Report by Nrusingha Charan Mohanty
ପୁରୀ,୧୫ା୫(ସବ୍ୟୁ):ପରମ୍ପରା ଅନୁଯାୟୀ ଆଜି ଭଉଁରୀ ଯାତ୍ରା ଅବସରରେ ମହାପ୍ରଭୁବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ୩ଟି ଅଖ ଓ ୬ଟି ଚକ ଡେରାଯାଇଛି । ଶ୍ରୀନ୍ଦିରରେ ବିଭିନ୍ନ ନୀତି ସମ୍ପାଦନ ପରେ ୩ଜଣ ପାଳିଆ ପୂଜାପଣ୍ଡା ମହାପ୍ରଭୁଙ୍କ ଆଜ୍ଞାମାଳ ଧରି ଘଣ୍ଟ, ଛତା, କାହାଳୀ ସହ ରଥଖଳାକୁ ଆସିଥିଲେ । ରଥଖଳାରେ ଆଜ୍ଞାମାଳ ପହଞ୍ଚିବା ପରେ ବିଧି ଅନୁଯାୟୀ ୩ଟି ଅଖ ଓ ଚକ ଡେରାଯାଇଥିଲା । ପ୍ରତିଦିନ ପରି ଶୁକ୍ରବାର ସକାଳେ ରଥଖଳାରେ ନିର୍ମାଣ କାର୍ଯ୍ୟ ଆରମ୍ଭ ପୂର୍ବରୁ ରଥ ନିର୍ମାଣରେ ସମ୍ପୃକ୍ତ ସେବକମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇ ସମସ୍ତ ସେବକ ସୁସ୍ଥ ଥିବା ଜଣାପଡ଼ିଥିଲା । ଏଥିସହିତ କୋଭିଡ-୧୯ ପରୀକ୍ଷା ପାଇଁ ଆଜି ମଧ୍ୟ ୫୮ଜଣଙ୍କର ସ୍ୱାବ ସଂଗ୍ରହ କରାଯାଇଥିଲା । ଏହାକୁ ମିଶାଇ ୧୮୮ଜଣଙ୍କର ସ୍ୱାବ ସଂଗ୍ରହ କରାଯାଇସାରିଛି । ଇତି ମଧ୍ୟରେ ଅନୁକୂଳ ଚକକୁ ଛାଡି ୩ରଥର ୨ଟି ଲେଖାଏଁ ଚକ ସମ୍ପୂର୍ଣ୍ଣ ହୋଇଥିବା ବେଳେ ୨ଟି ଲେଖାଏଁ ଅର ଲାଗି ସହ ୨ଟି ଲେଖାଏଁ ଚକରେ ବିଲେଇ ବାଡିଆ କାର୍ଯ୍ୟ ଚାଲିଛି । ଏଥିସହ ୩ରଥର ପାଶ୍ୱର୍ ଦେବତାଙ୍କ ବିଜେ ଆସ୍ଥାନ “ଜଳଯନ୍ତ୍ର” ନିର୍ମାଣ କରାଯାଇଛି । ନନ୍ଦିଘୋଷ ରଥର ୯ଟି, ଦର୍ପଦଳନ ରଥର ୪ଟି ଓ ତାଳଧ୍ୱଜ ରଥର ୯ଟି ଜଳଯନ୍ତ୍ର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ଏତଦ୍ବ୍ୟତୀତ ଚାରିନାହାକା ଉପରେ ସ୍ଥାପନ ପାଇଁ ୨ଟି ଲେଖାଏଁ ଓରାର ପ୍ରସ୍ତୁତ ଶେଷ ହୋଇଛି । ଦୋଳବେଦୀ କୋଣରେ ସ୍ଥାପିତ ଅସ୍ଥାୟୀ ଶାଳରେ ଓଝା ସେବକମାନେ ୩ରଥ ପାଇଁ ୨୦୦ଟି ଅରକଣ୍ଟା, ୧୨ଟି ବଳା ଓ ୧୫ ଯୋଡା ପନ୍ଦାରୀ ପ୍ରସ୍ତୁତ କରିସାରିଛନ୍ତି । ସୂଚନାଯୋଗ୍ୟଯେ,ଆସନ୍ତା ଜୁନ ୨୩ରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା । ଏଥିପାଇଁ ରଥଖଳାରେ ୩ରଥର ନିର୍ମାଣ କାର୍ଯ୍ୟ ଚାଲିଛି । ଶ୍ରୀପଞ୍ଚମୀ ଦିନ ଶ୍ରୀକ୍ଷେତ୍ରରେ ରଥକାଠ ପହଞ୍ଚିବା ଆରମ୍ଭ ହୋଇଥିଲା ।ଶ୍ରୀରାମନବମୀ ଦିନ କଟକ ଖପୁରିଆ ସାମିଲରେ ରଥକାଠ ଚିରଟ ଆରମ୍ଭ ହୋଇଥିଲା । ନୃସିଂହ ଚତୁର୍ଦ୍ଦଶୀରେ ଗୁଜ ଅନୁକୂଳ ହେବାର ବିଧି ଥିଲେ ମଧ୍ୟ କୋଭିଡ-୧୯ ଜନିତ ଲକ୍ଡାଉନ କଟକଣା ଲାଗି ତାହା ସମ୍ଭବ ହୋଇନଥିଲା । ତେବେ ପରେ ଲକଡାଉନ କଟକଣା ନିୟମ ପାଳନ ପୂର୍ବକ ରଥଖଳାରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ।
Comments are closed.