ଭକ୍ତଙ୍କ ପାଇଁ ଆଜି ଖୋଲିଲା ଘଟଗାଁ ତାରିଣୀଙ୍କ ମନ୍ଦିର, ଆସନ୍ତା କାଲି ଖୋଲିବ ଶ୍ରୀବଳଦେବଜୀଉ ମନ୍ଦିର

ଭୁବନେଶ୍ୱର: ଅଗଷ୍ଟ ୧୦: ଆଜିଠୁ ଖୋଲିଲା କେନ୍ଦୁଝର ଜିଲ୍ଲା ସ୍ଥିତ ଘଟଗାଁ ମା’ ତାରିଣୀଙ୍କ ମନ୍ଦିର । କୋଭିଡ ଗାଇଡକୁ ପାଳନ କରି ଭକ୍ତମାନେ ମନ୍ଦିରରେ ପ୍ରବେଶ କରିଛନ୍ତି । ପ୍ରାତଃ କାଳରୁ ମା’ଙ୍କ ସକାଳ ପୂଜାର୍ଚ୍ଚନା ପରେ ପ୍ରାୟ ସାଢ଼େ ୭ଟା ସମୟରେ ଶ୍ରଦ୍ଧାଳୁ ମନ୍ଦିରକୁ ପ୍ରବେଶ କରିଛନ୍ତି । କୋଭିଡ ଗାଇଡ ଲାଇନ ମାଧ୍ୟମରେ ସମସ୍ତ ବ୍ୟବସ୍ଥା କରିବା ଲାଗି ଜିଲ୍ଲା ଓ ମନ୍ଦିର ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି ।
* ୩୦ରୁ ଅଧିକ ଶ୍ରଦ୍ଧାଳୁ ଏକାକାଳୀନ ମନ୍ଦିର ବେଢ଼ାରେ ରହିବେ ନାହିଁ ।
* ଦୈନିକ ଦୁଇଟି ପର୍ଯ୍ୟାୟରେ ମନ୍ଦିର ଭିତରକୁ ଶ୍ରଦ୍ଧାଳୁ ପ୍ରବେଶ କରି ମା’ଙ୍କୁ ଦର୍ଶନ କରିପାରିବେ । ପ୍ରଥମ ପ୍ରର୍ଯ୍ୟାୟଟି- ସକାଳ ୭.୩୦ରୁ ୧୨.୩୦ । ଦ୍ୱିତୀୟ ପର୍ଯ୍ୟାୟଟି- ଅପରାହ୍ନ ୪ଟାରୁ ସନ୍ଧ୍ୟା ୭ ଯାଏ ।
* ଶ୍ରଦ୍ଧାଳୁମାନେ ମାଆଙ୍କୁ ଭୋଗ, ଦୀପ କିମ୍ବା ଧୂପ ଜଳାଇବାକୁ ବାରଣ କରାଯାଇଛି ।
*ମନ୍ଦିର ପରିସରରେ ଥିବା ମସସ୍ତ ଦୋକାନ ଓ ବଜାର ବନ୍ଦ ରହିବ ।
* ଶ୍ରଦ୍ଧାଳୁମାନେ ମା’ଙ୍କ ପାଦୁକ ସେବନ କରିପାରିବେ ନାହିଁ । ଏହାସହ ସିନ୍ଦୂର ଓ ଚନ୍ଦନ ପୂଜକଙ୍କୁ ମାଗିବେ ନାହିଁ ।
* ୧୦ ବର୍ଷରୁ କମ୍‌ ବୟସ ପିଲା ଓ ୬୫ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ମନ୍ଦିର ପ୍ରବେଶ ମନା ହୋଇଛି ।
* ମନ୍ଦିର ଭିତରେ ହେଉଥିବା ଦୈନିକ ଭୋଗ ପାର୍ସଲ ବା ଅନ୍ନ ପ୍ରସାଦ ବିକ୍ରି କରାଯିବ ନାହିଁ ।
ମା’ଙ୍କ ସକାଳ ଆଳତୀ, ଅନ୍ନ, ପ୍ରସାଦ ନୀତି, ସନ୍ଧ୍ୟା ଆଳତୀ ଓ ପହଡ଼ ଆଳତୀରେ ସାଧାରଣ ଶ୍ରଦ୍ଧାଳୁଙ୍କ ଉପସ୍ଥିତି ବାରଣ କରାଯାଇଛି । ଆସନ୍ତା ୧୬ ତାରିଖରେ ଶ୍ରାବଣ ମାସ ସୋମବାର କାରଣରୁ ମନ୍ଦିର ପରିସରରେ ଥିବା ଶିବ ମନ୍ଦିରରେ ସାଧାରଣ ଦର୍ଶନକୁ ବାରଣ କରାଯାଇଛି ।
ତେବେ ଆସନ୍ତା କାଲିଠୁ କୋଭିଡ ଗାଇଡଲାଇନ୍‌ ପାଳନ କରି ତୁଳସୀ କ୍ଷେତ୍ରର ଶ୍ରୀବଳଦେଜୀଉଙ୍କ ମନ୍ଦିର ଶ୍ରଦ୍ଧାଳୁମାନଙ୍କ ପାଇଁ ଖୋଲିବ । ସେହିପରି ଆସନ୍ତା ୧୬ ତାରିଖରୁ ଶ୍ରୀମନ୍ଦିର ଖୋଲିବ । ୧୬ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ କେବଳ ପୁରୀ ସହରବାସୀଙ୍କୁ ଦର୍ଶନ ସୁଯୋଗ ମିଳିବ । ୨୧ ଓ ୨୨ ତାରିଖ ଶନିବାର ଓ ରବିବାର ସାପ୍ତାହିକ ସଟଡାଉନ କଟକଣା ଯୋଗୁ ଶ୍ରୀମନ୍ଦିର ବନ୍ଦ ରହିବ । ତେବେ ୨୩ ତାରିଖରୁ ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଶ୍ରୀଜିଉଙ୍କ ଦର୍ଶନର ସୁଯୋଗ ମିଳିବ । ସେହିପରି ଆସନ୍ତା ୨୩ ତାରିଖରୁ ଲିଙ୍ଗରାଜ ମନ୍ଦିର ବ୍ୟତୀତ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ସମସ୍ତ ଧର୍ମାନୁଷ୍ଠାନ ଖୋଲିବ । କିନ୍ତୁ ଶ୍ରଦ୍ଧାଳୁମାନେ ଗର୍ଭଗୃହ ଭିତରକୁ ଯାଇ ଠାକୁରଙ୍କୁ ଦର୍ଶନ କରିପାରିବେ ନାହିଁ ।

Comments are closed.