ବିଶାଖାପାଟଣାରେ ବିଶାକ୍ତ ଗ୍ୟାସ୍‌ ଲିକ୍‌: ୧୩ ମୃତ, ୩୦୦ରୁ ଅଧିକ ଗୁରୁତର

Edited by Papu Mohanty

ବିଶାଖାପାଟଣା : 07/05: ସଂପ୍ରତି କରୋନା ଭାଇରସକୁ ନେଇ ସମଗ୍ର ଦେଶ ଏକ ଭୟ ଓ ଆତଙ୍କର ବାତାବରଣ ମଧ୍ୟଦେଇ ଗତି କରୁଥିବା ବେଳେ ଗୁରୁବାର ପ୍ରତ୍ୟୁଷରୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଘଟିଯାଇଛି ଆଉ ଏକ ଅଭାବନୀୟ ଘଟଣା । ବିଶାଖାପାଟଣା ନିକଟସ୍ଥ ଗୋପାଳପଟ୍ଟନମରେ ଥିବା ଏଲଜି ପଲିମରସ୍‌ ନାମକ ଏକ କାରଖାନାରୁ ବିଷାକ୍ତ ଗ୍ୟାସ ନିର୍ଗତ ହେବା କାରଣରୁ ଘଟିଛି ଏହି ଦୁଃଖଦ ଶିିଳ୍ପ ଦୁର୍ଘଟଣା । ଏଯାବତ୍‌ ଏହି ଦୁର୍ଘଟଣାରେ ୧୩ ଜଣ ପ୍ରାଣ ହରାଇ ସାରିଥିବା ବେଳେ ୩୦୦ରୁ ଅଧିକ ଗୁରୁତର ହୋଇ ଚିକିତ୍ସା ପାଇଁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତ । ତେବେ ପ୍ରାପ୍ତ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଭାଇଜାଗରେ ଥିବା ଏଲଜି ପଲିମରସ୍‌ ପ୍ଲାଣ୍ଟରୁ ଷ୍ଟିରିନ୍‌ ନାମକ ଗ୍ୟାସ ନିର୍ଗତ ହୋଇ ବାୟୁ ମଣ୍ଡଳରେ ବ୍ୟାପିଯିବା ପରେ ଘଟିଛି ଏହି ଦୁଃଖଦ ଦୁର୍ଘଟଣା । ଏପରିସ୍ଥିତିରେ ସ୍ୱ୍ୱାଭାବିକ ଭାବେ ବିଗତ ୧୯୮୪ରେ ମଧ୍ୟପ୍ରଦେଶର ଭୋପାଳରେ ଘଟି ଯାଇଥିବା ଭୟାନକ ‘ଗ୍ୟାସ ଟ୍ରାଜେଡି’ର ସେଇ ହୃଦୟ ବିଦାରକ ଚିତ୍ରସବୁ ଆଉଥରେ ସମ୍ମୁଖକୁ ଆସିଯିବା ସହ ଭାଇଜାଗ୍‌ ଗ୍ୟାସ୍‌ ଦୁର୍ଘଟଣାକୁ କେନ୍ଦ୍ରକରି ଆରମ୍ଭ ହୋଇଯାଇଛି ଚର୍ଚ୍ଚା ଓ ଆଲୋଚନା । ଘଟଣା ସମ୍ପର୍କରେ ଖବର ପାଇବା ପରେ ତୁରନ୍ତ ଆକ୍ସନରେ ଆସିଯାଇଛନ୍ତି ମୁଖ୍ୟମନ୍ତ୍ରୀ ୱାଇ ଏସ ଜଗନ୍‌ ରେzୀ । ସୂଚନାନୁସାରେ ପରିସ୍ଥିତି ଉପରେ ନଜର ରଖିବା ପାଇଁ ସେ ନିଜେ ବିଶାଖାପାଟନମ୍‌ରେ ପହଞ୍ଚିଛନ୍ତି । ଏହା ସହ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ନେଇଥିବା ଜଣାପଡିଛି । ବିଶାଖପାଟଣା ବିଷାକ୍ତ ଗ୍ୟାସ୍‌ ଲିକ୍‌ ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାରକୁ ୧ କୋଟି ଟଙ୍କାର ସହାୟତା ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ରେzି ।ଏହାସହ ଗ୍ୟାସ୍‌ ଲିକ୍‌ ଘଟଣାରେ ପୀଡ଼ିତଙ୍କୁ ୧୦ ଲକ୍ଷ ଟଙ୍କା ଓ ପ୍ରାଥମିକ ଚିକିତ୍ସା ପରେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବା ପୀଡ଼ିତଙ୍କୁ ୧ ଲକ୍ଷ ଟଙ୍କାର ସହାୟତା ଦେବାକୁ ଜଗନମୋହନ ଘୋଷଣା କରିଛନ୍ତି । ଅପରପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେzୀ, ଗୃହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ କଥା ହୋଇଛନ୍ତି । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମଗ୍ର ପରିସ୍ଥିତି ଉପରେ ନଜର ରଖିଛି ଏବଂ ସମସ୍ତ ସମ୍ଭାବ୍ୟ ସାହାଯ୍ୟର ଚେଷ୍ଟା କରାଯାଉଛ । ଏହା ସହ ପିଏମ ମୋଦୀ ସମସ୍ତଙ୍କ ସୁରକ୍ଷା ଏବଂ ସୁସ୍ଥ କାମନା କରିଛନ୍ତି । ଏଥି ସହ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ କଂଗ୍ରେସ କର୍ମୀଙ୍କୁ ସହାୟତା ପାଇଁ ନିବେଦନ କରିଛନ୍ତି ।
କ’ଣ ଏହି ଷ୍ଟିରିନ୍‌ ଗ୍ୟାସ୍‌?
ଷ୍ଟିରିନ୍‌ ହେଉଛି ରଙ୍ଗବିହୀନ ଏକ ତରଳ ରାସାୟନିକ ଗ୍ୟାସ୍‌ । ଏହାକୁ ଶୀତଳୀକୃତ କରାଯିବା ପରେ ଏହାର ବ୍ୟବହାର ରବର, ପ୍ଲାଷ୍ଟିକ୍‌ ଓ ଫାଇଭର ଉତ୍ପାଦନ କରୁଥିବା କାରଖାନାଗୁଡ଼ିକରେ କରାଯାଇଥାଏ । ଆଘ୍ରାଣରେ ଯଦିଓ ଏହି ଗ୍ୟାସ୍‌ ସୁଗନ୍ଧଯୁକ୍ତ ହୋଇଥାଏ, ତଥାପି ଏହା ଅତ୍ୟନ୍ତ ବିଷାକ୍ତ । ଏହାର ସଂସ୍ପର୍ଶରେ ଆସିଲେ ବ୍ୟକ୍ତିର ଶରୀରରେ ଅନେକ ପ୍ରତିକ୍ରିୟା ସୃଷ୍ଟି ହୋଇଥାଏ । ଯେପରିକି ନଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା, ମୁଣ୍ଡ ବୁଲାଇବା ସହ ବିନ୍ଧିବା, ବାନ୍ତି ହେବା, ଆଖି ପୋଡ଼ିବା, ଦେହହାତ ଜଳାପୋଡ଼ା ସହ କୁଣ୍ଡାଇ ହେବା, ବ୍ୟକ୍ତି ଅଚେତ ହୋଇପଡ଼ିବା ଇତ୍ୟାଦି ଲକ୍ଷଣ ସବୁ ଦେଖିବା ପାଇଁ ମିଳିଥାଏ । ଏହି ଗ୍ୟାସ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିର ଆଶୁ ଚିକିତ୍ସା କରା ନ ଗଲେ ଏହା ସଂପୃକ୍ତ ବ୍ୟକ୍ତି ପାଇଁ ମୃତ୍ୟୁର କାରଣ ମଧ୍ୟ ପାଲଟି ଥାଏ ।

Comments are closed.