ପ୍ରଶଂସକଙ୍କ ହୃଦୟରେ ସର୍ବଦା ଅମର ରହିବେ ଅଭିନେତା ସିଦ୍ଧାର୍ଥ

ଦିଲ୍ଲୀ: ସେପ୍‌ଟେମ୍ବର ୨: ହିନ୍ଦୀ ଧାରାବାହିକର ଦିଗ୍‌ଗଜ ଅଭିନେତା ତଥା ବିଗ୍‌ବସ-୧୩ ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କର ଆଜି ୪୦ ବର୍ଷ ବୟସରେ ଦେହାନ୍ତ ହୋଇଛି । ଗତକାଲି ରାତିରେ ତାଙ୍କର ହୃଦ୍‌ଘାତ ହୋଇଥିଲା । ତେବେ ଛାତିରେ ଯନ୍ତ୍ରଣା ହେବାରୁ ସେ ଔଷଧ ଖାଇ ଶୋଇବାକୁ ଚାଲିଯାଇଥିଲେ । ସକାଳେ ସିଦ୍ଧାର୍ଥ ଚେତାଶୂନ୍ୟ ଅବସ୍ଥାରେ ମିଳିବାରୁ ପରିବାର ଲୋକ ତାଙ୍କୁ କୂପର ହସ୍ପିଟାଲ ନେଇଯାଇଥିଲେ । ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଛି ।
ସିଦ୍ଧାର୍ଥଙ୍କ ବାନ୍ଧବୀ ତଥା ଅଭିନେତ୍ରୀ ସେହନାଜ ଗୀଲ ଏହି ଖବର ଜାଣିବା ପରେ ଭାଙ୍ଗି ପଡ଼ିଛନ୍ତି । ଏହିପରି କି ସେ କାନ୍ଦି କାନ୍ଦି ଚେତାଶୂନ୍ୟ ହୋଇଯାଇଛନ୍ତି ।
ଏହି ଦୁଃଖଦ ଖବର ମିଳିବା ପରେ ଭାରତୀୟ ତଥା ଭାରତ ବାହାରରେ ଥିବା ତାଙ୍କ ପ୍ରଶଂସ ହଠାତ୍‌ ଖବରକୁ ବିଶ୍ୱାସ କରିପାରିନଥିଲେ । ସୋସିଆଲ ମିଡିଆରେ ତାଙ୍କର ୩୫ ଲକ୍ଷରୁ ଊର୍ଦ୍ଧ୍ୱ ପ୍ରଶଂସକ ରହିଛନ୍ତି । ଏବେ ଟେଲି ଓ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି । ସିଦ୍ଧାର୍ଥଙ୍କର ହଠାତ୍‌ ଦେହାନ୍ତ ଖବରରେ ତାଙ୍କ ଫ୍ୟାନ୍‌ ସ୍ତବ୍ଧ ହୋଇଯାଇଛନ୍ତି ।
ସିଦ୍ଧାର୍ଥ ମଡେଲ୍‌ ରୂପରେ ନିଜ କ୍ୟାରିଅର୍‌ ଆରମ୍ଭ କରିଥିଲେ । ‘ବାବୁଲ୍‌ କା ଆଙ୍ଗନ୍‌ ଛୁଟେ ନା’ ଧାରାବାହିକରେ ସେ ପ୍ରଥମ ଅଭିନୟ ଜୀବନ କରିଥିଲେ । ସିଦ୍ଧାର୍ଥ ‘ବାଲିକା ବଧୂ’ ଧାରାବାହିକରେ ବଡ଼ ବ୍ରେକ୍‌ ପାଇଥିଲେ । ସେଠାରୁ ହିଁ ତାଙ୍କର