ବୌଦ ଜିଲ୍ଲାରୁ ବାଘଛାଲ ଜବତ; ବନ୍ଧୁକ ଓ ଗୁଳି ସହ ଶିକାରୀ ଗିରଫ

ଭୁବନେଶ୍ୱର: ଜୁଲାଇ ୨୧: ରାଜ୍ୟରେ ବେଆଇନ ବନ୍ୟଜନ୍ତୁ ଶିକାର ଚିନ୍ତାର ବିଷୟ ପାଲଟିଛି I ବାଘ ଛାଲ, ହାତୀ ଦାନ୍ତ, ବଜ୍ରକାପ୍ତା କାତି ର ଚାଲାଣ ବୃଦ୍ଧି ପାଇବାରେ ଲାଗିଛି I ଏଭଳି ବେଆଇନ କାରବାର ଉପରେ କ୍ରାଇମ ବ୍ରାଞ୍ଚର ସ୍ୱତନ୍ତ୍ର ଟାକ୍ସ ଫୋର୍ସ(ଏସ୍‌ଟିଏଫ୍‌) ଚଢାଉ କରି କାରବାର ଉପରେ କିଛି ମାତ୍ରାରେ ରୋକ ଲଗାଇପାରିଛି I
ବୌଦ ଜିଲ୍ଲାରେ ଚଢ଼ାଉ କରି ଏସ୍‌ଟିଏଫ୍ ବାଘଛାଲ ଜବତ କରିବା ସହ ଜଣେ ଶିକାରୀଙ୍କୁ ଗିରଫ କରିଛି । ଗିରଫ ଶିକାରୀ ଜଣଙ୍କ ହେଉଛନ୍ତି, ବୋଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ଘୁଚିଙ୍ଗୀ ଗାଁର ହର ରଣା । ତାଙ୍କ ଠାରୁ ଏସ୍‌ଟିଏଫ୍ ଗୋଟିଏ ବାଘଛାଲ, ଗୋଟିଏ ଏସବିଏମଏଲ ବନ୍ଧୁକ, ୧୨ଟି ସିସା ଗୋଲି, ଦୁଇ ପ୍ଲାଷ୍ଟିକ ବାକ୍ସରେ ଥିବା ବିଷ୍ଫୋରକ ସାମଗ୍ରୀ ଜବତ କରିଛି । ଏ ନେଇ ଏସ୍‌ଟିଏଫ୍ ଆର୍ମ୍ସ ଆକ୍ଟ ୨୫ ଏବଂ ବନ୍ୟଜନ୍ତୁ ସୁରକ୍ଷା ଆଇନ ୫୧ରେ ଏକ ମାମଲା ରୁଜୁ କରିଛି ।
ସୂଚନା ଅନୁଯାୟୀ ଅଭିଯୁକ୍ତ ହର ବୌଦ୍ଧ ଜିିଲ୍ଲାରେ ବେଆଇନ ଭାବେ ବନ୍ୟଜନ୍ତୁ ଶିକାର କରୁଥିବା ନେଇ ଏସ୍‌ଟିଏଫ୍ ପାଖରେ ଗୁଇନ୍ଦା ସୂଚନା ଥିଲା । ଆଜି ସକାଳେ ହର ବାଘ ଛାଲ ନେଇ ଫେରୁଥିବା ନେଇ ଏସ୍‌ଟିଏଫ୍ ସୁଚନା ପାଇଥିଲା । ପରେ ତାଙ୍କୁ ଧରିବା ପାଇଁ ଏସ୍‌ଟିଏଫ୍‌ର ଏକ ସ୍ୱତନ୍ତ୍ର ଟିମ୍ ପୂର୍ବରୁ ସେ ଆସିବା ବାଟରେ ଜଗି ରହିଥିଲେ । ଅଭିଯୁକ୍ତ ହର ଏକ ବ୍ୟାଗ ନେଇ ଆସୁଥିବା ବେଳେ ବୋଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ କପାଶିର ଗାଁ ନିକଟରେ ଏସ୍‌ଟିଏଫ୍ ଚଢାଉ କରି ତାଙ୍କୁ ଗିରଫ କରି ଯାଞ୍ଚ କରିବାରୁ ତାଙ୍କ ପାଖରେ ଉପରୋକ୍ତ ସାମଗ୍ରୀ ବାହାରିଥିଲା ।

ଏହି କାରବାରରେ ଆଉ କିଛି ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ଏସ୍‌ଟିଏଫ୍ ହରକୁ ପଚରାଉଚରା ବେଳେ ଜାଣିବାକୁ ପାଇଥିବା ବେଳେ ସେମାନଙ୍କୁ ଧରିବା ପାଇଁ ଯୋଜନା ଚଳାଇଥିବା ସୂଚନା ମିଳିଛି ।
ତେବେ ଏଭଳି କାରବାର ଉପରେ ଚଢାଉ କରି ଏସ୍‌ଟିଏଫ୍ ବିଗତ ବର୍ଷଟେ ମଧ୍ୟରେ ୧୫ଟି ବାଘଛାଲ, ୯ ଟି ହାତୀ ଦାନ୍ତ, ଦୁଇଟି ହରିଣ ଛାଲ, ୩ଟି ଜୀବନ୍ତ ବଜ୍ରକାପ୍ତା, ୧୦ କେଜି ବଜ୍ରକାପ୍ତା କାତି ଉଦ୍ଧାର କରିଛି । ଏହି କାରବାରରେ ଜଡିତ ଥିବା ମୋଟ ୨୮ ଜଣଙ୍କୁ ଏସ୍‌ଟିଏଫ୍ ଗିରଫ କରି କୋର୍ଟ ଚାଲାଣ କରିଛି ।

Comments are closed.