ବଦଳିବ ୯ମ ଓ ୧୦ମ ପରୀକ୍ଷା ପଦ୍ଧତି, ରାଜ୍ୟ ମାଧ୍ୟମିକ ବୋର୍ଡ ଜାରି କଲା ନୂଆ ସର୍କୁଲାର

ଭୁବନେଶ୍ୱର: ଅଗଷ୍ଟ ୧୧: କରୋନା ମହାମାରୀକୁ ନଜରରେ ରଖି ରାଜ୍ୟ ମାଧ୍ୟମିକ ବୋର୍ଡ ୨୦୨୧-୨୨ ବର୍ଷର ୯ମ ଓ ୧୦ ପରୀକ୍ଷା ଲଗି ନୂଆ ପଦ୍ଧତି ଆପଣେଇବାକୁ ଯାଉଛନ୍ତି । ‘ସ୍କିମ୍‌ ଅଫ୍‌ ଆସେସ୍‌ମେଣ୍ଟ’ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛି ବୋର୍ଡ । ଯାହାଫଳରେ ୯ମ ଓ ୧୦ମ ଛାତ୍ରଛାତ୍ରୀଙ୍କ ପରୀକ୍ଷାରେ ବଡ଼ ପରିବର୍ତ୍ତନ ଆସିବ । ଏହି ପଦ୍ଧତି ମାଧ୍ୟମରେ ପ୍ରଥମ ଥର ପାଇଁ ୯ମ ଓ ୧୦ମ ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମରେ ଛୋଟ ଓ ବଡ଼ ମିଶାଇ ୬ଟି ପରୀକ୍ଷା ହେବ । ସେଥିମଧ୍ୟରୁ ୪ଟି ଛୋଟ ପରୀକ୍ଷା ହେଲା ବେଳେ ୨ଟି ବଡ଼ ପରୀକ୍ଷା ହେବ । ଯଦି ବାର୍ଷିକ ପରୀକ୍ଷା ବାତିଲ ହୁଏ ତେବେ, ଦେଇଥିବା ସେହି ପରୀକ୍ଷାକୁ ଆଧାର କରି ମୂଲ୍ୟାଙ୍କନ କରାଯିବ ।
ଶିକ୍ଷା ବର୍ଷ ଜୁଲାଇରେ ଆରମ୍ଭ ହୋଇ ଏପ୍ରିଲରେ ଶେଷ ହେବ । ଏହାକୁ ପୁଣି ଦୁଇଟି ଟର୍ମରେ ବିଭକ୍ତ କରାଯାଇଛି । ପ୍ରଥମ ଟର୍ମ-ଜୁଲାଇ ୨୦୨୧ରେ ଆରମ୍ଭ ହୋଇ ନଭେମ୍ବର ୨୦୨୧ରେ ଶେଷ ହେବ । ସେହିପରି ଦ୍ୱିତୀୟ ଟର୍ମ-ଡିସେମ୍ବର ୨୦୨୧ରେ ଆରମ୍ଭ ହୋଇ ଏପ୍ରିଲ ୨୦୨୨ରେ ଶେଷ ହେବ । ପ୍ରତି ଶିକ୍ଷା ବର୍ଷରେ ୪ଟି ଫର୍ମଟିଭ୍‌ ଆସେସ୍‌େଣ୍ଟେ ରହିବ । ପ୍ରଥମ ଟର୍ମରେ- ୧ମ ଓ ୨ୟ ଫର୍ମେଟିଭ୍‌ ଆସେସ୍‌ମେଣ୍ଟ ରହିଥିଲା ବେଳେ ଦ୍ୱିତୀୟ ଟର୍ମରେ-୩ୟ ଓ ୪ର୍ଥ ଫର୍ମେଟିଭ୍‌ ଆସେସ୍‌ମେଣ୍ଟ ରହିବ । ସେହିପରି ପାଠ୍ୟକ୍ରମର ୫୦ ପ୍ରତିଶତ ପ୍ରତି ଟର୍ମରେ ପଢ଼ାଯିବ । ଗତବର୍ଷ ଭଳି ପାଠ୍ୟକ୍ରମ କମ୍‌ ରହିବ । ତେବେ ପାଠ୍ୟକ୍ରମ କେତେ ରହିବ ଓ ତାହାର ରୂପରେଖ କ’ଣ ରହିବ ତାହାନେଇ ମାଧ୍ୟମିକ ବୋର୍ଡ ଖୁବ୍‌ଶୀଘ୍ର ବିଜ୍ଞପ୍ତି ଜାରି କରିବ ।
ଗତ ବର୍ଷ କରୋନା ଯୋଗୁଁ ଦେଖି ପରୀକ୍ଷାମାନ ବାତିଲ କରାଯାଇଥିଲା । ସ୍ୱତନ୍ତ୍ର ମୂଲ୍ୟାଙ୍କନ ପଦ୍ଧତିରେ ଛାତ୍ରଛାତ୍ରୀଙ୍କୁ ମାର୍କ ଦିଆଯାଇଥିଲା ବେଳେ ବହୁ ଛାତ୍ରଛାତ୍ରୀ ନିଜ ମାର୍କକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ । ତେବେ ଆଗକୁ ଯେପରୀ ସେହିଭଳି ପରିସ୍ଥିତି ନଉପୁଜେ ସେଥିପାଇଁ ରାଜ୍ୟ ମାଧ୍ୟମିକ ବୋର୍ଡ ୯ମ ଓ ୧୦ମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି ।

Comments are closed.