ବାଘଛାଲ ଅଭିଯୁକ୍ତ ଡାକ୍ତରଖାନାରୁ ଚମ୍ପଟ

ବାରିପଦା : ଡାକ୍ତରଖାନାରୁ ଚମ୍ପଟ ମାରିଲା ବାଘଛାଲ ବେପାରୀ I ଗତକାଲି ଧରାପଡିଥିବା ୩ ଅଭିଯୁକ୍ତଙ୍କ ମଧ୍ୟରୁ,ଅନ୍ୟତମ ଅଭିଯୁକ୍ତ ହେଉଛି ରୂପାଏ ମାରାଣ୍ଡି I ସେ ଅସୁସ୍ଥ ହେବାର ବାହାନା କରି ଗତକାଲି ବାରିପଦା ପିଆରଏମ୍‌ ମେଡିକାଲରେ ଭର୍ତ୍ତି ହୋଇଥିଲା I ତେବେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ବାରିପଦା ଡ଼ାକ୍ତରଖାନାରୁ ଚମ୍ପଟ ମାରିଛି ରୂପାଏ । ଏନେଇ ବନ ବିଭାଗ ପକ୍ଷରୁ ବାରିପଦା ଟାଉନ୍‌ ଥାନାରେ ମାମଲା ରୁଜୁ ହୋଇଛି ।

ଘଟଣାଅନୁସାରେ,ଶିମିଳିପାଳ ଅଭୟାରଣ୍ୟର ପାଦଦେଶର ଖୁଣ୍ଟା ଥାନା ଅନ୍ତର୍ଗତ ବହଳଦା ଗ୍ରାମରେ କଲରାପତରିଆ ବାଘ ଛାଲ ଥିବା ନେଇ ଖବର ମିଳିଥିଲା। ବାରିପଦା ବନଖଣ୍ଡ ଅଧିକାରୀ ସନ୍ତୋଷ କୁମାର ଯୋଶୀ ଓ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଉପ ନିର୍ଦ୍ଦେଶକ ସମ୍ରାଟ ଗୌଡା ମିଳିତ ଭାବେ ରବିବାର ଚଢ଼ାଉ କରି ୩ଜଣ ଅଭିଯୁକ୍ତକୁ ଗିରଫ କରିବା ସହ ୪ଗୋଟି ବାଘ ଛାଲ ଜବତ କରିଥିଲେ। ୩ ଅଭିଯୁକ୍ତଙ୍କ ମଧ୍ୟରୁ ବିଶୋଇ ଥାନା ଅନ୍ତର୍ଗତ ରୁଗୁଡ଼ିହି ଗ୍ରାମର ରୁପାଏ ମୁର୍ମୁ ଅନ୍ୟତମ । ଅଭିଯୁକ୍ତ ହେପାଜତରେ ଥିବା ବେଳେ ରାତିରେ ରୁପାୟ ଛାତିରେ ଯନ୍ତ୍ରଣା ହେଉଥିବା କହିଥିଲା । ଚିକିତ୍ସା ପାଇଁ ବନବିଭାଗ ଜଣେ ଅଫିସର ଓ ଜଣେ କର୍ମଚାରୀ ବାରିପଦା ପିଆରଏମ୍ ମେଡିକାଲରେ ଭର୍ତି କରିଥିଲେ । ହେଲେ ସୁରକ୍ଷାରେ ଢ଼ିଲା ରହିବାର ସୁଯୋଗ ନେଇ ହସ୍ପିଟାଲ ବେଡରୁ ଚମ୍ପଟ ମାରିଛି ଅଭିଯୁକ୍ତ । ଘଟଣାରେ ଡିଏଫଓ ବାରିପଦା ଟାଉନ ଥାନାରେ ଏତଲା ଦେବା ସହିତ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ଫେରାର ଅଭିଯୁକ୍ତକୁ ଧରିବା ପାଇଁ ୪ଟି ଟିମ୍ ଗଠନ ହୋଇଥିବା କହିଛନ୍ତି ଡିଏଫଓ ।

ଏହି ଘଟଣାରେ ବାରିପଦା ବନଖଣ୍ଡ ରେଞ୍ଜରେ କେଶ ନମ୍ବର ୩୭ବିଏ/୨୦୨୩-୨୪ ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚାଲୁ କରିବା ସହ ବାରିପଦା ରେଞ୍ଜର ଲକ୍ଷ୍ମୀଧର ବେହେରାଙ୍କୁ କୈଫତ ତଲବ କରିଛନ୍ତି ବାରିପଦା ବନଖଣ୍ଡ ଅଧିକାରୀ ସନ୍ତୋଷ ଯୋଶୀ।

Comments are closed.