ବିନ୍ଧ କାର୍ଯ୍ୟ ଶେଷ, ଦଣ୍ଡା ନିର୍ମାଣ ଆରମ୍ଭ

Nrusinga Charan Mohanty

ପୁରୀ,୨୪ା୫(ସବ୍ୟୁ): ରଥଖଳାରେ ୩ରଥର ଚକ ନିର୍ମାଣ କାର୍ଯ୍ୟ ପ୍ରାୟତଃ ଶେଷ ହୋଇଥିବା ବେଳେ ରବିବାର ଦଣ୍ଡା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥର ୧୪ଟି ଚକ ମଧ୍ୟରୁ ୧୩ଟି ଚକର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଅବଶିଷ୍ଟ ଗୋଟିଏ ଚକର ତୁମ୍ବରେ ଅର ସଂଯୋଗ ପୂର୍ବକ ବିଲେଇ ବାଡିଆ ପରେ ଜନ୍ତାଗାଡ ରଥଖଳାକୁ ଅଣାଯାଇଛି । ଏହା ପରେ ଅରରେ ସାଲ କରାଯାଇ ପଇ ସଂଯୋଗ କାର୍ଯ୍ୟ ଆରମ୍ଭ ହେବ । ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥର ୧୨ଟି ଚକ ମଧ୍ୟରୁ ୧୧ଟି ଚକ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ଅବଶିଷ୍ଟ ଗୋଟିଏ ଚକର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ୧୬ଟି ଚକ ମଧ୍ୟରୁ ୧୫ଟି ଚକର କାର୍ଯ୍ୟ ଶେଷ ହୋଇଛି । ଶେଷ ଚକ ତୁମ୍ବରେ ଯନ୍ତାଗାଡରେ ସିଙ୍ଗଡା ବାଡିଆ କାର୍ଯ୍ୟ ସରି ରଥଖଳାକୁ ଅଣାଯାଇ ଅରରେ ସାଲ କରାଯାଉଛି । ଏହା ପରେ ପଇ ସଂଯୋଗ ଆରମ୍ଭ ହେବ । ରବିବାର ରାତି ସୁଦ୍ଧା ୩ରଥର ସମସ୍ତ ଚକ ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ପ୍ରତ୍ୟେକ ରଥର ୨ଟି ଲେଖାଏଁ ଗରଗରାର ପ୍ରସ୍ତୁତି ସରିଥିଲା । ରବିବାର ବିନ୍ଧ କାର୍ଯ୍ୟ ଶେଷ ହୋଇଛି । ରବିବାର ଠାରୁ ଆରମ୍ଭ ୩ରଥର ଦଣ୍ଡା ନିର୍ମାଣ କାର୍ଯ୍ୟ ହୋଇଛି । ତାଳଧ୍ୱଜ ରଥର ୯ଟି, ଦେବଦଳନ ରଥର ୭ଟି ଓ ନନ୍ଦିଘୋଷ ରଥର ୯ଟି ଦଣ୍ଡା କାର୍ଯ୍ୟ ଚାଲିଛି । ବାରିସି ସାହାଯ୍ୟରେ ଦଣ୍ଡାର ଚାରିପାଖ ଏବେ ସମତୁଲ କରାଯାଉଛି । ଉଲ୍ଲେଖଯୋଗ୍ୟ ଯେ ଚକ ଅଖ ଯୋଡାଯିବା ରଥ ନିର୍ମାଣର ପ୍ରଥମ ପର୍ଯ୍ୟାୟ, ଦ୍ୱିତୀୟ ପର୍ଯ୍ୟାୟରେ ଚକ ଅଖକୁ ବାନ୍ଧି ରଖିବା ପାଇଁ ଦଣ୍ଡା ପକାଯାଏ । ତୃତୀୟା ପର୍ଯ୍ୟାୟରେ ଦଣ୍ଡା ଉପରେ ଗରଗରା ପଡିବା ପରେ ଚାରିନାହାକା ଉଠିଥାଏ । ଏହା ପରେ ରଥର ଉଭୟ ପାଶ୍ୱର୍ରେ ପୋଲ ଗୟଳ ପକାଯିବା ପରେ ଚନ୍ଦା ଗୟଳ ଲାଗି କରାଯିବ । ଗୟଳକୁ ମୁଣ୍ଡାଇ ରଖିବା ପାଇଁ ଟାଣ ଦିଆଯାଏ । ପ୍ରତି ରଥରେ ୧୧ଟି ୫ଫୁଟିଆ ଟାଣ ଦିଆଯାଏ । ଏହାପରେ ଚକ ସଂଖ୍ୟା ଅନୁଯାୟୀ ଯୋଖା ଲାଗି ପରେ ବେଦି ପଟା ପକାଯାଏ । ଏ ମଧ୍ୟରେ ରୂପକାର ସେବକମାନେ ଗୁଜରେ ସିଂହ ବିରାଳ ରୂପ ଖୋଦେଇ କାର୍ଯ୍ୟ ପ୍ରାୟ ୭୫ଭାଗ ସମ୍ପୂର୍ଣ୍ଣ କରିଛନ୍ତି । ଦୋଳବେଦୀର ଅସ୍ଥାୟୀ ଶାଳରେ ଓଝା ମହାରଣା ସେବକମାନେ ଦଣ୍ଡା କଣ୍ଟା ପ୍ରସ୍ତୁତିରେ ଲାଗିଛନ୍ତି ।

Comments are closed.