Reported by Umakalyan Mohapatra
ଭଦ୍ରକ,୨୬ା୫(ଜିପ୍ର): ମେ ୨୬:ଭଦ୍ରକ ଜିଲ୍ଳାକୁ ଅନ୍ୟ ରାଜ୍ୟକୁ ଫେରୁଥିବା ଅନ୍ୟରାଜ୍ୟ ତଥା ଜିଲ୍ଲାର ପ୍ରବାସୀ ଶ୍ରମିକମାନେ ସେମାନଙ୍କୁ ରହିବା, ଖାଇବା ଆଦି ସୁବିଧା ସୁଯୋଗରେ ଅବହେଳା କରିବା ପ୍ରତିବାଦରେ ଆଜି ୧୬ନମ୍ବର ଜାତୀୟ ରାଜପଥକୁ ଦୀର୍ଘ ଅଢେଇଘଣ୍ଟା କାଳ ଅବରୋଧ କରିଥିଲେ । ଜିଲ୍ଳାରେ ଏବେ ପ୍ରବାସୀ ଫେରନ୍ତା ଶ୍ରମିକଙ୍କ ସୁଅ ଛୁଟିଛି । ଜିଲ୍ଳାର ଫେରନ୍ତାଙ୍କ ବାଦ ଅନ୍ୟ ଜିଲ୍ଲା ଓ ରାଜ୍ୟର ପ୍ରାୟ ୧୧ହଜାର ଭଳି ପ୍ରବାସୀ ଏବେ ଭଦ୍ରକ ରେଳ ଷ୍ଠେସନରେ ଓହ୍ଲାଇଛନ୍ତି । ଆଉ ଷ୍ଠେସନରୁ ଏହି ଅନ୍ୟ ଜିଲ୍ଲା ତଥା ରାଜ୍ୟର ପ୍ରବାସୀ ଶ୍ରମିକଙ୍କୁ ନେଇ ପୋଲିସ ଭଦ୍ରକ ସ୍ୱୟଂଶାସିତ କଲେଜରେ ହୋଇଥିବା ଅସ୍ଥାୟୀ ଘରେ ରଖୁଛି । ହେଲେ ସେଠାରେ କୌଣସି ପ୍ରକାର ସୁବିଧା ସୁଯୋଗ ନଥିବା ବେଳେ ଖାଦ୍ୟପେୟ ଓ ପାନୀୟ ଜଳର ବ୍ୟବସ୍ଥା ବି ନାହିଁ । ଫଳରେ ଆଜି ପୂର୍ବାହ୍ନ ୮ଟା ବେଳେ ହଜାର ହଜାର ଫେରନ୍ତା ପ୍ରବାସୀ (ଛୋଟ ଶିଶୁ, ମହିଳା ଓ ବୟସ୍କଙ୍କ ସହ)ଜାତୀୟ ରାଜପଥର କଲେଜଛକ ଓଭରବ୍ରିଜରେ ଏକତ୍ରିତ ହୋଇ ରାଜପଥକୁ ଦୀର୍ଘ ଅଢେଇଘଣ୍ଟାକାଳ ଅବରୋଧ କରି ରଖିଥିଲେ । ଫଳରେ ରାଜପଥରେ ଅଟକି ରହିଥିଲା ହଜାର ହଜାର ସଂଖ୍ୟକ ଯାନବାହନ । ପରେ ପ୍ରଶାସନ ଓ ପୋଲିସ ବହୁ ବୁଝାଶୁଝା କରି ଏମାନଙ୍କୁ ରାଜପଥ ଅବରୋଧରୁ ନିବୃତ୍ତ କରିଥିଲା । ପଂଜୀକରଣ ବାଦ ଅଧିକ ସଂଖ୍ୟକ ପ୍ରବାସୀମାନେ ଜିଲ୍ଲା ପ୍ରଶାସନର ଚିନ୍ତା ବଢାଉଥିବା କଥା କେତେକ କହୁଥିବା ବେଳେ ଏସବୁ ଅବ୍ୟବସ୍ଥା ପାଇଁ ଅନେକ ପ୍ରଶାସନକୁ ଦାୟୀ କରିଛନ୍ତି । ସମସ୍ତଙ୍କ ପାଇଁ ଖାଇବା, ପିଇବା ଓ ଶୋଇବା ବ୍ୟବସ୍ଥା କରାଯାଇନଥିବା ଅଭିଯୋଗ ହୋଇଛି ।
Comments are closed.