଧରା ପୃଷ୍ଠରୁ ବିଦାୟ ନେଇ ସାରିଛି । ଏକାଦଶାହ କାର୍ଯ୍ୟ ସମାପ୍ତ ହେବା ପରେ ଆଜି ପୁରୀ ଶ୍ଵେତଗଙ୍ଗା ପୁଷ୍କରିଣିରେ ଅସ୍ଥି ବିସର୍ଜନ ଲାଗି ପହଞ୍ଚିଛନ୍ତି ପୁଅ ବାବୁସାନ ଏବଂ ବୋହୁ ତୃପ୍ତି । ବ୍ରାହ୍ମଣଙ୍କ ପୂଜା ପାଠ ପରେ ବିଧି ମୁତାବକ ଶ୍ରାଦ୍ଧ ପିଣ୍ଡ ପ୍ରଦାନ କର୍ମ ପରେ ଅସ୍ଥି ବିସର୍ଜନ କରି ବୁଡ଼ ପକାଇଛନ୍ତି ପୁଅ ବାବୁଶାନ ।
ସେହିପରି ସୋମବାର ଦିନ ଭୁବନେଶ୍ବରରେ ଉତ୍ତମଙ୍କ ଏକାଦଶାହରେ ଏକ ସ୍ମୃତିସଭାର ଆୟୋଜନ କରାଯାଇଥିଲା । ଏଥିରେ ବହୁ କଳାକାର ଙ୍କ ସହିତ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।
ସୂଚନା ଅନୁସାରେ ରବିବାର ଦିନ ନୟାପଲ୍ଲୀ ବାଲୁଙ୍କେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଥିବା ନିର୍ମଳଧୀର ତୁଠରେ ଦଶାହ କାର୍ଯ୍ୟକ୍ରମ ହୋଇଥିଲା ।
ସୂଚନାନୁସାରେ,ଗତ ଫେବୃଆରୀ ୨୭ ତାରିଖରେ ଗୁରୁଗାଓଁ ମେଦାନ୍ତ ହସ୍ପିଟାଲରେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ ବରିଷ୍ଠ ଓଲିଉଡ଼ ତାରକା ଅଭିନେତା ଉତ୍ତମ ମହାନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ସତ୍ୟନଗର ମଶାଣିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅଭିନେତା ଉତ୍ତମ ମହାନ୍ତିଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିଲା।