ବାତ୍ୟା ‘ଆମ୍ପନ’ ଭୟ : ୨ଦିନରେ ୧୫ହଜାର ଲୋକ ସ୍ଥାନାନ୍ତର, ସତର୍କ ରହିବାକୁ ଜିଲ୍ଲାପାଳଙ୍କ ଭିଡିଓ ବାର୍ତ୍ତା
ବର୍ଷା ଓ ମୃଦୁ ପବନ ଜାରି ହାଇଆଲର୍ଟ ଧାମରା-ଚାନ୍ଦବାଲି ଅଞ୍ଚଳରେ ବବି ଦାସ
Reported by Umakalyan Mohapatra
ଭଦ୍ରକ,୧୯ ।୦୫(ଜିପ୍ର):ଜିଲ୍ଳାର ହାଇଆଲର୍ଟରେ ଥିବା ଚାନ୍ଦବାଲି ଓ ବାସୁଦେବପୁର ବ୍ଲକ ର ଉପକୂଳବର୍ତ୍ତୀ ଅଞ୍ଚଳରେ ‘ଆମ୍ପନ’ର ପ୍ରଭାବରେ ବର୍ଷା ଓ ପବନ ଆରମ୍ଭ ହୋଇଛି । ସମୁଦ୍ର କୂଳବର୍ତ୍ତୀଞ୍ଚଳରେ ଥିବା ଝାଠିମାଟି, କଚା, ଆଜବେସଟେସ, ଟାଇଲ ଓ ଟିଣ ଘରେ ଥିବା ପରିବାରକୁ ବାତ୍ୟା ଆଶ୍ରୟସ୍ଥଳୀ ଓ ନିରାପଦ ସ୍ଥାନ(ସ୍କୁଲ)କୁ ଯିବାପାଇଁ ବିଡିଓ ଓ ତହସିଲଦାରମାନଙ୍କ ଜରିଆରେ ଆଜି ଉଦ୍ୟମ ଜାରୀ ରହିଛି । ଏନଡିଆରଏଫ ଟିମ୍ ଡାକବାଜୀ ଯନ୍ତ୍ରରେ ଲୋକମାନଙ୍କୁ ସତର୍କ ରହିବାକୁ ନିବେଦନ କରିଛନ୍ତି । ଚାନ୍ଦବାଲି, ଧାମରା ଓ ବାସୁଦେବପୁର ବ୍ଲକର ଅଧିକ ପ୍ରଭାବିତ ହେବାର ଆଶଙ୍କା ଥିବା ପଞ୍ଚାୟତ ଗୁଡିକରେ ସଂପୃକ୍ତ ବ୍ଲକ ପ୍ରଶାସନ ପକ୍ଷରୁ ସ୍ଥାନାନ୍ତରୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଗତକାଲି ଧାମରାର ୮ଟି ପଞ୍ଚାୟତର ୭୭୨୭ଲୋକଙ୍କୁ ଥଇଥାନ କରାଯାଇଥିବା ବେଳେ ଆଜି ଚାନ୍ଦବାଲି ବ୍ଲକର ୬ହଜାର ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ ବୋଲି ଉଦ୍ୟମ ଜାରି ରହିଛି । ଏହି ସ୍ଥାନାନ୍ତର ପ୍ରକ୍ରିୟାରେ ବର୍ଷା ପ୍ରତିବନ୍ଧକ ସାଜିଥିବା ତଥା ଚାନ୍ଦବାଲି ବ୍ଲକ ପ୍ରଶାସନରୁ ସୂଚନା ମିଳିଛି । ସେହପରି ବାସୁଦେବପୁର ବ୍ଲକର ସମୁଦ୍ର ଉପକୂଳବର୍ତ୍ତୀ ୪ ପଞ୍ଚାୟତ ମଧ୍ୟରୁ -ଅଢୁଆଁ, ଇରମ, ଚୂଡାମଣି ଓ ପଢୁଆଁର ୨ହଜାର ଲୋକଙ୍କୁ ଥଇଥାନ କରାଯିବାକୁ ପ୍ରକ୍ରିୟା ଜାରି ରହିଛି । ଆଜି ବାତ୍ୟା ପ୍ରଭାବିତ ହାଇଆଲର୍ଟ ଜୋନରେ ଥିବା ଧାମରାରେ ରାଜ୍ୟ ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ଦାସ ଆସି ପହଞ୍ଚିଛନ୍ତି । ପ୍ରଭାବିତ ଧାମରା ଅଞ୍ଚଳର ବିିଭିନ୍ନ ପଞ୍ଚାୟତକୁ ଯାଇ ବିଧାୟକ ଶ୍ରୀ ଦାସ ପ୍ରଶାସନର ବାତ୍ୟା ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ଗୁଡିକୁ ସମୀକ୍ଷା କରିଥିଲେ । ତାଙ୍କ ସହ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟପକ୍ଷରେ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳର ଝାଟିମାଟି, କଚାଘରେ ଥିବା ଲୋକଙ୍କୁ ଜିଲ୍ଳାପାଳ ଜ୍ଞାନ ଦାସ ଏକ ଭିଡିଓ କ୍ଲିପିଂ ଜରିଆରେ ନିରାପଦ ସ୍ଥାନକୁ ଯିବା ପାଇଁ ପରାମର୍ଶ କରିଛନ୍ତି । ନିକଟସ୍ଥ ବାତ୍ୟା ଆଶ୍ରାୟସ୍ଥଳ କିମ୍ବା ପକ୍କାଘରରେ ଘରେ ଆଶ୍ରୟ ନେବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି । ବାତ୍ୟାରେ ଘରୁ ପଦାକୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି । ବିଶେଷ କରି ବାତ୍ୟା ସମୟରେ ନଡିଆ କିମ୍ବା ଆମ୍ବ ଗଛ ନିକଟକୁ ନଯିବା ପାଇଁ ପରାମର୍ଶ ଦେଇଛନ୍ତି । ସେହିପରି ବାତ୍ୟା ପ୍ରଭାବିତ ଅଞ୍ଚଳରେ ଥିବା ଗର୍ଭବତୀ ମହିଳା, ବୟସ୍କ, ଭିନ୍ନକ୍ଷମ ଓ ଶିଶୁମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ସ୍ଥାନାନ୍ତର କରାଯିବା ପାଇଁ ପ୍ରଶାସନ ଗୁରୁତ୍ୱ ଦେଇଥିବା କଥା ଜିଲ୍ଳାପାଳ ଶ୍ରୀ ଦାସ ପ୍ରକାଶ କରିଛନ୍ତି ।
Comments are closed.