ବିନା ମାସ୍କରେ ଘରୁ ବାହାରିଲେ ୧୦୦୦ ଟଙ୍କା ଫାଇନ୍‌

ଭୁବନେଶ୍ୱର : ଜୁଲାଇ ୩୧: ଏଣିକି ବିନା ମାସ୍କରେ ଘରୁ ବାହାରିଲେ ତଣ୍ଡ ଗଣିବାକୁ ପଡିବ ହଜାରେ ଟଙ୍କା । ବାହାରେ ଛେପ ପକାଇଲେ ଏପରିକି ମାସ୍କ ସଠିକ ଭାବେ ନପିନ୍ଧିଲେ ମଧ୍ୟ ଗଣିବାକୁ ପଡିବ ଅଧିକ ଫାଇନ । ତେବେ ପ୍ରଥମ ଦୁଇ ଥର ନିୟମ ଭାଙ୍ଗିଲେ ହଜାର ଟଙ୍କା ଫାଇନ୍‌ ଦେବାକୁ ନିୟମ ରହିଥିଲାବେଳେ ଦ୍ୱିତୀୟ ଥର ନିମୟ ଉଲ୍ଲଂଘନ କଲେ ସଂପୃକ୍ତ ବ୍ୟକ୍ତିଙ୍କଠାରୁ ୫ ହଜାର ଟଙ୍କା ଜରିମାନା ଆଦାୟ କରାଯିବ ବୋଲି କଡା ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ସେହିପରି ସର୍ବସାଧାରଣରେ ଛେପ ପକାଇଲେ ମଧ୍ୟ ସମାନ ଟଙ୍କାର ଜରିମାନା ଆଦାୟ କରାଯିବ । ବାହାଘରରେ ନିୟମ ଭାଙ୍ଗିଲେ ୧୦, ୦୦୦ ଟଙ୍କା ଫାଇନ ସହ ବାହାଘର ହେଉଥିବା ସ୍ଥାନକୁ ସିଲ କରି ଦିଆଯିବ । ୧୦ ଜଣଠୁ ବେଶୀ ଲୋକ ଏକାଠି ହେଲେ ମଧ୍ୟ ଫାଇନ ପଡିବ ।
ଏଥିଲାଗି ରାଜ୍ୟ ସରକାର କଡ଼ା କଟକଣା ଜାରି କରିଛନ୍ତି । ଶୁକ୍ରବାର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ଦିନକୁ ଦିନ ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ରାଜ୍ୟରେ ଗତ କିଛି ଦିନରେ ଲୋକଙ୍କର ଖାମଖିଆଲ ମନୋଭାବ ବଢ଼ିଯାଇଛି । ସଂକ୍ରମଣ ବଢ଼ୁଥିବା ସତ୍ତ୍ୱେ ଚେତୁନାହାନ୍ତି ଲୋକେ । ଆଉ ଏହାକୁ ଦୃଷ୍ଟିରେ ରଖି କଟକଣାକୁ କଡ଼ାକଡ଼ି କରିଛନ୍ତି ରାଜ୍ୟ ସରକାର । ତେବେ କରୋନା ମୁକାବିଲା ପାଇଁ ହୋଇଥିବା ନିୟମ ନମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ସଚିବ କହିଛନ୍ତି ।

Comments are closed.