ଅଭିନୟର କ୍ୟାରିଅର୍‌ ଆକାଶ ଛୁଇଁବା ଆରମ୍ଭ ହେଲା । ତାଙ୍କର ଅଭିନୟ ଯାଦୁରେ ବହୁ ଦର୍ଶକ ଆକର୍ଷିତ ହୋଇଥିଲେ । ଏହାପରେ ସେ କଲର୍ସ ଚ୍ୟାନେଲରେ ପ୍ରସାରିତ ଭାରତର ସବୁଠାରୁ ବଡ଼ ରିଅଲିଟି ଶୋ’ ବିଗ୍‌ବସ ସିଜନ୍‌ ୧୩କୁ ଆସିଥିଲେ । ସେଠାରେ ତାଙ୍କର ଖେଳିବାର ଅନ୍ଦାଜ ଓ ପଞ୍ଜାବ ଗାୟିକା ତଥା ଅଭିନେତ୍ରୀ ସେହନାଜ ଗୀଲଙ୍କ ମଧ୍ୟରେ ଥିବା କେମେଷ୍ଟ୍ରି କାରଣରୁ ତାଙ୍କର ପ୍ରଶଂସକଙ୍କ ସଂଖ୍ୟା ବଢ଼ିଥିଲା । ଏହିପରିକି ପ୍ରଶଂସକ ଏହି ଦ୍ୱୟଙ୍କ ନାମକୁ ନେଇ ହାସ୍‌ଟ୍ୟାଗ୍‌ ‘ସିଦ୍ଧନାଜ୍‌’ଯୋଡ଼ିର ପ୍ରସାର କରିଥିଲେ । ଏହାପରଠାରୁ ଏହି ଦ୍ୱୟଙ୍କ ଯୋଡ଼ି ସବୁ ସ୍ଥାନରେ ଯଥା ରିଅଲିଟି ଶୋ’, ମୁ୍ୟକଜିକ୍‌ ଆଲବମ୍‌ ଆଦିରେ ଦେଖିବାକୁ ମିଳିଥିଲା । ଏଥି ସହ ‘ଖତରୋନ୍‌ କେ ଖିଲାଡି’ ସିଜନ-୭ରେ ସିଦ୍ଧାର୍ଥ ବିଜେତା ହୋଇଥିଲେ । ଟେଲିଭିଜନ୍‌ ଛଡ଼ା ସେ ବଲିଉଡ ଫିଲ୍ମ ‘ହମ୍ପଟି ଶର୍ମାକି ଦୁଲହନିଆ’ ଓ ଏକତା କପୁରଙ୍କ ଲୋକପ୍ରିୟ ସିରିଜ ‘ବ୍ରେକନ୍‌ ବଟ୍‌ ବିୟୁଟିଫୁଲ୍‌-୩’ରେ ଅଭିନୟ କରିଥିଲେ । ଏକତାଙ୍କ ସିରିଜରେ ଶେଷ ଥରକ ପାଇଁ ସେ ଅଭିନୟ କରିଛନ୍ତି ।
୧୯୮୦ ଡିସେମ୍ବର ୧୨ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିବା ସିଦ୍ଧାର୍ଥ ୨୦୦୪ରେ ଟେଲିଭିଜନ ଜଗତକୁ ଏଣ୍ଟ୍ରି କରିଥିଲେ । ସିଦ୍ଧାର୍ଥଙ୍କ ପରିବାରରେ ଦୁଇ ଜଣ ଭଉଣୀ ଓ ତାଙ୍କ ମାଆ ରହିଛନ୍ତି । ସିଦ୍ଧାର୍ଥ ଛୋଟ ଥିବା ସମୟରେ ତାଙ୍କ ପିତାଙ୍କ ଦେହାନ୍ତ ହୋଇଥିଲା । ସେ ପିତାଙ୍କୁ ବହୁତ ଭଲ ପାଆନ୍ତି ବୋଲି ସିଦ୍ଧାର୍ଥ ବିଗ୍‌ବସ୍‌ ଘରେ ଥିବା ସମୟରେ ବାରମ୍ବାର କହୁଥିଲେ ।

Comments are closed.