ଭୁବନେଶ୍ୱର : ଜୁଲାଇ ୩୧:ପ୍ଲାଜମା ଥେରାପି ଗୁରୁତର କରୋନା ଆକ୍ରାନ୍ତଙ୍କୁ ସୁସ୍ଥ କରିବାରେ ସଫଳ ହୋଇଛି । ପ୍ଲାଜମା ଥେରାପିର ପ୍ରୟୋଗ ପରେ ୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ରାଉରକେଲାସ୍ଥିତ ଇସ୍ପାତ ଜେନେରାଲ ହସ୍ପିଟାଲରେ ପ୍ଲାଜମା ବ୍ୟାଙ୍କ ଲୋକାର୍ପଣ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି । ଭିଡିଓ କନଫରେନ୍ସ ଜରିଆରେ ଆଇଜିଏଚରେ ପ୍ଲାଜମା ବ୍ୟାଙ୍କ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ଲାଜମା ବ୍ୟାଙ୍କକୁ ଏକ ଆନ୍ଦୋଳନରେ ପରିଣତ କରାଯିବ । ଏଥିପାଇଁ ରାଜ୍ୟ ମନ୍ତ୍ରୀମାନଙ୍କୁ ବିଭିନ୍ନ ଜିଲ୍ଲାର ଦାୟିତ୍ୱ ନ୍ୟସ୍ତ କରାଯାଇଛି । କରୋନାରୁ ସୁସ୍ଥ ବ୍ୟକ୍ତିଙ୍କୁ ପ୍ଲାଜମା ଦାନ ପାଇଁ ପ୍ରୋତ୍ସାହିତ କରାଯିବ । ଏହି ଅବସରରେ କରୋନାରୁ ସୁସ୍ଥ ହୋଇଥିବା ଜଣେ ବ୍ୟକ୍ତି ପ୍ଲାଜମା ଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୁକ୍ରବାର ଉଦ୍ଘାଟନ ହୋଇଥିବା ପ୍ଲାଜମା ବ୍ୟାଙ୍କ ପଶ୍ଚିମ ଓଡ଼ିଶା ଓ ସୁନ୍ଦରଗଡ଼ ଜିଲ୍ଲା ପାଇଁ କରୋନା ଚିକିତ୍ସାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । କରୋନା ପାଇଁ ଯେହେତୁ ଟିକା ବାହାରି ନାହିଁ, ତେଣୁ ଏହାର ଉପଚାରରେ ପ୍ଲାଜମା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି । ରାଜ୍ୟ ସରକାରଙ୍କ ସହଯୋଗରେ ଏହି କାମ ଆଗକୁ ବଢ଼ିବ । ସୁନ୍ଦରଗଡ଼, ଝାରସୁଗୁଡ଼ା ତଥା ପଶ୍ଚିମ ଓଡ଼ିଶାର ଲୋକେ ସହଜରେ ପ୍ଲାଜମା ଦାନ କରିପାରିବେ । ଏହା ଦ୍ୱାରା ସ୍ଥାନୀୟ ଲୋକେ ଉପକୃତ ହୋଇପାରିବେ ବୋଲି ସେ କହିଥିଲେ ।
Comments are closed.