ଭାରତର ମହିଳା ହକିରେ ବ୍ରୋଞ୍ଜ ପଦକର ଆଶା ମଉଳିଲା, ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ପରାସ୍ତ ହେଲା ଦଳ

ଦିଲ୍ଲୀ: ଅଗଷ୍ଟ ୬: ଆଜି ହୋଇଥିବା ହକି ମ୍ୟାଚରେ ଭାରତୀୟ ମହିଳା ହକି ଦଳ ଗ୍ରେଟ୍‌ ବ୍ରିଟେନଠାରୁ ପରାସ୍ତ ହୋଇ ନିଜ ଅଭିଯାନ ଟୋକିଓ ଅଲମ୍ପିକ୍ସ ମହାସମରରୁ ଶେଷ କରିଛି । ୪-୩ ଗୋଲ୍‌ରେ ରିଓ ଅଲମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ଗ୍ରେଟ ବ୍ରିଟେନ୍‌ ଭାରତକୁ ପରାସ୍ତ କରିଛି । ଏହାସହ ଭାରତୀୟ ନେତୃତ୍ୱରେ ଭାରତୀୟ ମହିଳା ହକି ଦଳ ପ୍ରଥମ ଥର ପାଇଁ ଭଲ ପଦର୍ଶନ କରି ବ୍ରୋଞ୍ଜ ପଦକ ସକାଶେ ଖେଳିଥିଲେ । ଖେଳ ବେଶ୍‌ ସଂଘର୍ଷପୂର୍ଣ୍ଣ ଥିଲା । ଏହାପୂର୍ବରୁ ଭାରତୀୟ ମହିଳା ହକି ଦଳ ପ୍ରଥମ ଥର ପାଇଁ ସେମି ଫାଇନାଲ୍‌ରେ ପ୍ରବେଶ କରିଥିଲା ।
ଖେଳର ପ୍ରଥମ କ୍ୱାର୍ଟରରେ କୌଣସି ଦଳ ଗୋଲ୍‌ କରିପାରିନଥିଲେ । ଦ୍ୱିତୀୟ କ୍ୱାର୍ଟସରେ ବ୍ରିଟେନ ଗୋଟିଏ ଗୋଲ୍‌ କରି ୧-୦ରେ ଆଗୁଆ ରହିଥିଲା । ଭାରତର ଖେଳାଳୀ ଅନ୍ୟ ଏକ ଗୋଲ୍‌ କରିବାର ସୁଯୋଗ ହରାଇଥିଲେ । ଏହାପରେ ବ୍ରିଟେନ ଆଉ ଏକ ଗୋଲ କରି ୨-୦ରେ ଆଗୁଆ ରହିଥିଲା । କ୍ୱାର୍ଟରର ଶେଷ ବେଳକୁ ୨-୨ ସ୍ଥିତିରେ ଦୁଇ ଦଳ ପହଞ୍ଚିଥିଲେ । ତୃତୀୟ କ୍ୱାର୍ଟର ବେଳକୁ ଗ୍ରେଟ ବ୍ରିଟେନ ଆଉ ଏକ ଗୋଲ୍‌ କରିଥିଲା । ଚତୁର୍ଥ କ୍ୱାର୍ଟର ବେଳକୁ ଗ୍ରେଟ ବ୍ରିଟେନ ଅନ୍ୟ ଏକ ଗୋଲ୍‌ କରିବାର ସୁଯୋଗ ପାଇ ଭାରତୀୟ ଦଳଠାରୁ ୪-୩ରେ ଆଗୁଆ ରହିଥିଲା । ଏହାପରେ ଭାରତ ଗ୍ରେଟ ବ୍ରିଟେନକୁ ଆଉ କୌଣସି ଗୋଲ୍‌ କରିବାର ସୁଯୋଗ ଦେଇନଥିଲା । ଶେଷରେ ୪-୩ରେ ରହି ଖେଳ ଜିତି ଯାଇଥିଲା ଗ୍ରେଟ ବ୍ରିଟେନ ।
ଅନ୍ୟପକ୍ଷରେ କୁସ୍ତିର ୮୬ କିଲୋ ବର୍ଗରେ ଦୀପକ ପୁନିଆ ଅଳ୍ପକେ ବ୍ରୋଞ୍ଜ ପଦକରୁ ବଞ୍ଚିତ ହୋଇଛନ୍ତି । ସେ ସାନ ମାରିନୋ ଖେଳାଳୀ ମିଲେସ ନାଜିମ ଅମିନଙ୍କଠାରୁ ପରାସ୍ତ ହୋଇଛନ୍ତି । ତେବେ ଦୀପକଙ୍କ ଖେଳକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ସେ ଆମ ହୃଦୟକୁ ଜିତିଛନ୍ତି, ଦୀପକ ଧୈର୍ଯ୍ୟ ଓ ପ୍ରତିଭାର ଗନ୍ତାଘର’ ବୋଲି ନିଜ ଟ୍ୱିଟ୍‌ରେ ପ୍ରକାଶ କରିଛନ୍ତି ।

Comments are closed.