ନୂଆଦିଲ୍ଲୀ: ଭାରତ ଜଳ ବୋମା ପକାଇଛି। ଏହି ଜଳବୋମାକୁ ତୁରନ୍ତ ନିଷ୍କ୍ରିୟ କରାଯାଉ। ନଚେତ୍ ଆମର ବିଶାଳ ଜନସଂଖ୍ୟା ଭୋକରେ ମରିଯିବେ। ଯଦି ଆମେ ଏହି ଜଳ ସଙ୍କଟକୁ ଏବେ ସମାଧାନ ନ କରିବା ତେବେ ଆମେ ଭୋକରେ ମରିଯିବା। ତେଣୁ ଶେହବାଜ ସରିଫ୍ଙ୍କ ନେତୃତ୍ବାଧୀନ ସରକାର ତୁରନ୍ତ ଏହି ଜଳ ସଙ୍କଟର ସମାଧାନ କରିବାପାଇଁ ପାକିସ୍ତାନୀ ସାଂସଦ ସୟଦ ଅଲି ଜାଫର ଆଜି ଅନୁରୋଧ କରିଛନ୍ତି। ସିନେଟକୁ ଉଦ୍ବୋଧନ ଦେଇ ବିରୋଧୀ ଦଳ ପିଟିଆଇ (ପାକିସ୍ତାନ ତେହରିକ ଏ ଇନସାଫ୍)ର ଏହି ସିନେଟର କହିଛନ୍ତି, ଦେଶରେ ପ୍ରତି ୧୦ ଜଣରେ ଜଣେ ସିନ୍ଧୁ ନଦୀ ଜଳ ଉପରେ ନିର୍ଭରଶୀଳ ଏବଂ ଯଦି ଏହି ଜଳ ସଙ୍କଟର ସମାଧାନ କରାନଯାଏ ତେବେ ବିଶାଳ ଜନସଂଖ୍ୟା ଭୋକରେ ମରିଯିବେ। ଜାଫର୍ କହିଛନ୍ତି, ଯଦି ଆମେ ଏବେ ଏହି ଜଳ ସଙ୍କଟର ସମାଧାନ ନକରିବା ତେବେ ଆମେ କ୍ଷୁଧାରେ ମରିଯିବା। ଏହାର କାରଣ ହେଉଛି ସିନ୍ଧୁ ଅବବାହିକା ଆମ ଜୀବନରେଖା। ପରିସଂଖ୍ୟାନ ଅନୁଯାୟୀ ଆମ ଖାଦ୍ୟଶସ୍ୟର ୯୦ ପ୍ରତିଶତ ଏହି ଜଳ ଉପରେ ନିର୍ଭର କରୁଛି। ଆମର ସମସ୍ତ ବିଦ୍ୟୁତ୍ ପ୍ରକଳ୍ପ ଏବଂ ଡ୍ୟାମ୍ ଏହି ଜଳ ଉପରେ ନିର୍ମାଣ ହୋଇଛି। ତେଣୁ ଆମେ ଏହା ବୁଝିବା ଉଚିତ ଯେ ଏହା ଆମ ଉପରେ ଏକ ଜଳ ବୋମା ସଦୃଶ। ଆମକୁ ଏହା ନିଷ୍କ୍ରିୟ କରିବାକୁ ପଡ଼ିବ ଏବଂ ଆମକୁ ଏହା ସମାଧାନ କରିବାକୁ ପଡ଼ିବ ।